• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ବି ଗୃହରେ ଆଦିବାସୀ ଝଡ଼ । ଗୃହ ଭିତରେ ଯେତିକି ସରଗରମ, ଗୃହ ବାହାରେ ସେତିକି ଚର୍ଚ୍ଚା । କାହିଁକି ଆଦିବାସୀ ଜମି କିଣାବିକା ସଂପର୍କିତ କ୍ୟାବିନେଟ୍ ନିଷ୍ପତ୍ତିକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉନି, ତାକୁ ମୁଖ୍ୟ ମୁଦ୍ଦା କରି ଜିଦ୍ ରେ ଅଟଳ ବିରୋଧୀ । ଛତିଶଗଡ଼ ରାଜ୍ୟପାଳ ରାଜ୍ୟର ଆଦିବାସୀଙ୍କ ଅବହେଳିତ ଅବସ୍ଥା ନେଇ ଚିନ୍ତାବ୍ୟକ୍ତ କରିବା ପରେ ପ୍ରସଙ୍ଗ ଆହୁରି ଦାନା ବାନ୍ଧିଛି ।

ଆଦିବାସୀ ଜମି ପ୍ରସଙ୍ଗରେ ବିଧାନସଭାରେ ଅଚଳାବସ୍ଥା ଜାରି । ବିରୋଧୀ ନଛୋଡ଼ ବନ୍ଧା, କ୍ୟାବିନେଟ୍ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ଅଟଳ । ବିଜେପି ବିଧାୟକମାନେ ଆଜି ଚାଲି ଚାଲି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଗୁହାରି କରିଛନ୍ତି । ପ୍ରଶ୍ନକାଳ ଆରମ୍ଭରୁ ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ଗତକାଲି ପରି ପାରମ୍ପରିକ ଆଦିବାସୀ ପୋଷାକ ଓ ଉତ୍ତରୀୟ ପକାଇ ଗୃହକୁ ଆସିଥିଲେ ବିଜେପି ସଦସ୍ୟ ।

ଆଦିବାସୀଙ୍କ ଜମି ଅଧିକାର ନେଇ ବିଜେପି ପକ୍ଷରୁ ଦିଆଯାଇଥିବା ମୋସନକୁ କାହିଁକି ଗ୍ରହଣ କରି ଆଲୋଚନା ହେଉନି, ସେନେଇ ପ୍ରତିବାଦ ଜଣାଇଥିଲେ । କଂଗ୍ରେସ ସଦସ୍ୟମାନେ ମଧ୍ୟ ଆଦିବାସୀ ଜମି ସଂକ୍ରାନ୍ତୀୟ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ ବଦଳରେ ପ୍ରତ୍ୟାହାର ଓ ପେସା ଆଇନ୍ ଲାଗୁ କରିବାକୁ ଦାବି କରି ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି ଦେଇଥିଲେ । ପ୍ରବଳ ହଟଗୋଳ ଯୋଗୁଁ ବାଚସ୍ପତି ସିଧାସଳଖ ଗୃହକାର୍ଯ୍ୟକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରିଦେଇଥିଲେ । ଏହାପରେ ବିଜେପି ବିଧାୟକମାନେ ଚାଲି ଚାଲି ରାଜଭବନକୁ ଯାଇଥିଲେ । ପଦଯାତ୍ରା ସମୟରେ ସରକାରଙ୍କ ଆଦିବାସୀ ମାରଣ ନୀତି ବିରୋଧରେ ସ୍ଲୋଗାନ ଦେଇଥିଲେ ।

ରାଜ୍ୟପାଳଙ୍କୁ ଭେଟି ବିଜେପି ବିଧାୟକ ଦଳ ଏକ ସ୍ମାରକ ପତ୍ର ଦେଇଛି । ସେପଟେ ଆଦିବାସୀଙ୍କ ସ୍ଥିତି ନେଇ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ବୟାନ ପ୍ରସଙ୍ଗକୁ ଆହୁରି ଘନୀଭୂତ କରିଛି । ଓଡ଼ିଶା ଗସ୍ତରେ ଥିବା ବିଶ୍ୱଭୂଷଣ କହିଛନ୍ତି ରାଜ୍ୟରେ ଆଦିବାସୀ ଅବହେଳିତ ଓ ବଞ୍ଚିତ ।

ସେପଟେ ବିଜେଡି କହିଛି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିଛି । ରାଜନୈତିକ ସ୍ୱାର୍ଥ ପାଇଁ ବିରୋଧୀ ଗୃହକୁ ଅଚଳ କରୁଛନ୍ତି । ଏହାସହ କେନ୍ଦ୍ରରେ ସରକାରରେ ଥିବା ବିଜେପିକୁ ଦଳ ପ୍ରଶ୍ନ କରିଛି ଯେ, ହୋ, ମୁଣ୍ଡାରି, ଭୂମିଜ, ସଉରା, କୁଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ସ୍ୱର ଉତ୍ତୋଳନ କାହିଁକି କରୁନାହାଁନ୍ତି ।

ଆଦିବାସୀ ଜମି ବିକ୍ରି ସଂପର୍କିତ କ୍ୟାବିନେଟ ନିଷ୍ପତ୍ତିକୁ ନେଇ ଦୁଇଦିନ ଧରି ବିଧାନ ସଭାରେ ଅଚଳାବସ୍ଥା ଲାଗି ରହିବା ପରେ ଆଜି ଅପରାହ୍ଣରେ ଗୃହ ସ୍ୱାଭାବିକ ହୋଇଛି । ଦେଖିବାର କଥା ହେଉଛି ଆଗକୁ ଶାସକ ଦଳକୁ ବିଧାନସଭାରେ ଘେରିବାକୁ ବିରୋଧୀ କି ରଣନୀତି ଆପଣାଉଛନ୍ତି ।

  • Reported by:
  • JAGDISH DAS , SOUMYA RANJAN SAHOO