• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ । ଆହୁରି ୬ ମାସ ନିଜ ପଦବୀରେ ରହିବେ ସୁରେଶ ମହାପାତ୍ର । ସୁରେଶଙ୍କ ଚାକିରି କାଳ ଆହୁରି ଛଅ ମାସ ବୃଦ୍ଧି ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ ମିଳିଛି ଅନୁମୋଦନ । ଏହି ଅନୁସାରେ ୨୦୨୩ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ତୁଲାଇବେ ସୁରେଶ ମହାପାତ୍ର ।

ପୂର୍ବରୁ ବି ସୁରେଶଙ୍କ କାର୍ଯ୍ୟକାଳ ୬ ମାସ ବଢ଼ିଥିଲା । ୨୦୨୨ ଫେବ୍ରୁଆରୀ ୨୮ରୁ ତାଙ୍କ କାର୍ଯ୍ୟକାଳ ସରିବାର ଥିଲା, ହେଲେ ସେତେବେଳେ ପ୍ରଥମ ଦଫାରେ ୬ ମାସ କାର୍ଯ୍ୟକାଳ ବଢ଼ାଇଥିଲେ ରାଜ୍ୟ ସରକାର । ଯାହାକି ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିଛି । ତାପରେ ପୁଣି ଦ୍ୱିତୀୟ ଦଫାରେ ଅଧିକ ୬ମାସ ସୁରେଶଙ୍କୁ ସମାନ ଦାୟିତ୍ୱରେ ରଖିବାକୁ ରାଜ୍ୟ ସରକାର କରିଥିବା ଅନୁମୋଦନକୁ କେନ୍ଦ୍ରରୁ ମିଳିଛି ଗ୍ରୀନ ସିଗନାଲ୍ । ଯଦ୍ୱାରା ଆସନ୍ତା ସେପ୍ଟେମ୍ବର ୧ରୁ ଆସନ୍ତାବର୍ଷ ଫେବ୍ରୁଆରୀ ୨୮ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ସୁରେଶ ।

୧୯୮୭ ବ୍ୟାଚ୍‌ର ଆଇଏଏସ୍ ତୁହିନକାନ୍ତ ପାଣ୍ଡେ, ରାଜେଶ ବର୍ମା, ୧୯୮୮ ବ୍ୟାଚ୍‌ର ପ୍ରଦୀପ୍ତ ମହାପାତ୍ର ଏବଂ ୧୯୮୯ ବ୍ୟାଚ୍‌ର ତଥା ବର୍ତ୍ତମାନର ଉନ୍ନୟନ କମିଶନର ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ରେସ୍‌ରେ ଥିଲେ । ତେବେ ରାଜେଶ ବର୍ମାଙ୍କୁ ରାଜ୍ୟ ସରକାର ପ୍ରଥମେ ଅଫର୍ ଦେଇଥିବା କୁହାଯାଉଛି । ସେ ମନା କରିବା ସହ ରାଷ୍ଟ୍ରପତିଙ୍କ ସଚିବ ଭାବେ ନିଯୁକ୍ତି ପାଇବା ପରେ ପ୍ରଦୀପ ଜେନାଙ୍କୁ ନେଇ ପାଓ୍ୱାର କରିଡରେ ଅଧିକ ଚର୍ଚ୍ଚା ହେଉଥିଲା । କିନ୍ତୁ ରାଜ୍ୟ ସରକାର ସୁରେଶଙ୍କ ଉପରେ ପୁଣି ଭରସା ରଖିଛନ୍ତି ।

ତେବେ କେଉଁ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି ହେବ ନହେବ ତାହା ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ନିଜସ୍ୱ ନିଷ୍ପତ୍ତି । ତେବେ ଅବସର ସମୟ ପାର୍ ସତ୍ତ୍ୱେ ଜଣେ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି ଫଳରେ ବ୍ୟୁରୋକ୍ରାସି ଉପରେ କି ପ୍ରଭାବ ପଡୁଛି ? ଏହା ଦ୍ୱାରା ଶାସନ ବ୍ୟବସ୍ଥା ସଶକ୍ତ ହେଉଛି ନା ଦୁର୍ବଳ ହେଉଛି । ତାକୁ ମଧ୍ୟ ସରକାର ଭୁଲିଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ।

ତେବେ ଏଠି ପ୍ରଶ୍ନ କାହିଁକି ବାରମ୍ବାର ମୁଖ୍ୟ ଶାସନ ସଚିବ ପଦବୀରେ ବଢୁଛି ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ? କଣ ରାଜ୍ୟ ପ୍ରଶାସନର ମୁଖ୍ୟ ପଦବୀରେ ବସିବାକୁ ଅନ୍ୟ କୌଣସି ଯୋଗ୍ୟ ଅଫିସର ନାହାନ୍ତି ? ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ମତ ରଖି କହିଛନ୍ତି, ଏହା ରାଜନୈତିକ ମେରିଟ୍ ଭଳି ଲାଗୁଛି । ଯିଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକ ବିଶ୍ୱାସ ଭାଜନ ହେବ, ତା ନାଁ ଅନୁମୋଦନ କରାଯାଉଛି । ଏହା ଭଲ ଲକ୍ଷଣ ନୁହେଁ ବରଂ ଏହାଦ୍ୱାରା ଶାସନ ଶୃଙ୍ଖଳା ବିଗିଡ଼ିଯିବ ବୋଲି ସେ କହିଛନ୍ତି ।

ଦୁଇ ହଜାର ମସିହାରେ ନବୀନ ସରକାର କ୍ଷମତାକୁ ଆସିବା ପରେ କୌଣସି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇନଥିବା ବେଳେ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଦୁଇ ଦୁଇ ଥର ସଂପ୍ରସାରଣକୁ ନେଇ ପାଓ୍ୱାର କରିଡରେ ଜୋରଧରିଛି ଚର୍ଚ୍ଚା ।