• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିର୍ବାଚନୀ ବର୍ଷରେ ହରଡ଼ଘଣାରେ ରାଜ୍ୟ ସରକାର । ନିର୍ବାଚିତ ପ୍ରତିନିଧିଙ୍କଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ଯାଏଁ.. ଅଙ୍ଗନବାଡି ଦିଦିଙ୍କଠାରୁ ଶିକ୍ଷକ, ଅଧ୍ୟାପକ ପର୍ଯ୍ୟନ୍ତ, ପଞ୍ଚାୟତର ସରପଞ୍ଚଙ୍କଠାରୁ ସମିତି ସଭ୍ୟ ଯାଏଁ । ସବୁଠି ଆନ୍ଦୋଳନ, ଧାରଣା ଓ ପ୍ରତିବାଦ । କାହାର ଲଢେଇ ମୌଳିକ ଅଧିକାର ପାଇଁ ତ କାହାର ଲଢେଇ ସେମାନଙ୍କ କ୍ଷମତା ସଙ୍କୁଚିତ କରାଯିବା ପ୍ରତିବାଦରେ । ଏସବୁ ଭିତରେ ସରକାର କିନ୍ତୁ ନିଦାବିଷ୍ଣୁ, ଯାହାକୁ ନେଇ ବଢୁଛି ଅସନ୍ତୋଷ ।

୨୩ ବର୍ଷର ଲମ୍ୱା ଶାସନ ବିରୋଧରେ ତେଜୁଛି ଅସନ୍ତୋଷ । ଅଧିକାର ପାଇବାକୁ ବଢୁଛି ଆନ୍ଦୋଳନ । ନିର୍ବାଚନୀ ବର୍ଷରେ ବିଜେଡି ପାଇଁ ଶୁଣ ସରକାରର ଆହ୍ୱାନ । ଲମ୍ୱା ସମୟ ଧରି ଦାବି ପୂରଣ ନହେବାରୁ ଏବେ ଏ ଲଢେଇ ଅଧିକାରଠୁ ଅଧିକା ଅଭିମାନର । ଯାହାକୁ ନେଇ ନିର୍ବାଚନୀ ବର୍ଷରେ ଅଡୁଆରେ ସରକାର । ଅଙ୍ଗନବାଡି ଦିଦି, ଶିକ୍ଷକ, ଅଧ୍ୟାପକ, ସମିତି ସଭ୍ୟ, ସରପଞ୍ଚ । ତଳସ୍ତରରୁ ଏସବୁ ଅନ୍ଦୋଳନ ଏବେ ସରକାରଙ୍କ ପାଇଁ ତଣ୍ଟିରେ କଣ୍ଟା ହୋଇଛି । ୧୨ ଦିନ ହେଲା ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ସ୍କୁଲରେ ତାଲା, ପାଠପଢା ଠପ୍ । ଦାବି ପୂରଣ ବଦଳରେ ଏବେ ସରକାର ଡିଭାଇଡ୍ ଆଣ୍ଡ ରୁଲ୍ ରେ ଶିକ୍ଷକ ସଂଘକୁ ଭାଙ୍ଗି ଭାଗ ଭାଗ କରି ମନାଇବାରେ ଲାଗିଛନ୍ତି । କିଛି ସଂଘ ମାନିଥିବା ବେଳେ ଏବେ ବି ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ଜିଦରେ ଅଟଳ ରହିଛି ।

ସେପଟେ ୨୨୪ ଦିନ ହେଲା ଧାରଣାରେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ସମାନ କାମକୁ ସମାନ ଦରମା ଦାବି ନେଇ ସରକାର କିନ୍ତୁ ସମାଧାନକୁ ଆସୁନଥିବାରୁ ଆସନ୍ତାକାଲି ସବୁ କଲେଜରେ ତାଲା ଦେଇ ରାଜଧାନୀରେ ମହାସମାବେଶ କରିବେ ଅଧ୍ୟାପକମାନେ । ଖାଲି ଶିକ୍ଷକ କି ଅଧ୍ୟାପକ ନୁହଁନ୍ତି, ଗଣତନ୍ତ୍ରର ମୂଳଦୁଆ ପଞ୍ଚାୟତ ପ୍ରତିନିଧି ବି ରାଜରାସ୍ତାରେ । ସରପଞ୍ଚ ଆଉ ସମିତିସଭ୍ୟ । ଖାଲି ବିରୋଧୀ ନୁହଁ ଶାସକ ଦଳ ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି ବି ସରକାରଙ୍କ ବିରୋଧରେ ହଲ୍ଲାବୋଲ ଡାକରା ଦେଇଛନ୍ତି ।

ଏମିତି କି ଜନ ପ୍ରିତିନିଧିମାନଙ୍କୁ କ୍ଷମତାହୀନ କରି କେବଳ ରବର୍ ଷ୍ଟାମ୍ପ ଭଳି ବ୍ୟବହାର କରାଯାଇଥିବା ଅଭିଯୋଗ ଆଣିଛନ୍ତି ସରପଞ୍ଚମାନେ । ଅନ୍ୟପଟେ ସମାନ ଢଙ୍ଗରେ କ୍ଷମତା ଏବଂ ଭତ୍ତା ବୃଦ୍ଧି ପାଇଁ ସରକାରଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି ସମିତି ସଭ୍ୟ । ଏସବୁ ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ସରକାରଙ୍କୁ ଘେରିବେ ବୋଲି ବିରୋଧୀ କହୁଥିବା ବେଳେ ବିଜେଡି କହିଛି ସମସ୍ତଙ୍କ ଦାବିର ସମାଧାନ ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଆଲୋଚନା କରୁଛି । ସମସ୍ୟାର ସମାଧାନ ନହଲେ ଆସନ୍ତା ନିର୍ବାଚନରେ ଏସବୁ ଆନ୍ଦୋଳନ ବିଜେଡି ପାଇଁ ମହଙ୍ଗା ହୋଇପାରେ ।

  • Reported by:
  • HARIHARA CHAND , SOUMYA RANJAN SAHOO