• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଦଳିଲା ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ରୂପରେଖ । ତ୍ରିଶୂଳିଆ ପରିବର୍ତ୍ତେ କଟକ ବସ୍ ଷ୍ଟାଣ୍ଡ ଯାଏଁ ଗଡ଼ିବ ମେଟ୍ରୋ । ଏଥିପାଇଁ କାଠଯୋଡି ପୋଲ ଉପରେ ତିଆରି ହେବ ୬ ଲେନ ବିଶିଷ୍ଟ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ । ନୂଆବର୍ଷରେ ଏ ସମ୍ପ୍ରସାରିତ ପ୍ରକଳ୍ପର ଶିଳାନ୍ୟାସ ହେବ । ଯାହାକୁ ନେଇ ବେଶ ଖୁସି କଟକବାସୀ ।

ତ୍ରିଶୂଳିଆ ନୁହେଁ, ଆଉ ଟିକେ ଆଗକୁ, ଅର୍ଥାତ୍ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ । ଏଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର । ଏହି ପଦକ୍ଷେପ ସ୍ୱରୂପ ତ୍ରିଶୂଳିଆ ଓ କଟକର ଜୁଡିସିଆଲ ଏକାଡେମୀକୁ ସଂଯୋଗ କରୁଥିବା ନେତାଜୀ ସେତୁକୁ ଲାଗି ତିଆରି ହେବାକୁ ଥିବା ନୂଆ ସେତୁ ନିର୍ମାଣ ଯୋଜନାରେ କରାଯାଇଛି ପରିବର୍ତ୍ତନ । ଏଥିପାଇଁ ୨୨୦ କୋଟି ଟଙ୍କାର ସେତୁ ଟେଣ୍ଡରକୁ ବାତିଲ କରାଯାଇଛି ।

ଏହା ବଦଳରେ କାଠଯୋଡ଼ି ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି । ୬ ଲେନ ବିଶିଷ୍ଟ ଏହି ସେତୁ ଉପରେ ରେଳଧାରଣା ରହିବ ଓ ସେଥିରେ ମେଟ୍ରୋ ଟ୍ରେନ୍ ଗଡିବ । ଏହାର ତଳକୁ ବସ୍ ତଥା ଅନ୍ୟ ଯାନବାହନ ଚଳାଚଳର ବ୍ୟବସ୍ଥା କରାଯିବ । ଏହି ସେତୁ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଛି । ତେବେ ଏହି ସଂପ୍ରସାରିତ ମେଟ୍ରୋ ପ୍ରକଳ୍ପ ଜୁଡିସିଆଲ ଏକାଡେମୀ, ଶିଶୁଭବନ, ହାଇକୋର୍ଟ, ପୁରୀଘାଟ ଦେଇ ନେତାଜୀ ବସ୍ ଟର୍ମିନାଲକୁ ଯୋଡ଼ିବ ।

ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପ ପାଇଁ ଯୋଜନା ହୋଇଥିଲା । ସେଥିପାଇଁ କଟକ ସହରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଯାନବାହନ ସଂଖ୍ୟାକୁ ଦେଖି କାଠଯୋଡି ଉପରେ ଥିବା ନେତାଜୀ ସେତୁକୁ ଲାଗି ଆଉ ଏକ ୨୦ ମିଟର ଓସାରର ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଥିଲା । ଏହି ପୋଲ ନିର୍ମାଣ ପାଇଁ ଓବିସିସି ପକ୍ଷରୁ ଟେଣ୍ଡର ମଧ୍ୟ ଡକାଯାଇଥିଲା ।

କିନ୍ତୁ ମେଟ୍ରୋ ପ୍ରକଳ୍ପ ଭୁବନେଶ୍ୱର ବିମାନବନ୍ଦରରୁ ସିଏନବିଟି ପର୍ଯ୍ୟନ୍ତ ସଂପ୍ରସାରିତ ହେଉଥିବା ଯୋଗୁଁ କାଠଯୋଡି ଉପରେ ପାରମ୍ପରିକ ପୋଲ ବଦଳରେ ୬ ଲେନ ବିଶିଷ୍ଟ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବା ସେତୁ ନିର୍ମାଣ କରିବାକୁ ଯୋଜନା ହୋଇଛି । ୨୦୨୪ ଜାନୁଆରୀରେ ବିମାନବନ୍ଦରରୁ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ଶିଳାନ୍ୟାସ ହେବ ବୋଲି ସୂଚନା ମିଳିଛି । ସେପଟେ ରାଜ୍ୟର ସର୍ବପ୍ରଥମ ଆଧୁନିକ ବସ୍ ଟର୍ମିନାଲ ସହ ସିଧାସଳଖ ବିମାନବନ୍ଦର ଯୋଡି ହେବା ଏବଂ ଟୁଇନସିଟି ମଧ୍ୟରେ ଗମନାଗମନର ଆଉ ଏକ ମାଧ୍ୟମ ଖୋଲିବାକୁ ଯାଉଥିବାରୁ ଏହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ସହରବାସୀ ।

ଏବେ ଅପେକ୍ଷା ପ୍ରସ୍ତାବିତ କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ କେବେ ବାସ୍ତବ ରୂପ ନେଇ ଟ୍ୱିନ୍‌ସିଟି ଗମନାଗମନର ପାଲଟିବ ପ୍ରଥମ ଚଏସ୍ ।

  • Reported by:
  • Biswajit Acharya