/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641659534.jpg)
Panchayat Election
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗକୁ ବଢ଼ିଲେ ରାଜ୍ୟ ସରକାର। ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଗେଜେଟ ବିଜ୍ଞପ୍ତି ମାଧ୍ୟମରେ ନିର୍ବାଚନ ପାଇଁ ଆହ୍ୱାନ କରିଛନ୍ତି ସରକାର। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କ ଶେଷ ପଦକ୍ଷେପ ବୋଲି କୁହାଯାଉଛି। ଏହାପରେ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ସୋମବାର ସର୍ବଦଳୀୟ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଅନୁମାନ କରାଯାଉଛି।
ଓଡ଼ିଶା ହାଇକୋର୍ଟ ଡିସେମ୍ବର ୨୨ତାରିଖ ରାୟରେ ଓଡ଼ିଶା ଗ୍ରାମ ପଂଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ ଅନୁସାରେ ଜାନୁୟାରୀ ୮ତାରିଖରେ ବିଜ୍ଞପ୍ତି ଜାରି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏକକାଳୀନ ୩ଟି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ ଓଡ଼ିଶା ଜିଲ୍ଲା ପରିଷଦ ଆକ୍ଟ-୧୯୯୧ର ଧାରା ୧୭ର ପ୍ରାବଧାନ ଅନୁସାରେ ସମସ୍ତ ଜିଲ୍ଲା ପରିଷଦରେ ସଭ୍ୟ ନିର୍ବାଚନ କରିବାକୁ ସମ୍ମତି ଦେଇଛନ୍ତି । ସେହିପରି ଓଡ଼ିଶା ପଂଚାୟତ ସମିତି ଆକ୍ଟ-୧୯୫୯ ଓ ଓଡ଼ିଶା ପଂଚାୟତ ସମିତି ନିର୍ବାଚନ ରୁଲସ-୧୯୯୧ର ରୁଲ-୪(୧) ପ୍ରାବଧାନ ଅନୁସାରେ ସମସ୍ତ ପଂଚାୟତ ସମିତିରେ ସଭ୍ୟ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି ।
ରାଜ୍ୟ ସରକାର କେବଳ ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଢ଼ିଙ୍କିଆ ଗ୍ରାମ ପଂଚାୟତକୁ ଛାଡ଼ି ରାଜ୍ୟର ଅନ୍ୟ ସମସ୍ତ ପଂଚାୟତରେ ୱାର୍ଡ ସଭ୍ୟ ଓ ସରପଂଚ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ପଂଚାୟତିରାଜ ବିଭାଗ ପକ୍ଷରୁ ଆଜି ଏହି ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ପଂଚାୟତ ନିର୍ବାଚନ ସ୍ଥଗିତ ରହିପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଏହି ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଖୁବଶୀଘ୍ର ତାରିଖ ଘୋଷଣା କରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।
ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନର ଆଜି ରାଜ୍ୟର ମୁଖ୍ୟ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ସ୍ୱାସ୍ଥ୍ୟ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ । ଆସନ୍ତା ୧୦ତାରିଖରେ ସର୍ବଦଳୀୟ ବୈଠକ ଓ ୧୨ତାରିଖରେ ଜିଲ୍ଲାପାଳ ଓ ଏସପିଙ୍କ ବୈଠକ ରାଜ୍ୟ ନିର୍ବାଚନ କମିଶନର ଡାକିଛନ୍ତି । ଆଜିର ବୈଠକ ପରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେଉଥିବା ନେଇ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସ୍ପଷ୍ଟ ସଙ୍କେତ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ରାଜ୍ୟର ମୋଟ ୯୧,୯୧୩ଟି ୱାର୍ଡ ମେମ୍ବର, ୬୭୯୪ଟି ପଂଚାୟତର ସରପଂଚ, ୬୭୯୧ଟି ପଂଚାୟତ ସମିତି ସଭ୍ୟ ଓ ୮୫୩ଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ଗ୍ରାମାଂଚଳର ୨.୬୨ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)