• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ରାଫିକ ଛକର ଭିଡ ଭିତରେ ତାଳି ମାରି ଲୋକଙ୍କୁ ସହାୟତା ମାଗୁଥିବା ବେବି ଶବର ଜଣେ କିନ୍ନର । ରାତି ପାହିଲେ ବାହାରି ଯାଆନ୍ତି ବସଷ୍ଟାଣ୍ଡ, ରେଳ ଷ୍ଟେସନ କିମ୍ବା ହାଟ ବଜାରକୁ । ପେଟ ପୋଷିବାକୁ ଲୋକଙ୍କ ଆଗରେ ହାତ ପତାନ୍ତି । ଯୁକ୍ତ ୩ ପଢିଛନ୍ତି ବେବି । ହେଲେ ନିଯୁକ୍ତି ସୁଯୋଗ ଏବଂ ଲୋକଙ୍କ ସହଯୋଗ ନପାଇବାରୁ ରୋଜଗାର ପାଇଁ କୋରାପୁଟରୁ ଆସିଗଲେ ଭୁବନେଶ୍ୱର । କିନ୍ନର ଲଭଲି ବି ବେବିଙ୍କ ସହ ମିଶି ରାଜଧାନୀର ବିଭିନ୍ନ ଛକରେ ବୁଲି ଲୋକଙ୍କୁ ସହାୟତା ମାଗନ୍ତି ।

ସେହିଭଳି କଟକ ଛତ୍ର ବଜାର ଅଂଚଳର ମିଠି କିନ୍ନର । ଶିକ୍ଷିତ ହୋଇଥିଲେ ବି ରୋଜଗାର ପାଇଁ ଆପଣାଇଛନ୍ତି ପାରମ୍ପରିକ କିନ୍ନର କଳା । ବିବାହ, ବ୍ରତ, ଜନ୍ମଦିନ ଭଳି ଶୁଭ କାମରେ ଲୋକଙ୍କ ଘରକୁ ଯାଇ ନାଚ ଗୀତ କରନ୍ତି । ସେଥିରେ ଚଳେ ପରିବାର । କୋଲକାତାରୁ କଟକ ଆସିଥିବା ତନିସାଙ୍କ ସ୍ଥିତି ବି ସମାନ । ଯୁକ୍ତ ଦୁଇ ପଢିଥିଲେ ମଧ୍ୟ ପେଟ ପାଇଁ ଆବୁରି ନେଇଛନ୍ତି ଏହି ପେଷା । 

କେବେ କିନ୍ନରଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦେବେ ରାଜ୍ୟ ସରକାର ? ନିର୍ବାଚନରେ କେବେ ମିଳିବ କିନ୍ନରଙ୍କୁ ସଂରକ୍ଷଣ ? ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଗିବ ଆଉ କେତେ ଦିନ ? ବିଭିନ୍ନ କିନ୍ନର ସାମାଜିକ ସଂଗଠନ ଏନେଇ ପ୍ରଶ୍ନ କରୁଥିବା ବେଳେ ରାଜ୍ୟ ସରକାର କିନ୍ନରଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ପ୍ରସ୍ତୁତ କରିଛନ୍ତି ଚିଠା ପ୍ରସ୍ତାବ ।

ଓଡିଶା ଷ୍ଟେଟ୍ ଟ୍ରାନ୍ସଜେଣ୍ଡର ପର୍ସନସ ପଲିସି-୨୦୨୧ରେ ପରିବର୍ତ୍ତନ ଓ ସଂସ୍କାର ନେଇ ମତାମତ ମାଗିଛନ୍ତି ସରକାର । ଡ୍ରାଫ୍ଟରେ ଥିବା କିଛି ବ୍ୟବସ୍ଥା ହେଲା, କିନ୍ନରଙ୍କୁ ସମ୍ମାନ, ସୁରକ୍ଷା, ଅଧିକାର ଯୋଗାଇ ଦିଆଯିବ । ସମାଜରେ ସେମାନଙ୍କ ଗ୍ରହଣୀୟତା ବୃଦ୍ଧି ପାଇଁ ସଚେତନତା ସୃଷ୍ଟି କରାଯିବ । ସାମାଜିକ ସୁରକ୍ଷା ଯୋଜନାରେ ସ୍ୱାସ୍ଥ୍ୟ, ଖାଦ୍ୟ, ପାନୀୟ ଜଳ, ଗୃହ ଓ ବାସସ୍ଥାନ ଭଳି ମୌଳିକ ସେବା ଯୋଗାଇ ଦିଆଯିବ । କିନ୍ନରମାନେ ସମ୍ମୁଖୀନ ହେଉଥିବା ହିଂସା ଓ ନିର୍ଯାତନାରୁ ସୁରକ୍ଷା ପ୍ରଦାନ ସମେତ ଭେଦଭାବ ଦୂର ସହ ତୁରନ୍ତ ନ୍ୟାୟ ପ୍ରଦାନ ଲାଗି ଡ୍ରାଫ୍ଟରେ ପ୍ରସ୍ତାବ ରହିଛି ।

୨୦୧୧ ଜନଗଣନା ଅନୁଯାୟୀ ଭାରତରେ ମୋଟ ୪ ଲକ୍ଷ ୮୭ ହଜାର ୮୦୩ ଜଣ ଟ୍ରାନ୍ସଜେଣ୍ଡର ରହିଥିବା ବେଳେ ଓଡିଶାରେ ଏମାନଙ୍କ ସଂଖ୍ୟା ହେଉଛି ୨୦ ହଜାର ୩୩୨  ।