• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଘୁଞ୍ଚି ଘୁଞ୍ଚି ଯାଉଛି ପରିବହନ ବିଭାଗର VLTD ଓ ପାନିକ୍ ବଟନ୍ ବ୍ୟବସ୍ଥା । ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଥରେ ନୁହେଁ, ଦୁଇ ଦୁଇ ଥର ନିଷ୍ପତ୍ତି ଘୁଞ୍ଚାଇ ସାରିଲାଣି ବିଭାଗ । ଭିତ୍ତିଭୂମିର ଦ୍ୱାହି ଦେଇ ଟାଳିଚାଲିଛି ପରିବହନ । ଏବେ ପୁଣି ଥରେ କହୁଛନ୍ତି, ଅକ୍ଟୋବର ସୁଦ୍ଧା କାର୍ଯ୍ୟକାରୀ ହେବ ଟ୍ରାକିଂ ଡିଭାଇସ୍ ବ୍ୟବସ୍ଥା ।

ରାଜ୍ୟରେ କେବେ ଯାତ୍ରୀଙ୍କୁ ମିଳିବ ସୁରକ୍ଷିତ ଯାତ୍ରାର ଆଶ୍ୱାସନା ? ବାସ୍ତବ ରୂପ ନେବ ତ’ ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍ ବା VLTD ଓ ପାନିକ୍ ବଟନ ବାଧ୍ୟତାମୂଳକ ବ୍ୟବସ୍ଥା ? ନା ଏହା ପରିବହନ ବିଭାଗର ଭେଳିକି ? କାରଣ VLTD ବ୍ୟବସ୍ଥା କାର୍ଯ୍ୟକାରୀ ନିଷ୍ପତ୍ତି ଦୁଇ ଦୁଇ ଥର ଘୁଞ୍ଚିଲାଣି । ଭିତ୍ତିଭୂମି ଅଭାବ କଥା କହି ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଯାତ୍ରୀ ସୁରକ୍ଷା ନେଇ ତିଥି ଗଡ଼ାଇ ଚାଲିଛି ପରିବହନ ବିଭାଗ । ୨୦୨୩ ଏପ୍ରିଲରୁ ରାଜ୍ୟରେ ସବୁ ଯାତ୍ରୀବାହୀ ଗାଡ଼ିରେ VLTD ଓ ପାନିକ୍ ବଟନ୍ ବାଧ୍ୟତାମୂଳକ କରିବାକୁ ଗତ ବର୍ଷ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରିଥିଲା ପରିବହନ ବିଭାଗ ।

ଏହାପରେ ଭିତ୍ତିଭୂମି ଅଭାବ ବାହାନା ଦେଖାଇ ଏ ଅବଧିକୁ ଜୁନ୍ ୩୦ ଯାଏଁ ସମ୍ପ୍ରସାରଣ କରାଯାଇଥିଲା । ଏବେ ରାଜ୍ୟ ପରିବହନ ପ୍ରାଧିକରଣ କହୁଛି, VLTD ଓ ପାନିକ୍ ବଟନ୍ କାର୍ଯ୍ୟକାରୀ ପାଇଁ ଭିତ୍ତିଭୂମି ପ୍ରସ୍ତୁତି କରିବାକୁ ବିଏସ୍ଏନ୍ଏଲକୁ ଦାୟିତ୍ୱ ଦିଆଯାଇଛି । ୨ ମାସ ମଧ୍ୟରେ ଭିତ୍ତିଭୂମି କାମ ସାରିବାକୁ ପ୍ରତିଶ୍ରୁତି ଦେଇଛି ବିଏସ୍ଏନ୍ଏଲ୍ । ଭିତ୍ତିଭୂମି କାମ ସରିବା ପରେ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବରରୁ ରାଜ୍ୟରେ କାର୍ଯ୍ୟକାରୀ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ବ୍ୟବସ୍ଥା ।

କ’ଣ ଏ VLTD ଓ ପାନିକ୍ ବଟନ୍ ? ଏହା କିଭଳି କାମ କରିବ ? କ’ଣ ସବୁ ଫାଇଦା ମିଳିବ ? ଟ୍ରାକିଂ ଡିଭାଇସ୍ ବିଶେଷଜ୍ଞଙ୍କ ମତରେ, VLTD ହେଉଛି ଜିପିଆରଏସ୍ ଆଧାରିତ ଏକ ଡିଭାଇସ୍ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ, ରାଜ୍ୟର ସବୁ ଯାତ୍ରୀବାହୀ ଗାଡ଼ିର ଗତିବିଧି ଟ୍ରାକ୍ କରାଯାଇପାରିବ । ଗାଡ଼ି କେଉଁ ରୁଟ୍ରେ ଯାଉଛି, କେତେ ବେଗରେ ଗତି କରୁଛି ? ପରମିଟ୍ ଅଛି ନା ନାହିଁ ? ସବୁକିଛି ଟ୍ରାକ୍ ହୋଇପାରିବ। ଏମିତିକି ଅସୁବିଧାରେ ପଡ଼ି ଯାତ୍ରୀ ପାନିକ୍ ବଟନ୍ ଦବାଇଲେ, ଗାଡ଼ିର ସବିଶେଷ ତଥ୍ୟ ନିକଟସ୍ଥ ପୋଲିସ୍ ଷ୍ଟେସନ, ଆରଟିଓ ଅଫିସ ଓ ଗାଡ଼ି ମାଲିକଙ୍କ ପାଖକୁ ସୂଚନା ଯିବ ।

ଏପଟେ ଗାଡ଼ି ମାଲିକଙ୍କ କହିବା କଥା, ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଭଳି ଭେଇକିଲ ଲୋକେସନ ଟ୍ରାକିଂ ଡିଭାଇସ୍ କେବଳ ଏକ ଫାର୍ସ, ରାଜସ୍ବ ଆଦାୟର ନୂଆ ଫଣ୍ଡା । ଅନ୍ୟପକ୍ଷରେ ସଡ଼କ ସୁରକ୍ଷା ବିଶେଷଜ୍ଞ କହିଛନ୍ତି, VLTD ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ରାଜ୍ୟରେ ଏ ଯାଏଁ ଭିତ୍ତିଭୂମି ନାହିଁ । ଏହାଛଡ଼ା ଗାଡ଼ି ମାଲିକମାନେ କେଉଁ କମ୍ପାନିର VLTD ଲଗାଇବେ, ଏହା ଉପରେ କମ୍ପାନି କେତେଦିନର ଗ୍ୟାରେଣ୍ଟି ଦେବ, ସେନେଇ ବି କୌଣସି ସ୍ପଷ୍ଟତା ଆସିନି ।

 

  • Reported by:
  • GAUTAM PANDA , KAPILENDRA PRADHAN