• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସଫଳତାର ଚାରି କାହାଣୀ । ପରୀକ୍ଷା ଆଉ ପରିସ୍ଥିତିର । କିଏ ବସ୍ତିର ପ୍ରତିକୂଳ ପରିସ୍ଥିତିରେ ଯୁକ୍ତ ଦୁଇରେ ସଫଳତା ପାଇଛି ତ ଆଉ କିଏ ଚଷା ବାପର ସମ୍ମାନକୁ ବଢାଇଛି । ଏମିତିକି ଦେହରେ ଦୁରାରୋଗ୍ୟ ବ୍ୟାଧିକୁ ନେଇ କ୍ୟାରିୟର ପ୍ରଥମ ବୋର୍ଡ ପରୀକ୍ଷା ଦେଇଛନ୍ତି । ଆଉ କୃତିତ୍ୱ ହାସଲ କରିଛନ୍ତି । ଯେଉଁଥିପାଇଁ ସେମାନଙ୍କ ପାଖକୁ ଛୁଟୁଛି ସଫଳତାର ଶ୍ରେୟ ।

ପଙ୍କରୁ ପଦ୍ମ, ବସ୍ତିର ବର୍ଷା । ଏକାଗ୍ରତା ଓ କଠିନ ପରିଶ୍ରମ ପାଇଁ ଚମକିଛନ୍ତି । ରାଜଧାନୀରେ ତାଙ୍କ ନାଁ ଏବେ ଚର୍ଚ୍ଚାରେ । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେ ୬୦୦ରୁ ୫୬୪ ନମ୍ୱର ରଖି ବିଜେବି କଲେଜ ଟପ୍ପର ହୋଇଛନ୍ତି । ଆଗକୁ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ବର୍ଷାରାଣୀ ସ୍ୱାଇଁ ଦିନକୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ଆଉ ପରିଶ୍ରମର ଫଳ ପାଇବା ପରେ ଏବେ କିଏ ମିଠାଇ ଖୁଆଇ ତ ଆଉ କିଏ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଉଛନ୍ତି ।

ନୟାପଲ୍ଲୀ ୱାର୍ଡ ନମ୍ୱର ୨୫ ଅନ୍ତର୍ଗତ ବେହେରା ବସ୍ତିର ଝିଅ ବର୍ଷାଙ୍କ ପାଇଁ ବସ୍ତିବାସିନ୍ଦା ଗର୍ବିତ । ବାପା ସନ୍ତୋଷ ସ୍ୱାଇଁ ଇନ୍ଦ୍ରଧନୁ ମାର୍କେଟରେ ଏକ ଇଲେକ୍ଟ୍ରୋନିକ୍ସ ମରାମତି ଦୋକାନ କରି ପରିବାର ଚଳାନ୍ତି । ଝିଅର ସଫଳତାରେ ବାପା ମା’ଙ୍କ ଖୁସି କହିଲେ ନସରେ।

ଆଉ ମୟୂରଭଞ୍ଜ ଟପ୍ପର ରୁଦ୍ର ନାରାୟଣ ଭୋଇ । ଜଣେ ଚାଷୀର ପୁଅ । ବାପାଙ୍କ ଅକ୍ଲାନ୍ତ ପରିଶ୍ରମକୁ ସଫଳ କରିଛନ୍ତି ରୁଦ୍ର । ଯୁକ୍ତ ଦୁଇ ବିଜ୍ଞାନରେ ସେ ରଖିଛନ୍ତି ୫୪୦ ନମ୍ୱର । ବାପା ମା’ଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି । ହେବାବି ସ୍ୱାଭାବିକ । କାରଣ କୁଟୁମ୍ୱରେ ପୁଅ ଭଳି କେହି ଏତେ ପାଠ ପଢିନାହାଁନ୍ତି ।

ଆଉ ଏ କାହାଣୀ ହେଲା ସାହସ, ଦମ୍ଭ ଆଉ ଧୈର୍ଯ୍ୟର । ଜୟପୁରର ଅଭିଷେକ ପଟ୍ଟନାୟକ ଓ ପି.ଅଚ୍ୟୁତ ରାଓ । ଏ ଦୁହେଁ ଟପ୍ପର ନୁହଁନ୍ତି । କିନ୍ତୁ ରୋଗ ସହ ଲଢି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଭିଷେକ ବ୍ରେନ୍ ମାଲେରିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ବ୍ରେନ ମାଲେରିଆର ତୀବ୍ରତା ଏତେ ଥିଲା ଯେ, ଯେତେ ପଢିଲେ କିଛି ମନେ ରୁହେନି । ତଥାପି ସାହସର ସହ ପରୀକ୍ଷା ଦେଇ ୫୮ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।

ଅନ୍ୟପଟେ ପି. ଅଚ୍ୟୁତ ରାଓ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ । ଲଢୁଛନ୍ତି ରୋଗ ଆଉ ଜୀବନ ସହ । ମନବଳ ଦୃଢ କରି କର୍କଟ ଭଳି ଦୁରାରୋଗ୍ୟ ବ୍ୟାଧିକୁ ହରାଇ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଥିଲେ । ଆଉ ୬୦ ପ୍ରତିଶତ ମାର୍କ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ପରିବାରରେ ଖୁସିର ଲହରି ।

 

  • Reported by:
  • T GOURISHANKAR , JAGDISH DAS , MANIK Lal PANI