/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756191468.jpg)
Revenue Minister to Visit Flood-Hit Jajpur
ବନ୍ୟାଞ୍ଚଳ ପରିଦର୍ଶନ କରିବେ ରାଜସ୍ବ ମନ୍ତ୍ରୀ । ଗ୍ରାଉଣ୍ଡରେ ସରଜମିନ ଅନୁଧ୍ୟାନ କରିବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଯାଜପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ବୁଲି ଦେଖିବେ ସ୍ଥିତି । ବୈତରଣୀର ଶାଖା ନଦୀ କାଣିରେ ଘାଇ ସୃଷ୍ଟି ହେବାରୁ ଏକାଧିକ ପଞ୍ଚାୟତର ୩୦-୪୦ ଗାଁ ପ୍ରଭାବିତ ହୋଇଛି । ସେଠାକୁ ଯିବେ ରାଜସ୍ବ ମନ୍ତ୍ରୀ । ପାଣି କମିବା ପରେ ପରେ ଘାଇ ମରାମତି ହେବ । ଯେତେଶୀଘ୍ର ହେବ ଘାଇ ମରାମତି କରାଯିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳରୁ ପାଣି କମିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ଓ ତୁରନ୍ତ ବିପନ୍ନଙ୍କୁ ସହାୟତା ଦିଆଯିବ । ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
ସେପଟେ ବୈତରଣୀ ବନ୍ୟାରେ ବେଶୀ ପ୍ରଭାବିତ ହୋଇଛି ଯାଜପୁର ଜିଲ୍ଲା । ୧୪ ପଞ୍ଚାୟତର ୪୬ଟି ଗାଁ ପ୍ରଭାବିତ ହୋଇଛି । କାଣି ନଦୀରେ ୬୦ ଫୁଟର ଘାଇ ହେବା ପରେ ଦୁର୍ଦ୍ଦଶାରେ ଦଶରଥପୁର ବ୍ଲକର ଏକାଧିକ ପଞ୍ଚାୟତ । ଜଳବନ୍ଦୀ ହୋଇଛି ମଲ୍ଲିକାପୁର, କସପା, ମହାନ୍ତିପାଟଣା, ଦୁଦୁରାଅଣ୍ଟା, ସୁସୁଆ, ନିଜାମପୁର ଓ ଖାନନଗର ଆଦି ପଞ୍ଚାୟତ । ଘାଇ ନିକଟରେ ଥିବା ଗାଁ ଗୁଡ଼ିକରେ ଘର ଭିତରେ ଛାତିଏ ଉଚ୍ଚ ପାଣି ପ୍ରଖର ସୁଅରେ ବହୁଥିବା ବେଳେ, କିଏ ଛାତ ଉପରେ ଆଶ୍ରୟ ନେଇଛନ୍ତି, ତ ଆଉ କିଏ ସ୍କୁଲ ଘରେ ।
ହଜାର ହଜାର ଲୋକ ବାସହରା ହୋଇ ପଡିଛନ୍ତି । ଆଜି କିଛି କିଛି ଅଞ୍ଚଳରୁ ପାଣି ଧୀରେ ଧୀରେ ଖସୁଛି । ଅଚାନକ ପାଣି ମାଡ଼ି ଆସିବାରୁ ଲୋକ ଘରୁ କିଛି ଜିନିଷ ଆଣି ପାରିଲେ ନାହିଁ । ପାଣିରେ ବୁଡ଼ିଗଲା ଲୁଗାପଟା, ଧାନ ଚାଉଳ, ଆସବାବପତ୍ର । ବିପନ୍ନଙ୍କୁ ବିଭିନ୍ନ ସ୍କୁଲ ଘର ଓ ଅନ୍ୟ ଆଶ୍ରୟସ୍ଥଳକୁ ନେଇ ରନ୍ଧା ଓ ଶୁଖିଲା ଖାଦ୍ୟ ଦେଉଛି ପ୍ରଶାସନ ।
ପୁଣି ବନ୍ୟା ଦାଉରେ କଲବଲ ଭଦ୍ରକ ଜିଲ୍ଲାବାସୀ । ଭାସୁଛି ଧାମନଗର ଅଞ୍ଚଳର ବହୁ ଗାଁ ଗଣ୍ଡା । ବିପର୍ଯ୍ୟସ୍ତ ହୋଇପଡ଼ିଛି ଚାଷ, ବାସ, ଘର, ଦ୍ବାର । ମଣିଷଙ୍କଠୁ ଗୃହପାଳିତ ପଶୁଙ୍କ ଯାଏଁ । ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ଗତ ୨ ଦିନ ହେଲା । ଧାମନଗର ବ୍ଲକର ୪ଟି ପଞ୍ଚାୟତରେ ଯୁଆଡ଼େ ଚାହିଁବେ ଖାଲି ପାଣି ଆଉ ପାଣି । ତାହାରି ଭିତରେ ଜୀବନ ଧାରଣ ପାଇଁ ସଂଘର୍ଷ ।
ତୃତୀୟ ଥରର ବୈତରଣୀ ବନ୍ୟାରେ ନଦୀ ତଟବର୍ତ୍ତୀ ଅଞ୍ଚଳ ହସନାବାଦ, ଅର୍ଜୁନପୁର, ପଧାନୀ, ସୋହଡା ଆଦି ୪ଟି ପଞ୍ଚାୟତ ପ୍ରଭାବିତ ହୋଇଛି । ଘରଦ୍ବାର ସହ ଚାଷବାସ ପାଣିରେ ବୁଡ଼ି ନଷ୍ଟ ହୋଇଯାଇଛି । ବିଶେଷ କରି ଅର୍ଜୁନପୁର ଓ ହସନାବାଦ ସାଂଘାତିକ ପ୍ରଭାବିତ ହୋଇଛି । ଭଣ୍ଡାରୀପୋଖରୀର କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶିଛି ବନ୍ୟା ଜଳ । ଗୋଟିଏ ବର୍ଷ ଭିତରେ ବାରମ୍ବାର ବନ୍ୟାକୁ ନେଇ ଥରକୁ ଥର ଦୁର୍ଦ୍ଦଶା ଭୋଗୁଛନ୍ତି ବନ୍ୟାଞ୍ଚଳ ବାସିନ୍ଦା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)