• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଧାରା ଶ୍ରାବଣରେ ଅସହ୍ୟ ତାତି ।  ଲଗାଣ ବର୍ଷା ବଦଳରେ ଧୁ ଧୁ ଖରା । ସାରା ରାଜ୍ୟରେ ଖରାଦିିନିଆ ଗରମ । ଓଡ଼ିଶାରେ ଅଧା ମୌସୁମୀ ସରିଲାଣି ହେଲେ ଏଯାଏଁ ୮ ପ୍ରତିଶତ କମ୍ ବର୍ଷା ହୋଇଛି । ଚାଷୀର ଚିନ୍ତା ବଢାଇଲାଣି ନିଅଣ୍ଟିଆ ବର୍ଷା । ଏଭଳି ସ୍ଥିିତିରେ ପାଣିପାଗ ବିଭାଗ କହିଛି, ଆହୁରି ତିନି ଚାରି ଦିନ ଏଭଳି ପାଗ ଲାଗି ରହିବ । ତେବେ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି, ଯାହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ।

ଭଦ୍ରକ ବାସୁଦେବପୁର କଥା ଦେଖିବା ଯଦି ଶ୍ରାବଣରେ ଶୁଖିଲା ପଡିଛି ଜମି । ବିଲରେ ପାଣି ନାହିଁ । ଉପାୟ ନପାଇ ଚାଷୀ ନିଜ କ୍ଷେତକୁ ପାଣି ବୋହୁଛି । ନିଅଣ୍ଟିଆ ବର୍ଷାରେ ଯେମିତି ଫସଲ ଉଜୁଡିନଯିବ, ସେଥିପାଇଁ ଚାଷୀ ତରବର । କେନାଲରୁ କିଆରିକୁ ବୋହୁଛି ପାଣି । ଲଗାଣ ବର୍ଷାରେ ଏବେ ବିଲବାଡିରେ ପାଣି ଭରି ରହିବା କଥା ହେଲେ ପଡିଆ ପଡିଛି ଅଧିକାଂଶ ଜମି । ସେହିଭଳି କୋଣାର୍କରେ କିଛି ଦିନ ତଳେ ଲଘୁଚାପ ବର୍ଷାରେ ଚାଷୀ ହଳ କରି ତଳି ପକାଇଥିଲା । ହେଲେ ଆଉ ବର୍ଷା ନହେବାରୁ ତଳି ବଢିଲାନି । ବାଧ୍ୟ ହୋଇ ଓଦା ବିଲକୁ ପାଇପ୍‌ରେ ପାଣି ମଡାଉଛି ଚାଷୀ ।

ଜୁନ୍ ୧୭ରେ ଓଡିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗ ଆକଳନ କରିଥିଲା, ଏଥର ଭଲ ବର୍ଷା ହେବ । ତେବେ ଅଧା ମୌସୁମୀ ସରିବାକୁ ବସିଥିବା ବେଳେ ଏଯାଏଁ ୮% କମ୍ ବର୍ଷା ହୋଇଛି । ରାଜ୍ୟରେ ଜୁଲାଇରେ ରାଜ୍ୟରେ ମୌସୁମୀ ଜନିତ ବର୍ଷା ୫୧୨. ୨ ମିଲିମିଟର ରେକର୍ଡ ହୋଇଛି । ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ସୁନ୍ଦରଗଡ଼ ଓ ସମ୍ବଲପୁରରେ ହୋଇଛି ସ୍ୱାଭାବିକ ଠାରୁ କମ୍ ବର୍ଷା ।

ସେହିପରି ଚଳିତ ବର୍ଷର ମୌସୁମୀ ଜନିତ ବର୍ଷା ବି କମ୍ ହୋଇଛି । ୫ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଥିବା ବେଳେ ସୁନ୍ଦରଗ଼ଡରେ ପରିସ୍ଥିତି ଉତ୍କଟ । ଏଠାରେ ସ୍ୱାଭାବିକ ଠାରୁ ୪୦% କମ୍ ବର୍ଷା ହୋଇଥିବା ରେକର୍ଡ ହୋଇଛି । ସେହିପରି ସମ୍ବଲପୁରରେ ୨୯%, ଭଦ୍ରକରେ ୨୪% ଏବଂ ମୟୂରଭଂଜ ଓ ବଲାଙ୍ଗୀରରେ ୨୦% କମ୍ ବର୍ଷା ହୋଇଛି ।

ସେପଟେ ଆଇଏଏମ୍‌ଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି, ରାଜ୍ୟରେ ଆସନ୍ତା ୫ ତାରିଖ ଯାଏଁ ବର୍ଷା ସମ୍ଭାବନା ନାହିଁ । ତେବେ ଅଗଷ୍ଟ ୬ କିମ୍ବା ୭ ତାରିଖ ବେଳକୁ ଛୋଟ ଧରଣର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ମୌସୁମୀ ଦୁର୍ବଳ, ଲୁଚକାଳି ଖେଳୁଛି ଲଘୁଚାପ ବର୍ଷା । ଏମିତିରେ ଚଳିତ ବର୍ଷର ଚାଷବାସ କେମିତି ହେବ, ସେନେଇ ଚାଷୀର ଚିନ୍ତା ବଢିଯାଇଛି ।