• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଡ଼କ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ଅଭିନବ ପ୍ରୟାସ । ରାତି ଅନିଦ୍ରା ହେଉଥିବା ଟ୍ରକ୍ ଚାଳକଙ୍କୁ ଚା' ପରଷିବେ ରାସ୍ତାକଡ଼ରେ ଥିବା ଢାବା ଓ ହୋଟେଲ । ଏନେଇ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।

କେବଳ ଚା’ ନୁହେଁ ବରଂ ନିଦ ଛଡାଇବା ଏବଂ ବିଶ୍ରାମ ପାଇଁ ସେହି ହୋଟେଲ ଓ ଢାବାରେ ଆଶ୍ରୟ ନେଇପାରିବେ ଡ୍ରାଇଭର । କାରଣ ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ । ଏଥିପାଇଁ ଜିଲ୍ଲା ସ୍ତରରେ ହୋଟେଲ ଓ ଢାବା ଚିହ୍ନଟ ହେବ । ଚା’ ବାବଦକୁ ଖର୍ଚ୍ଚ ସରକାର ବହନ କରିବେ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି ।

ସେପଟେ ରାଜ୍ୟରେ ବଢ଼ୁଛି ସଡ଼କ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି ଓଡ଼ିଶା । ଏପରି ଏକ ତଥ୍ୟ ଚଳିତ ବର୍ଷ ବିଧାନସଭାର ଶୀତ ଅଧିବେଶନରେ ଉପସ୍ଥାପନା କରାଯାଇଥିଲା । ରାଜ୍ୟରେ ସଡ଼କ ଦୁର୍ଘଟଣା ମାମଲା ବଢିଥିବା ନେଇ ବିଧାନସଭାରେ ଉତ୍ତର ରଖିଥିଲେ ଖୋଦ୍‌ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ୨୦୨୨ରେ ଦୁର୍ଘଟଣାରେ ୫ ହଜାର ୪୬୭ଜଣଙ୍କ ଜୀବନ ଯାଇଛି ।

ସେହିପରି ରାଜ୍ୟରେ ୧୧ ହଜାର ୬୬୩ଟି ଦୁର୍ଘଟଣା ହୋଇଥିବାବେଳେ ୧୦ ହଜାର ୧୦୩ଜଣ ଆହତ ହୋଇଛନ୍ତି । ଖାଲି ଏତିକି ଯେ ତାହାନୁହେଁ, ଗତ ୫ ବର୍ଷରେ ରାଜ୍ୟରେ ୫୪ ହଜାର ୭୯୦ ସଡକ ଦୁର୍ଘଟଣା ହୋଇଛି ବୋଲି ଗୃହରେ ବିବୃତି ରଖିଥିଲେ ମନ୍ତ୍ରୀ ।

ଗତ ୫ ବର୍ଷରେ ୨୫ ହଜାର ୯୩୪ ଜଣଙ୍କ ଜୀବନ ଯାଇଛି । ୫୧ ହଜାର ୮୭୩ ଜଣ ଆହତ ହୋଇଛନ୍ତି । ରାଜ୍ୟ ସରକାର ସଡକ ସଚେତନତା ବାବଦରେ ୫ ବର୍ଷରେ ୭୯ କୋଟି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ମନ୍ତ୍ରୀ ଏବାବଦରେ ଲିଖିତ ଉତ୍ତର ରଖିଥିଲେ ।

ତେଣୁ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ୁଥିବାରୁ ସରକାର ଏପରି ଏକ ଅଭିନବ ପ୍ରୟାସ କରିଛନ୍ତି । ଦୁର୍ଘଟଣାରୁ ବର୍ତ୍ତିବା ଲାଗି ଟ୍ରକ୍ ଚାଳକଙ୍କ ପାଇଁ ଚା'ର ବ୍ୟବସ୍ଥା କରାଯିବାକୁ କୁହାଯାଇଛି । ତାହା ସହ ନିଦ ଛଡାଇବା ଏବଂ ବିଶ୍ରାମ ପାଇଁ ସେହି ହୋଟେଲ ଓ ଢାବାରେ ଆଶ୍ରୟ ନେଇପାରିବେ ଡ୍ରାଇଭର ।

  • Reported by:
  • JAGANATH SAHU