• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହୀରାକୁଦ ଡ୍ୟାମ୍ ର ୨୬ଟି ଗେଟ୍ ଖୋଲିବା ପରେ ମହାନଦୀ ଅବବାହିକାର ତଳି ଅଞ୍ଚଳରେ ଘାରିଲା ବନ୍ୟା ଆଶଙ୍କା । ସମ୍ବଲପୁରରୁ ସୋନପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ, ବୌଦ୍ଧ ଜିଲ୍ଲାର ପ୍ରାୟ ୪୦ଟି ଗାଁ ପାଣି ଘେରରେ ରହିଛି । ଏଣେ କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କୀରେ ବି ଚିନ୍ତା ବଢ଼ାଇଛି ବନ୍ୟା ଜଳ । ତେବେ ଆଗକୁ ହୀରାକୁଦର ଆଉ ଅଧିକ ଗେଟ୍ ଖୋଲିବନି ଏବଂ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

କେଉଁଠି ଜଳମଗ୍ନ ଗାଁଗଣ୍ଡା ଓ ଚାଷଜମି... ତ ଆଉ କେଉଁଠି ମୁଖ୍ୟ ସଡ଼କ ଉପରେ ପ୍ରଖର ସୁଅ। ହୀରାକୁଦ ଡ୍ୟାମର ୨୬ଟି ଗେଟ୍ ଖୋଲିବା ପରେ, ସମ୍ବଲପୁର ଓ ବୌଦ୍ଧରୁ ଆରମ୍ଭ କରି କଟକର ଆଠଗଡ଼ ଓ ବାଙ୍କୀ ଯାଏଁ ବନ୍ୟା ଆଶଙ୍କାରେ ଛାନିଆ ତଳି ଅଞ୍ଚଳ ବାସିନ୍ଦା । ଗତକାଲି ହୀରାକୁଦର ୨୨ଟି ଗେଟ୍ ଖୋଲାଯାଇଥିଲା । ଆଜି ଆଉ ୪ଟି ଗେଟ୍ ଖୋଲିଛି । ଯଦିଓ ଆଗକୁ ଆଉ ଅଧିକ ଗେଟ୍ ଖୋଲିବନି ବୋଲି ମୁଖ୍ୟଯନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି, ତଥାପି ଏବେଠୁ ଅନେକ ଅଞ୍ଚଳରେ ବନ୍ୟାଜଳ ଲୋକଙ୍କୁ ହନ୍ତସନ୍ତ କରିବା ଆରମ୍ଭ କରିସାରିଲାଣି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସ୍ଥିତି । ଜଗନ୍ନାଥସଡ଼କ ବାଲଟ ନାଳ ଉପରେ ୫ ଫୁଟର ପାଣି ।

ହରଭଙ୍ଗା-ଖଣ୍ଡିଧଳପୁର-ରାମଗଡ଼-ହାଟଗାଁ ବି ଜଳାର୍ଣ୍ଣବ। ହରଭଙ୍ଗା ବ୍ଲକ ସହ ଜଗନ୍ନାଥସଡ଼କକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ, ଏଠାକାର ୧୦ଟି ପଞ୍ଚାୟତର ୪୦ଟି ଗାଁ ପାଣି ଘେରରେ ରହିଛି । ସେପଟେ ସମ୍ବଲପୁର ମାଳତିଗୁଣ୍ଡେରପୁର ପୋଲ ଉପରେ ବି ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସମ୍ବଲପୁର-ସୋନପୁର ଯାତାୟାତ ଠପ୍ ହୋଇଯାଇଛି । ବିକଳ୍ପ ରାସ୍ତା ମାନେଶ୍ୱର ଦେଇ ଯିବାଆସିବା କରୁଛନ୍ତି ଲୋକେ ।

ମହାନଦୀର ତଳମୁଣ୍ଡରେ କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କୀର ସ୍ଥିତି । ଆଠଗଡ଼ରେ ସାପୁଆ ନଦୀର ରମ୍ପା ବନ୍ଧ ଦେଇ ଘୁଘୁ ହୋଇ ପଶୁଛି ବନ୍ୟାଜଳ । ଗତ ବନ୍ୟାରେ ସୃଷ୍ଟି ହୋଇଥିବା ୬୦ ଫୁଟର ଘାଇ ମରାମତି ହୋଇନଥିବାରୁ ଜଳମଗ୍ନ ଶହ ଶହ ଏକର ଚାଷ ଜମି । ପୁରୁଣା କଟକ-ସମ୍ବଲପୁର ରାସ୍ତାର ଘଣ୍ଟିଖାଲ ନିକଟରେ ଗମନାଗମନ ବନ୍ଦ ରହିଛି । ଘାଇ ମରାମତି ପାଇଁ ବାଲି ବସ୍ତା ଓ ବାଉଁଶ ଆଦି ଦୀର୍ଘଦିନ ଧରି ପଡ଼ିରହିଥିଲେ ବି, ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏଣେ ବାଙ୍କୀ ହୁଳୁହୁଳା ପୋଲ ଓ ଶିମିଳିପୁର-ବିଲିପଡ଼ା ରାସ୍ତା କଇଁଆନାଳରେ ବି ବନ୍ୟା ପାଣି । ଏକପ୍ରକାର ଜଳବନ୍ଦୀ ଅବସ୍ଥାରେ ବାଙ୍କୀ ଓ ତିଗିରିଆର ବହୁ ପଞ୍ଚାୟତ ।

ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ତଳି ଅଞ୍ଚଳରେ ପାଣି ପଶିଥିଲେ ବି, ରାଜ୍ୟରେ ବନ୍ୟା ସ୍ଥିତି ନଥିବା କହିଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ସୂଚନା ଦେଇଛନ୍ତି ଯେ, ଛତିଶଗଡ଼ ସହିତ ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ମୁଣ୍ଡଳୀ ଦେଇ ବହୁଛି ୭ ଲକ୍ଷ କ୍ୟୁସେକ୍ ଜଳ । ଆଉ ୨ରୁ ୩ ଦିନ ଏଭଳି ସ୍ଥିତି ରହିବ ।

କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବି ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଛି । ମନ୍ଦିର ଗର୍ଭଗୃହ ଭିତରେ ୧ ଫୁଟ୍ ବନ୍ୟାଜଳ ଜମା ହେବା ପରେ, ଗତ ରାତି ପ୍ରାୟ ୨ଟା ବେଳେ ଦେବୀଙ୍କ ଚଳନ୍ତି ପ୍ରତିମାକୁ ରତ୍ନଗିରି ପାହାଡ଼ରେ ଥିବା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛନ୍ତି ସେବାକାରୀ ।