• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଘଟଣା ଚକିତ କଲା ଭଳି । ଘଟଣା ବିଶ୍ୱାସ ନହେଲା ଭଳି । ଥାନା ପରିସରରେ ଗୁଳି ଫୁଟି IICଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଗାଙ୍ଗପୁରରେ ଚାଞ୍ଚଲ୍ୟ । ନିଜ ପିସ୍ତଲରୁ ଗୁଳି ଫୁଟି ପ୍ରାଣ ହରାଇଛନ୍ତି ସ୍ଥାନୀୟ ଥାନା IIC ଦେବ କୁମାର ଗମାଙ୍ଗ । ଗୁରୁତର ଅବସ୍ଥାରେ ଆସ୍କା ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତୀ କରାଯାଇଥିଲା, ହେଲେ ମୃତ ଘୋଷଣା କରିଥିଲେ ଡାକ୍ତର । ଆଇଆଇସିଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା ତାର ଖୋଳତାଡ଼ ହେବା ସହ ସେ ଗତ କିଛିବର୍ଷ ହେଲା ମାନସିକ ଦୁଶ୍ଚିନ୍ତାରେ ଥିବା କହିଛନ୍ତି ଗଂଜାମ ଏସ୍‌ପି ।

ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦେବ କୁମାର ଥାନାରେ ଥିଲେ, ହେଲେ କ୍ୱାର୍ଟରକୁ ଯିବା ପରେ ଘଟିଥିଲା ଅକସ୍ମାତ୍ ଅଘଟଣ । ଗୁଳି ଫୁଟିବା ଶବ୍ଦ ଶୁଣି ତତକ୍ଷଣାତ୍ ଥାନାର ଅନ୍ୟ କର୍ମଚାରୀମାନେ ଆଇଆଇସିଙ୍କ କ୍ୱାର୍ଟରକୁ ଦୌଡ଼ିଥିଲେ । ହେଲେ ସେତେବେଳକୁ ଦେବ କୁମାର ରକ୍ତ ଜୁଡୁବୁୁଡୁ ଅବସ୍ଥାରେ ଅଚେତ ହୋଇ ପଡିଥିଲେ । ତୁରନ୍ତ ପଡ଼ୋଶୀ ଥାନା ଭଞ୍ଜନଗର IIC ଓ ସ୍ଥାନୀୟ ଏସଡିପିଓଙ୍କୁ ଖବର ଦିଆଯାଇଥିଲା । ଏଥିସହ ଗୁରୁତର ଅବସ୍ଥାରେ ଥାନା ଗାଡ଼ିରେ ପ୍ରଥମେ ଗାଙ୍ଗପୁର ମେଡିକାଲ ଓ ପରେ ଆସ୍କା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ଦେବ କୁମାରଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଗଂଜାମ ଏସ୍‌ପି ବ୍ରିଜେଶ ରାୟ ଓ ଜିଲ୍ଲାର ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଆସ୍କା ମେଡିକାଲରେ ପହଞ୍ଚିଥିଲେ । ଏସ୍‌ପି କହିଛନ୍ତି, ନିଜ ସର୍ଭିସ୍ ପିସ୍ତଲରୁ ହିଁ ଗୁଳି ଆଇଅଆଇସିଙ୍କ ଦେହରେ ବାଜିଛି । ଦେବ କୁମାରଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କ ମୃତ୍ୟୁ ଜିଲ୍ଲା ପୋଲିସ୍ ପାଇଁ ବଡ଼ କ୍ଷତି ।

 

ଗାଙ୍ଗପୁର ଥାନା ପରିସରରେ ରହିଛି IICଙ୍କ କ୍ୱାର୍ଟର । ଯେଉଁଠି ଗୁଳି ଫୁଟି ଗୁରୁତର ଅବସ୍ଥାରେ ପଡିଥିଲେ IIC ଦେବ କୁମାର ଗମାଙ୍ଗ । ତାଙ୍କ ଅଣ୍ଟା ତଳକୁ ଗୁଳି ବାଜିଛି । ତେବେ ଏଠି ପ୍ରଶ୍ନ କେମିତି ବାଜିଲା ଗୁଳି ? ସେ ନିଜେ ସର୍ଭିସ୍ ପିସ୍ତଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି ନା ଅସାବଧାନତାରୁ ଗୁଳି ଫୁଟିଯାଇଛି ?

ତେବେ ସର୍ଭିସ ପିସ୍ତଲରୁ ଗୁଳି ଫୁଟିବାକୁ ନେଇ ସନ୍ଦେହ ଏଥିପାଇଁ ବଢ଼ିଛି, କାରଣ ମେଡିକାଲ ବେଡ୍‌ରେ ଦେବ କୁମାରଙ୍କ ମୃତଦେହରେ ନଥିଲା ପୋଲିସ୍ ବର୍ଦ୍ଦି, ସେ ପିନ୍ଧିଥିଲେ ସାଧା ପୋଷାକ । ଏଥିସହ ପୁଣି ଶୁଣିବାକୁ ମିଳୁଛି ଦେବ କୁମାରଙ୍କ ମୃତ୍ୟୁର ଦେଢ଼ ଘଣ୍ଟା ଆଗରୁ ସ୍ଥାନୀୟ ଏସଡିପିଓ ଓ ଭଞ୍ଜନଗର ଥାନା ଆଇଆଇସି ମଧ୍ୟ ଗାଙ୍ଗପୁର ଥାନାକୁ ଆସିଥିଲେ । ତେଣୁ ତାଙ୍କ ମୃତ୍ୟୁକୁ ନେଇ ବଢିଛି ସନ୍ଦେହ ।

ତେଣେ ସ୍ଥାନୀୟ ଲୋକଙ୍କ କହିବାନୁସାରେ ମୃତ ଆଇଆଇସି ଜଣେ ଭଦ୍ର ଅଫିସର ଥିଲେ । ମାତ୍ର ୪ମାସ ତଳେ ଜଏନ୍ କରିଥିଲେ ବି କମ୍ ସମୟ ଭିତରେ ଲୋକଙ୍କ ନିକଟତର ହୋଇଥିଲେ । ତେବେ ଗଣମାଧ୍ୟମକୁ ଆଜି ସୂଚନା ଦେବାବେଳେ ଏସ୍‌ପି କହିଥିଲେ, ମୃତ ଆଇଆଇସି ଗତ କିଛି ବର୍ଷ ହେଲା ମାନସିକ ଦୁଶ୍ଚିନ୍ତାରେ ମଧ୍ୟ ରହୁଥିଲେ ।

ମୃତ ଗାଙ୍ଗପୁର ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ନିଜ ଘର ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ୟଦଲଓ୍ୱାଲସା ଗାଁରେ । ତାଙ୍କ ପତ୍ନୀ ମଧ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ । ସେ ନବରଙ୍ଗପୁର ଜିଲ୍ଲା ପୋଲିସ୍ ମୁଖ୍ୟାଳୟରେ ଏସଆର୍ ସେକ୍ସନରେ କାମ କରୁଛନ୍ତି । ଦେବ କୁମାରଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ନିଜ ଗାଁରେ ଶୋକର ଛାୟା ଖେଳିଯାଇଛି । ଆଜିର ଅଘଟଣକୁ ଆଦୌ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସଂପର୍କୀୟ ।