Advertisment

ପାଣି ଭିତରେ ବୁଡ଼ିଗଲା ସତ୍ୟମ୍ବଦଙ୍କ ସ୍ୱପ୍ନ, ପୁଅକୁ ହରାଇ ନିର୍ବାକ ବାପା-ମାଆ

ଯେଉଁ ମେଧାବୀ ପୁଅକୁ ନେଇ ସେ ଦିନେ ଗର୍ବ କରୁଥିଲେ, ଆଗକୁ ଆଇଏଏସ ହେବାର ସ୍ୱପ୍ନ ଦେଖୁଥିଲେ, ଶେଷରେ ତାସଘର ଭଳି ଭାଙ୍ଗିଗଲା

author-image
Chandan Shishu
ଅଦ୍ୟତନ ହୋଇଛି
ONGC chopper Crash

ONGC chopper Crash

ବମ୍ବେ ହାଏରେ ଗତକାଲି ONGC ହେଲିକପ୍ଟର କ୍ରାସ୍‌ରେ ପ୍ରାଣ ହରାଇଥିବା ଓଡ଼ିଆ ଭୂତତ୍ତ୍ୱବିତ ସତ୍ୟମ୍ବଦ ପାତ୍ରଙ୍କ ବିୟୋଗରେ ସ୍ତବ୍ଧ ପରିବାର। ମାତ୍ର ୨୭ ବର୍ଷ ବୟସରେ ଯୁବ ବୈଜ୍ଞାନିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁରେ ହତବାକ ହୋଇଡ଼ିଛନ୍ତି ତାଙ୍କ ପରିବାର ଓ ପରିଜନ। ତାଙ୍କ ପତ୍ନୀ ଏବେ ୩ ମାସର ଗର୍ଭବତୀ ଥିବା ବେଳେ ଏ ସମୟରେ ସତ୍ୟମ୍ବଦଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଅବାକ୍ କରିଦେଇଛି। ସେପଟେ ତାଙ୍କ ଭଳି ଜଣେ ମେଧାବୀ ଛାତ୍ର ଓ ଭଲ ମଣିଷଙ୍କୁ ହରାଇଥିବାରୁ ଶୋକରେ ବୁଡିଛି ତାଙ୍କ ପୈତୃକ ଗାଁ ଢେଙ୍କାନାଳର ଭୁବନ ଓ ତାଙ୍କ ପରିବାର ରହୁଥିବା ମାଲକାନଗିରି ସହର।

Advertisment

ସୁନାମୁଣ୍ଡା ପୁଅକୁ ହରାଇ ପାଗଳ ପ୍ରାୟ ବାପା ଯେତେ ବୁଝାଇଲେ ମନ ବୁଝୁନି କି ଆଖି ଶୁଖୁନି। ଯେଉଁ ମେଧବୀ ପୁଅକୁ ନେଇ ସେ ଦିନେ ଗର୍ବ କରୁଥିଲେ, ଆଗକୁ ଆଇଏଏସ ହେବାର ସ୍ବପ୍ନ ଦେଖୁଥିଲେ, ଏବେ ତାସଘର ଭଳି ଭାଙ୍ଗିଯାଇଛି ସେ ସ୍ବପ୍ନ, ଧୂଳିସାତ ହୋଇଛି ସବୁ ଆଶା। ଢେଙ୍କାନାଳ ଜିଲ୍ଲା ଭୁବନ ନିବାସୀ ସୁରେଶ ପାତ୍ରଙ୍କ ୨୭ ବର୍ଷୀୟ ପୁଅ ସତ୍ୟମ୍ବଦ ପାତ୍ରଙ୍କ ଅକାଳ ବିୟୋଗ ପରେ ଶୋକରେ ବୁଡ଼ିଛି ତାଙ୍କ ସମ୍ପୂର୍ଣ୍ଣ ପରିବାର। ଏଭଳି ମେଧାବୀ ପୁଅକୁ ଆକସ୍ମିକ ଦୁର୍ଘଟଣାରେ ହରାଇବାର ଦୁଃଖରେ ସମସ୍ତେ ମର୍ମାହତ ଆଉ ହତବାକ୍।

ମୁମ୍ବାଇ ONGCରେ ଭୂତତ୍ତ୍ୱବିତ ଭାବେ କାର୍ଯ୍ୟ କରୁଥିବା ସତ୍ୟମ୍ବଦ ଢେଙ୍କାନାଳର ମୂଳ ନିବାସୀ ହେଲେ ବି ତାଙ୍କ ବାପା ଓ ମାଆ ଉଭୟ ମାଲକାନଗିରିରେ ସରକାରୀ ଚାକିରି କରୁଥିବାରୁ ଆଜିକୁ ଦୀର୍ଘ ବର୍ଷ ଧରି ସେଇଠି ରହି ଆସୁଥିଲେ ସତ୍ୟମ୍ବଦ। ଆଉ ଗତକାଲି ତାଙ୍କ ବିୟୋଗ ଖବର ପରେ ସେଠି ବି ଲାଗି ରହିଛି ବିଷାଦମୟ ସ୍ଥିତି। ସତ୍ୟମ୍ବଦଙ୍କୁ ହରାଇବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପ୍ରତିଟି ପାଖ, ପଡ଼ୋଶୀ ଓ ପରିଚିତ ସମସ୍ତଙ୍କ ମୁହଁରେ ମୁହଁରେ ସେହି ଗୋଟିଏ କଥା, ଅଞ୍ଚଳ ପାଇଁ ହୀରାଟିଏ ଥିଲେ ସତ୍ୟମ୍ବଦ।

Advertisment

ମାଲକାନଗିରିରେ ହାଇସ୍କୁଲ ଶିକ୍ଷା ପରେ ଜଗତସିଂହପୁର ତିର୍ତ୍ତୋଲ କଲେଜରେ ଭୂତତ୍ୱ ବିଜ୍ଞାନ ବିଷୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ରାଉରକେଲା NITରେ ଟପ୍ପର ହୋଇଥିଲେ ସତ୍ୟମ୍ବଦ। ସେହିଭଳି ସର୍ବଭାରତୀୟ ଗେଟ୍ ପରୀକ୍ଷାରେ ୧୫ ନମ୍ବର ରାଙ୍କ ବି ରଖିଥିଲେ ସେ। ୨୦୧୯ରେ ସେ ONGC ମୁମ୍ବାଇରେ ଭୂତତ୍ତ୍ୱବିତ ଚାକିରୀ ପାଇବା ପରେ ଗତବର୍ଷ ଜୁନରେ ବିବାହ କରିଥିଲେ ସତ୍ୟମ୍ବଦ। ଏଇ କିଛି ଦିନ ଆଗରୁ ସେ ପତ୍ନୀଙ୍କ ସହ ମୁମ୍ବାଇରେ ରହୁଥିବା ବେଳେ ତାଙ୍କ ପତ୍ନୀ ଏବେ ତିନି ମାସର ଗର୍ଭବତୀ। ଆଉ ଏପରି ସମୟରେ ଭଗବାନ ତାଙ୍କୁ ତାଙ୍କ ପରିବାରଠୁ ଛଡ଼େଇ ନେବାର ଦୁଃଖ କେବଳ ପରିବାର କି ପରିଜନ ନୁହେଁ, ତାଙ୍କର ପ୍ରତିଟି ପରିଚିତଙ୍କୁ ବ୍ୟଥିତ କରିଛି।

ଗତକାଲି ମୁମ୍ବାଇ ଉପକୂଳଠୁ ୧୧୧ କିଲୋମିଟର ଦୂର ଆରବ ସାଗରର ସାଗର କିରଣ ତୈଳ କୂପ ନିକଟରେ କର୍ତ୍ତବ୍ୟ ସମ୍ପାଦନ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଓଏନଜିସିର ୭ ଜଣ ଅଧିକାରୀଙ୍କୁ ନେଇ ଯାଉଥିବା ପବନ ହଂସ ହେଲିକପ୍ଟର ଏମର୍ଜେନ୍ସି ଲାଣ୍ଡି ବେଳେ ହେଲିକପ୍ଟରଟି ପାଣିରେ ବୁଡିଯାଇଥିଲା। ONGCର ୭ ଅଧିକାରୀ ଓ ହେଲିକପ୍ଟରର ଦୁଇ କର୍ମଚାରୀଙ୍କୁ ମିଶାଇ ମୋଟ୍ ୯ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ନୌସେନା। ହେଲେ ସତ୍ୟମ୍ବଦଙ୍କ ସମେତ ୪ ଜଣଙ୍କୁ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିନଥିଲେ ମେଡିକାଲ ଟିମ୍। 

ରିପୋର୍ଟ: ଜିତେନ୍ଦ୍ର ବେଉରା ଓ ବିଦ୍ୟାଧର ବରାଳ

Odia Scientist Death ONGC Helicopter Crash
Advertisment
Advertisment