• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିୟୁ ଇଅର୍ ପାର୍ଟି ହେବ, ଆଉ ନିଶାପାଣି ଟିକେ ହେବନି ? ଏଇଆ ଭାବି ଭାବି ଖୁସିରେ ଖୁସିରେ ସାରା ଓଡ଼ିଶା ନୂଆବର୍ଷ ବେଳେ କେତେ ମଦ ପିଇଛି ଜାଣିଛନ୍ତି ? ଶୁଣିଲେ ହୁଏତ ଆପଣଙ୍କୁ ବିଶ୍ୱାସ ହେବନି । ଡିସେମ୍ବର ୩୧ ଛୁଟିଦିନ ଥିବାରୁ ୩୦ ତାରିଖରେ ଓଡ଼ିଶା ରାଜ୍ୟ ପାନୀୟ ନିଗମ ବିକିଛି ୧୧ ଲକ୍ଷ ଲିଟର ମଦ, ଆୟ କରିଛି ୬୦ କୋଟିରୁ ଅଧିକ ଟଙ୍କ । କଣ ଚମକି ପଡ଼ିଲେ କି ? ତେବେ ଜାଣିନିଅନ୍ତୁ...

ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା ! ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା ! ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ! ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା ! ନୂଆବର୍ଷକୁ ଖାଲି ନାଚଗୀତ ମଉଜ-ମଜଲିସରେ ନୁହେଁ, ବରଂ ତଥ୍ୟ କହୁଛି ନିଶାରେ ନିଶାରେ ସ୍ୱାଗତ କରିଥିଲା ସାରା ରାଜ୍ୟ । ଖୁସିରେ ଖୁସିରେ ଢୋକି ଦେଇଥିଲା ଲକ୍ଷ ଲକ୍ଷ ଲିଟର ମଦ । ମଦ ବ୍ୟବସାୟୀଙ୍କର ବି କଚେ ପୁଅ ବାର । ଓଡ଼ିଶା ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ-OSBCର ସୂଚନା ଅନୁସାରେ, ଡିସେମ୍ବର ୩୦ରେ ଏହାର ୯ଟି ସରକାରୀ ଡିପୋରୁ ଉଠିଥିଲା ୧୧ ଲକ୍ଷ ଲିଟର ମଦ ।

ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା। ୩୧ ତାରିଖ ରବିବାର ସବୁ ଡିପୋ ବନ୍ଦ ରହିବାକୁ ଥିବାରୁ, ୩୦ରୁ ହିଁ ଏହି ବିପୁଳ ପରିମାଣର ମଦ କିଣିନେଇଥିଲେ ରାଜ୍ୟର ପ୍ରାୟ ୨ ହଜାର ରିଟେଲ ଆଉଟଲେଟ । ଦୈନିକ ହାରାହାରି ୨୦ କୋଟି ଟଙ୍କାର ମଦ ବିକ୍ରି କରୁଥିବା OSBCର ବ୍ୟବସାୟ ଅଚାନକ ୩ ଗୁଣ ବଢ଼ିଯାଇଥିଲା । ତେବେ ବାସ୍ତବ ମଦବିକ୍ରି ପରିମାଣ ସରକାରୀ ତଥ୍ୟ ଠାରୁ ଢେର୍ ଅଧିକ ବୋଲି କହିଛନ୍ତି ନିଶା ନିବାରଣ ଅଭିଯାନ ସଦସ୍ୟ ।

ନୂଆବର୍ଷ ବେଳେ ଓଡ଼ିଶାରେ ଦେଶୀଠୁ ବିଦେଶୀ ଓ IMFL ବା ଭାରତରେ ତିଆରି ବିଦେଶୀ ମଦର ବିକ୍ରି ଅଧିକ ରହିଛି । ଡିସେମ୍ବର ୩୦ରେ ବିକ୍ରି ହୋଇଥିବା ୬୦ କୋଟି ୭୩ ଲକ୍ଷ ଟଙ୍କାର ମଦରୁ ୫୦ କୋଟି ୮୪ ଲକ୍ଷ ଟଙ୍କା କେବଳ ବିଦେଶୀ ଓ IMFLରୁ ଆସିଛି । ବିଅର୍ ୮ କୋଟି ୪ ଲକ୍ଷ ଟଙ୍କା ଓ ଦେଶୀମଦ ୧ କୋଟି ୮୩ ଲକ୍ଷ ଟଙ୍କାର ବିକ୍ରି ହୋଇଛି । ବିଦେଶୀ ମଦ ବିକ୍ରି କ୍ଷେତ୍ରରେ ରାଜଧାନୀକୁ ବି ପଛରେ ପକାଇ ଦେଇଛି କଟକ। ଭୁବନେଶ୍ୱରରେ ୬୩ ହଜାର ୮୯୮ ଲିଟର ଫରେନ୍ ଲିକର ବିକ୍ରି ହୋଇଥିବା ବେଳେ, କଟକିଆ ପିଇଛନ୍ତି ୬୮ ହଜାର ୫୯୧ ଲିଟର ।

ଇଏ ତ ଗଲା ନୂଆବର୍ଷ ବେଳର କଥା । ତେବେ ବର୍ଷ ତମାମର ତଥ୍ୟକୁ ଦେଖିଲେ, ମଦ୍ୟପାନ କ୍ଷେତ୍ରରେ ଜାତୀୟ ହାରକୁ ଟପିଯାଇଛି ଓଡ଼ିଶାବାସୀଙ୍କ ମଦ ନିଶା । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ର ତଥ୍ୟ କହୁଛି, ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧୮.୮ ପ୍ରତିଶତ ପୁରୁଷ ମଦ୍ୟପାନ କରନ୍ତି । ଓଡ଼ିଶାରେ କିନ୍ତୁ ଏହି ହାର ରହିଛି ୨୮.୮ ପ୍ରତିଶତ । ସେହିଭଳି ଜାତୀୟ ସ୍ତରରେ ମଦ୍ୟପାନ କରୁଥିବା ମହିଳାଙ୍କ ହାର ୧.୩ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ଏହି ହାର ୪.୩ ପ୍ରତିଶତ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଲୋକ ମଦ୍ୟପାନ କରୁଥିବା ଦେଖାଯାଉଛି ।

ବ୍ରହ୍ମପୁରରୁ ଅଶୋକ ବ୍ରହ୍ମାଙ୍କ ସହିତ ଭୁବନେଶ୍ବରରୁ ଲକ୍ଷ୍ମୀନାରାୟଣ କାନୁନଗୋଙ୍କ ରିପୋର୍ଟ, ଓଟିଭି..  

  • Reported by:
  • ASHOK BRAHMA