• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜ୍ୟ ସରକାରଙ୍କ ନୂଆ ଯୋଜନା ଲକ୍ଷ୍ମୀ ବସ୍ ସେବାକୁ ନେଇ ଛିଣ୍ଡୁନି ବିବାଦ । ଅକ୍ଟୋବର ୨ରୁ ଏ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ୩୬ଟି ବସ୍ ଗଡ଼ିବାର ସମ୍ଭାବନା ଥିବାବେଳେ ସେପଟେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ଧର୍ମଘଟ ଡାକରାରେ ଅଟଳ ରହିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ୟା ଭିତରେ ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟରୁ ଓହରି ଯାଇଥିବାରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରୁଥିବା ଘରୋଇ ବସ୍ ମାଲିକ ସଂଘ ଭିତରେ ଦେଖାଦେଇଛି ଫାଟ ।

ଘରେ ନପଶଣୁ ମୁଣ୍ଡରେ ଚାଳ, ରାଜ୍ୟ ସରକାରଙ୍କ ନୂଆ ବସ୍ ଯୋଜନା ଲକ୍ଷ୍ମୀକୁ ଆରମ୍ଭରୁ ବିରୋଧ । ଅକ୍ଟୋବର ୨ରୁ ଲକ୍ଷ୍ମୀ ଯୋଜନାରେ ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଗଡ଼ିପାରେ ଏହି ଅତ୍ୟାଧୁନିକ ବସ୍ । ଏଥିପାଇଁ ମାଲକାନଗିରିରେ ପ୍ରସ୍ତୁତ ଭାରତ ବେଞ୍ଜ୍ କମ୍ପାନୀର ୩୬ଟି ଶୀତତାପ ନିୟନ୍ତ୍ରିତ ବସ । ଏପଟେ ରାଜ୍ୟ ସରକରାଙ୍କ ଏ ନୂଆ ବସ୍ ସେବା ସହ ସହମତ ହୋଇପାରୁନି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଲକ୍ଷ୍ମୀ ଯୋଜନାରେ ରାଜ୍ୟ ବାହାରର ଏକ ତୃତୀୟ ପକ୍ଷ କମ୍ପାନୀ ସହ ଚୁକ୍ତି କରି କରାଯାଇଥିବାରୁ ଏହାର ଦୃଢ଼ ବିରୋଧ କରୁଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

ପ୍ରତିବାଦରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଘରୋଇ ବସ୍ ମାଲିକ ସଂଘ ଅକ୍ଟୋବର ୨ରେ ୨୪ ଘଣ୍ଟିଆ ପ୍ରତୀକ ଧର୍ମଘଟ ନିଷ୍ପତ୍ତିରେ ଅଟଳ ରହିଛି । ଫଳରେ ଆସନ୍ତା ୨ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରୁ କୌଣସି ବି ଘରୋଇ ବସ୍ ଗଡ଼ିବ ନାହିଁ ବୋଲି ସଂଘ କହିଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ଚାପ ପଡୁଥିବାରୁ ଅକ୍ଟୋବର ୨ରେ ମାଲକାନଗିରିରେ ବସ୍ ସେବା ସ୍ୱାଭାବିକ ରହିବ ବୋଲି କହିଛନ୍ତି ମାଲକାନଗିରି ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ।

ଲକ୍ଷ୍ମୀ ବସ୍ ଯୋଜନାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବିରୋଧ କରିବା ପଛରେ ରହିଛି କିଛି ପ୍ରମୁଖ କାରଣ । ସଂଘର ଅଭିଯୋଗ, ସରକାର ଏ ଯୋଜନାରେ ବସ ସେବା ଆରମ୍ଭ କଲେ, ଘରୋଇ ବସ୍‌ଗୁଡ଼ିକର ବ୍ୟବସାୟ ପ୍ରଭାବିତ ହେବ । ଘରୋଇ ବସ ଓ ଲକ୍ଷ୍ମୀ ଯୋଜନାରେ ଗଡ଼ିବାକୁ ଥିବା ବସର ଯାତ୍ରା ସମୟ ନିର୍ଦ୍ଧାରିତ ହୋଇଥିବାରୁ ଏହା ଆଗକୁ ସମସ୍ୟା ସୃଷ୍ଟି କରିବ ।

ସେହିଭଳି ବହୁ ଘରୋଇ ବସ୍ ମାଲିକ କ୍ଷତିରେ ବସ୍ ଚଳାଉଥିବାରୁ ରାଜ୍ୟ ବାହାରର ତୃତୀୟ ପକ୍ଷ କମ୍ପାନୀ ସହ ଚୁକ୍ତିକୁ ବିରୋଧ କରୁଛି ଘରୋଇ ବସ୍ ମାଲିକ ସଂଘ । ସଂଘର ଦାବି ସରକାର ସେମାନଙ୍କଠୁ ବସ୍ ନେଇ ଯୋଜନାରେ ସାମିଲ କରନ୍ତୁ । ସେପଟେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହମତିରେ ଯୋଜନା ଆରମ୍ଭ ହେବ ଏବଂ ସଂଘ ସବୁବେଳେ ସରକାରଙ୍କ ସହଯୋଗ କରି ଆସୁଥିବା କହିଛନ୍ତି ପରିବହନ ମନ୍ତ୍ରୀ ।

ଲକ୍ଷ୍ମୀ ବସ୍ ଯୋଜନା ପ୍ରତିବାଦରେ ଆସନ୍ତା ୧୦ତାରିଖରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟକାଳ ଯାଏଁ ଘରୋଇ ବସ୍ ଧର୍ମଘଟ କରିବାକୁ ପୂର୍ବରୁ ଡାକରା ଦେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

ଜୟପୁରରୁ ଟି. ଗୌରୀ ଶଙ୍କର, ମାଲକାନଗିରିରୁ ଜିତେନ୍ଦ୍ର ବେଉରା ଓ ଭୁବନେଶ୍ବରରୁ ହରିହର ଚାନ୍ଦଙ୍କ ରିପୋର୍ଟ, ଓଟିଭି