• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଣି ଦାଦନ ଦହନର ଦୟନୀୟ କାହାଣୀ । ଦାନା ପାଇଁ ଦାଦନ ଯାଇ ଶ୍ରମିକଙ୍କ ଜୀବନ ଯାଇଥିବାବେଳେ ଟଙ୍କା ପାଇଁ ବନ୍ଧା ପଡିଛି ସଂପୃକ୍ତ ଶ୍ରମିକଙ୍କର ନାବାଳିକା ଝିଅ । ଅଭିଯୋଗ ଆସିଛି ବଲାଙ୍ଗୀର ବେଲପଡ଼ା ଥାନା ସୁଲେକେଲା ଗାଁରୁ ।

ମିଳିଥିବା ସୂଚନା ଅନୁସାରେ ଦୁଇ ମାସ ତଳେ ସୁଲେକେଲା ଗାଁର କାହ୍ନୁ ମଲିକ ନିଜ ପରିବାରର ୪ ସଦସ୍ୟଙ୍କୁ ଧରି ଆନ୍ଧ୍ର ସାତନଗର ଅଂଚଳକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସର୍ଦାରଙ୍କ ଅତ୍ୟଧିକ କାମ ଯୋଗୁଁ ଅସୁସ୍ଥ ଅନୁଭବ କରିଥିଲେ କାହ୍ନୁ । ତା’ ପରେ ବି ଦାଦନ ସର୍ଦ୍ଦାର ବାରମ୍ବାର ଶ୍ରମିକ ପରିବାରକୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଫଳରେ ସମ୍ପୂର୍ଣ୍ଣ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନୁ ।

ଏହାକୁ ପତ୍ନୀ ପ୍ରତିବାଦ କରିବାରୁ ରୋଗୀଣା ସ୍ୱାମୀ ସହ ସ୍ତ୍ରୀ ଓ ଜଣେ ଦୃଷ୍ଟିବାଧିତ ଝିଅକୁ ଗାଁକୁ ପଠାଇ ଦେଇଥିଲା । ଏଣେ ଗାଁରେ ପହଞ୍ଚିବାର କିଛିଦିନ ପରେ ପ୍ରାଣ ହରାଇଛନ୍ତି ଅସୁସ୍ଥ କାହ୍ନୁ ମଲ୍ଲିକ । ତେଣେ ୧୧ ବର୍ଷର ନାବାଳିକା ଝିଅକୁ ଅଟକ ରଖିଛି ସର୍ଦ୍ଦାର । ଏନେଇ ପରିବାର ଗୁହାରି କଲେ ବି ଝିଅକୁ ଛାଡୁନଥିବା ଅଭିଯୋଗ ହୋଇଛି । ପରିବାର ଲୋକ ବାଧ୍ୟ ହୋଇ ନିଜ ଜମି ବନ୍ଧକ ରଖି ୫୦ ହଜାର ଟଙ୍କା ଦାଦନ ସର୍ଦ୍ଦାରକୁ ପଠାଇଥିବା କହିଛନ୍ତି ।

ତଥାପି ଝିଅକୁ ଛାଡୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଫଳରେ ପ୍ରାଣ ହରାଇଥିବା କାହ୍ନୁ ମଲ୍ଲିକଙ୍କ ମୃତଦେହକୁ ଧରି ଆନ୍ଦୋଳନରେ ବସିଛନ୍ତି ପରିବାର ଲୋକେ । ଏ ସଂପର୍କରେ ଖବର ପ୍ରସାରଣ ପରେ ପୋଲିସକୁ ଧରି ଗାଁକୁ ଯାଇଥିଲେ ବେଲପଡ଼ା ତହସିଲଦାର । ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବା ସହ ବନ୍ଧକ ଝିଅକୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି ତହସିଲଦାର ।

  • Reported by:
  • Karunakar Budek