• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ । ନିଜକୁ ଅସହାୟ ଦର୍ଶାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପା ଡାକ୍ତର ଜର୍ଜ ପଟ୍ଟନାୟକଙ୍କ ପୁଅ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁତୁରା ଦିଲ୍ଲୀପ ପଟ୍ଟନାୟକ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି । ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ଓ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନିଜକୁ ସାମିଲ କରିବାକୁ ସେ ଆବେଦନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନାର ଦରଖାସ୍ତରେ ନିଜକୁ ଅସହାୟ ବୃଦ୍ଧ ଦର୍ଶାଇ ବାର୍ଦ୍ଧକ୍ୟ ଭତ୍ତା ଦେବାକୁ ନିବେଦନ କରିଛନ୍ତି । କଟକ ବିଜୁ ପଟ୍ଟନାୟକ ଛକରେ ଥିବା ଆନନ୍ଦ ଭବନରେ ରହୁଥିବା ନବୀନ ପଟ୍ଟନାୟକ ଭାଇ ଦିଲ୍ଲୀପ ପଟ୍ଟନାୟକଙ୍କ ଏଭଳି ପଦକ୍ଷେପ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

ସେପଟେ ପରିଣତ ବୟସରେ ନିଜର ଅସହାୟତାକୁ ନେଇ କହିବାବେଳେ କଣ୍ଠ ବାସ୍ପରୁଦ୍ଧ ହୋଇଯାଉଛି । ଭାତୃତ୍ୱର ସଂପର୍କକୁ ବଖାଣିବାବେଳେ ମନରେ କ୍ଷୋଭ ଆସିଯାଉଛି । ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ପଡ଼ିରହିବା ପରଠୁ କେତେ ଯେ ଯନ୍ତ୍ରଣା ଭୋଗିବାକୁ ପଡୁଛି ସ୍ୱର୍ଗତ ବିଜୁ ବାବୁଙ୍କ ପୁତୁରା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ବାପାଙ୍କ ପୁଅ ଦିଲ୍ଲୀପ ପଟ୍ଟନାୟକଙ୍କୁ, ମୁହଁର ଭାବଭଙ୍ଗୀ ହିଁ ବଖାଣୁଛି ।

ଖାଲି ସେତିକି ନୁହେଁ, ଦିଲ୍ଲୀପଙ୍କ ଭଉଣୀ ରେଖା ବି ଆଜି ବୟସର ଅପରାହ୍ଣରେ ପହଞ୍ଚିଛନ୍ତି । ସ୍ୱର୍ଗତ ବିଜୁ ବାବୁଙ୍କ ପୁତୁରା ତଥା ଜର୍ଜ ପଟ୍ଟନାୟକଙ୍କ ପୁଅ ଦିଲ୍ଲୀପ ଆଉ ଝିଅ ରେଖାଙ୍କ ଏଭଳି ଅବସ୍ଥାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସବୁଠି ଚର୍ଚ୍ଚା ଦେଖିବାକୁ ମିଳୁଛି । ଏନେଇ ପୂର୍ବରୁ ମଧ୍ୟ ଖବର ପ୍ରକାଶ ପାଇଥିଲା । ଖବର ପାଇବା ପରେ ଆନନ୍ଦଭବନକୁ ଯାଇ ସାକ୍ଷାତ କରିଥିଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ । ତା’ସହ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ସ୍ଥାନୀୟ ବିଧାୟକ ଭାବେ ଆବଶ୍ୟକ ଚିକିତ୍ସା ସୁବିଧା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

  • Reported by:
  • Biswajit Acharya