Advertisment

ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା: ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ପ୍ରାୟ ୩୪ କୋଟିରୁ ଅଧିକ ଥିବା ଦର୍ଶାଯାଇଛି।

author-image
Chandan Shishu
Minister property details

Minister property details

ମୁଖ୍ୟମନ୍ତ୍ରୀ ସବୁଠୁ ଧନୀ। ସଂପତ୍ତି ତାଲିକାରେ ମନ୍ତ୍ରୀଙ୍କ ଭିତରେ ସବା ଶେଷରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁ। କେଉଁ ମନ୍ତ୍ରୀଙ୍କ ପାଖରେ କିଲେ ତ କାହା ପାଖରେ ଅଧକିଲୋ ସୁନା। ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରିବାର ପାଖରେ ତ ୬୫ଟି ବ୍ୟାବସାୟିକ ଓ ସୌଖିନ ଗା଼ଡ଼ି, ତା ସାଙ୍ଗକୁ ଏକାଧିକ ବନ୍ଧୁକ। ଡିସେମ୍ବର ୩୧, ୨୦୨୧ ସୁଦ୍ଧା ପ୍ରକାଶ ପାଇଥିବା ସମ୍ପତି ତାଲିକାରୁ ସାମ୍ନାକୁ ଆସିଛି ଏସବୁ ତଥ୍ୟ। ବଢିଥବା ମନ୍ତ୍ରୀଙ୍କ ସଂପତ୍ତି ତାଲିକାକୁ ନେଇ ବିରୋଧୀ ତ କଡା ସମାଲୋଚନା କରିଛନ୍ତି। ତେବେ ସରକାରଙ୍କ ନିୟମ ଅନୁସାରେ ସବୁ ଜନପ୍ରତିନିଧି ତାଲିକା ଦାଖଲ କରିଛନ୍ତି କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।

Advertisment

କେଉଁ ମନ୍ତ୍ରୀ କେତେ ଧନୀ ? କାହା ପାଖରେ କେତେ ସୁନା, ଜମି, ଗାଡ଼ି, ବନ୍ଧୁକ ? ସାମ୍ନାକୁ ଆସିଲା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ସିଏମ୍ଓ Websiteରେ ସାର୍ବଜନୀନ ହୋଇଥିବା ତଥ୍ୟରେ ଦର୍ଶାଯାଇଛି ଯେ- ମୁଖ୍ୟମନ୍ତ୍ରୀଙ୍କ ମୋଟ ସଂପତ୍ତିର ପରିମାଣ ପ୍ରାୟ ୬୪ କୋଟି ୯୭ ଲକ୍ଷ ଟଙ୍କା। ଯେଉଁଥିରୁ ଦିଲ୍ଲୀ ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆରେ ୭୨ ଲକ୍ଷ ଓ ଭୁବନେଶ୍ୱର ଏସବିଆଇରେ ୨୧ ଲକ୍ଷ ୭୧ ହଜାର ଟଙ୍କା ରହିଛି। 

ସେହପରି ବ୍ୟାଙ୍କ ଅଫ ଇଣ୍ଡିଆରେ କୋଟିଏ ୧୧ ଲକ୍ଷ ଟଙ୍କାର ଫିକ୍ସଡ ଡିପୋଜିଟ୍ ସାଙ୍ଗକୁ ୯ କୋଟି ଟଙ୍କାର ଆରବିଆଇ ବଣ୍ଡ ଓ ପୋଷ୍ଟ ଅଫିସ୍‌ରେ କୋଟିଏ ଟଙ୍କାର ଟର୍ମ ଡିପୋଜିଟ୍ ବି ରହିଛି। ଏହାବାଦ୍ ୧୯୮୦ ମଡେଲର ଏକ ଆମ୍ବାସାଡର କାର୍ ଅଛି, ଯାହାର ବର୍ତ୍ତମାନର ବଜାର ମୂଲ୍ୟ ୬ ହଜାର ୪୩୪। ମୁଖ୍ୟମନ୍ତ୍ରୀ ଗତ ବର୍ଷ ୧ କୋଟି ୨୫ ଲକ୍ଷ ଟଙ୍କାର ଲାୟାବିଲିଟି ଦେଖାଇଥିଲେ, କିନ୍ତୁ ଏଥର ସେସବୁ କିଛି ନାହିଁ। ତେଣୁ ଫରିଦାବାଦରେ ଥିବା ସଂପତ୍ତିଟି ଏହା ଭିତରେ ବିକ୍ରି ହୋଇଥିବା କୁହାଯାଉଛି।

Advertisment

ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସଂପତ୍ତି ପ୍ରାୟ ୩୪ କୋଟିରୁ ଅଧିକ ଥିବା ଦର୍ଶାଯାଇଛି। ସେ ଭିତରୁ ପତ୍ନୀଙ୍କ ନାଁରେ ୬୫ ଟି ଗାଡ଼ି ଅଛି ଯାହା ଭିତରୁ ଅଧିକାଂଶ କମର୍ସିଆଲ୍। କେବଳ ୨୦୨୧ରେ ହିଁ ୧୮ଟି ଗାଡି କିଣାଯାଇଛି। ଏଥିସହ ନବଙ୍କ ପାଖରେ ଗୋଟିଏ ରିଭଲବର୍, ଗୋଟିଏ ଡବଲ ବ୍ୟାରେଲ୍ ଗନ୍ ଓ ଗୋଟିଏ ରାଇଫଲ୍ ମଧ୍ୟ ରହିଛି। ସେପଟେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରାୟ ୨ କୋଟି ୭୩ ଲକ୍ଷ, ରଣେନ୍ଦ୍ର ସ୍ବାଇଁ ୩ କୋଟି ୨୭ ଲକ୍ଷ, ପ୍ରମିଳା ମଲ୍ଲିକ ୪ କୋଟି ୫୬, ପ୍ରତାପ ଦେବ ୬କୋଟି ୨୮ ଲକ୍ଷ , ଜଗନ୍ନାଥ ସାରକା ୬୦ ଲକ୍ଷ ଟଙ୍କାର ସପତ୍ତି ଥିବା ଦର୍ଶାଯାଇଛି।

ସେହିପରି ପ୍ରଦୀପ ଅମାତ ୧ କୋଟି ୨୬ ଲକ୍ଷ, ଉଷା ଦେବୀ ୧ କୋଟି ୯୫ ଲକ୍ଷ, ଟୁକୁନି ସାହୁ ୪ କୋଟି, ଅଶୋକ ପଣ୍ଡା ୭ କୋଟି, ରାଜେନ୍ଦ୍ର ଢୋଲକିଆ ୧ କୋଟି ୩୪ ଲକ୍ଷ, ସମୀର ଦାଶ ୨ କୋଟି, ପ୍ରୀତିରଂଜନ ଘଡ଼େଇ ନିଜ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୧୧ କୋଟି ଦର୍ଶାଇଛନ୍ତି। ତେବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ପାଖରେ ସବୁଠୁ କମ୍ ୪୨ ଲକ୍ଷ ଟଙ୍କାର ସପତ୍ତି ଥିବା ଦର୍ଶାଯାଇଛି। ଅପରପକ୍ଷେ ଦାଖଲ ତଥ୍ୟରୁ ମନ୍ତ୍ରୀ ପ୍ରତାପ ଦେବ, ପ୍ରମିଳା ମଲ୍ଲିକ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କର ଅଧିକ ଜମିଜମା ଥିବା ଜଣାପଡ଼ିଛି। 

ମନ୍ତ୍ରୀଙ୍କ ପାଖରେ ଟଙ୍କା ଯେମିତି ସୁନା ବି ସେମିତି  ମନ୍ତ୍ରୀ ରୋହିତ ପୂଜାରୀ ତାଙ୍କ ପାଖରେ ୧୧୭୩ ଗ୍ରାମର ସୁନା ଥିବା ଦର୍ଶାଇଥିବା ବେଳେ ପ୍ରତାପ ଦେବ ୭୫୦ ଗ୍ରାମ୍, ନିରଜଂନ ପୂଜାରୀ ୬୨୦ଗ୍ରାମ, ଉଷାଦେବୀ ୨ଶହ ଗ୍ରାମ, ପ୍ରମିଳା ମଲ୍ଲିକଙ୍କ ପରିବାର ପାଖରେ ୫୦୦ଗ୍ରାମ, ରଣେନ୍ଦ୍ର ସ୍ବାଇଁ ପାଖରେ ୬୧୦ ଗ୍ରାମ ସୁନା, ଅତୁନ ସବ୍ୟସାଚୀ ନାୟକଙ୍କ ପାଖରେ ୭୨୫ ଗ୍ରାମ, ତୁଷାରକାନ୍ତିଙ୍କ ପାଖରେ ୭୨୫ ଗ୍ରାମ ସୁନା ଥିବା ଦର୍ଶାଯାଇଛିି।ଅପରପକ୍ଷେ ମନ୍ତ୍ରୀଙ୍କ ଏ ସଂପତ୍ତି ତାଲିକାକୁ ସମାଲୋଚନା କରିଛନ୍ତି ବିରୋଧୀ।  

କେବଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ନୁହଁନ୍ତି, ସମସ୍ତ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କୁ ପ୍ରତିବର୍ଷ ସଂପତ୍ତି ତାଲିକା ଦାଖଲର ନିୟମ ରହିଛି। ହେଲେ ସେମାନଙ୍କ ମଧ୍ୟରୁ ସମସ୍ତେ ସଂପତ୍ତି ତାଲିକା ପ୍ରଦର୍ଶନ କରିନଥିବା ଅଭିଯୋଗ ହେଉଛି। ତେଣୁ ଯେଉଁମାନେ ତାଲିକା ଦେଉନାହାନ୍ତି। ସେମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛି ତା ଉପରେ ନଜର।

(ଭୁବନେଶ୍ୱରରୁ ଜଗଦିଶ ଦାସଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ

Odisha CM Naveen Pattnaik
Advertisment
Advertisment