• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢ଼ିଲା ଦରମା । ରାଜ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବଢ଼ାଇଛନ୍ତି ସରକାର । ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୮୦୭୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ଏଣିକି ମିଳିବ ୧୦,୧୦୦ ଟଙ୍କା । ସେହିଭଳି ୮୩୯୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୫୦୦ ଟଙ୍କା । ୮୭୫୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୦,୯୦୦ ଟଙ୍କା, ୮୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୧୦୦ ଟଙ୍କା, ୯ ହଜାର ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୨୦୦ ଟଙ୍କା, ୯୨୫୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୫୦୦ ଟଙ୍କା । ୯୫୦୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୧୧,୯୦୦ ଟଙ୍କା । ୧୦ ହଜାର ପାଉଥିବା କର୍ମଚାରୀ ପାଇବେ ୧୨,୫୦୦ ଟଙ୍କା । ୧୬,୮୮୦ ଟଙ୍କା ପାଉଥିବା କର୍ମଚାରୀଙ୍କୁ ମିଳିବ ୨୧,୧୦୦ ଟଙ୍କା । ଚଳିତ ମାସଠାରୁ ବର୍ଦ୍ଧିତ ଦରମା ଲାଗୁ ହେବା ନେଇ ବିଜ୍ଞପ୍ତି ।

ପୂର୍ବରୁ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦରମା ବୃଦ୍ଧି ନେଇ କ୍ୟାବିନେଟ୍‌ରୁ ମଞ୍ଜୁରି ମିଳିସାରିଥିଲା । ଗତ ୪ ତାରିଖ ଦିନ ଦରମା ବୃଦ୍ଧି ନେଇ ଘୋଷଣା ହୋଇଥିଲା । କୁହାଯାଉଛି ଏହା ଚୁକ୍ତିଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଦୀପାବଳି ଉପହାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ପାଇଥିବା ତଥା ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧି କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ଆଉଟସୋର୍ସିଂ ଓ ଚୁକ୍ତିଭିତ୍ତିରେ ନିୟୋଜିତ ଏହି କର୍ମଚାରୀଙ୍କ ଇପିଏଫ୍ ଓ ଇଏସ୍ଆଇ ମଧ୍ୟ ସମ୍ପୃକ୍ତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ପୈଠ କରିବେ । ସେମାନେ କାମ କରୁଥିବା ବିଭାଗର କର୍ତ୍ତୃପକ୍ଷ ଏହା ସୁନିଶ୍ଚିତ କରିବେ। ନଚେତ୍‌ ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତ୍‌ଦବ୍ୟତୀତ ସେମାନଙ୍କୁ ବର୍ଷକୁ ସର୍ବାଧିକ ୧୨ ଦିନ ଛୁଟି ମଞ୍ଜୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାତୃତ୍ୱ ଛୁଟି ପ୍ରଦାନ ବିଷୟରେ ଯଥାଶୀଘ୍ର ନିଷ୍ପତ୍ତି ନେବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି ।