• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି । ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଦୁର୍ନୀତିଗ୍ରସ୍ତ ଓ ଅପାରଗ ଦର୍ଶାଇ ୬ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜଣେ ମୁଖ୍ୟଯନ୍ତ୍ରୀ, ୩ ନିର୍ବାହୀ ଯନ୍ତ୍ରୀ, ୨ ବିଇଓଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ରାଜ୍ୟ ସରକାର ଏପର୍ଯ୍ୟନ୍ତ ୧୬୪ ଜଣ ଅଧିକାରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇସାରିଛନ୍ତି ।

ଏହି ୬ ଜଣଙ୍କ ମଧ୍ୟରୁ ସମ୍ବଲପୁର ଇଲେକ୍ଟ୍ରିକାଲ ମୁଖ୍ୟଯନ୍ତ୍ରୀ ସୁନିଲ୍ କୁମାର ପଣ୍ଡାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ରହିଛି । ତାଙ୍କ ପାଖରେ ୩.୨୬ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା । ଏଥିପାଇଁ ତାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିଭଳି ବ୍ରହ୍ମପୁର ରୁରାଲ ୱାର୍କ୍ସ ଇଲେକ୍ଟ୍ରିକାଲ୍ ଡିଭିଜନର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ଜଗନ୍ନାଥ ସେଠୀଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ରହିଛି । ତାଙ୍କ ପାଖରେ ୭.୬୩ କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଥିଲା ଏବଂ ଏଥିପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ଏବେ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ସେହିପରି ଭୁବନେଶ୍ୱରର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ଦୀପକ କୁମାର ଭୁୟାଁଙ୍କ ନାମରେ ଦୁଇଟି ଦୁର୍ନିତୀ ମାମଲା ରହିଛି । ଅସାଧୁତା କାରଣରୁ ତାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଭୁବନେଶ୍ୱରର ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟର ତଥା ଡେପୁଟି ଇଲେକ୍ଟ୍ରିକାଲ ଇନସପେକ୍ଟର ପ୍ରଶାନ୍ତ କୁମାର ମିଶ୍ରଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରାୟଗଡା ଜିଲ୍ଲାର ଗୁଣୁପୁରସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରାଙ୍କ ନାମରେ ଗୋଟିଏ ଦୁର୍ନିତୀ ମାମଲା ଅଛି । ସେ ୧୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରିଥିଲେ । ତାଙ୍କୁ ୨୦୨୨ ମାର୍ଚ୍ଚ ୨ ତାରିଖ ଦିନ ଗିରଫ କରାଯାଇ ତା ପରଦିନ କୋର୍ଟକୁ ପଠାଯାଇଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଗଜପତି ଜିଲ୍ଲାର ନୂଆଗଡସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ ବ୍ରଜ କୁମାର ନାୟକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ଅଫିସ ଭିତରେ ୩୦ ହଜାର ଟଙ୍କାର ଲାଞ୍ଚ ଗ୍ରହଣ କରୁଥିଲା ବେଳେ ତାଙ୍କୁ ଦୁର୍ନୀତି ନିବାରଣ ବିଭାଗ ଧରିଥିଲା । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ପେନସନ ବନ୍ଦ କରାଯାଇଛି।