Advertisment

ଠକିଦେଲେ ପିଣ୍ଟୁ ଭାଇ !

ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି ।ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Pintu Nanda

ଏଇମାତ୍ର କେଇ ଦିନ ତଳର କଥା । ଚିକିତ୍ସା ପାଇଁ ଦିଲ୍ଲୀ ଯିବାବେଳେ କହିଥିଲେ, ଫେରି ଆସିବେ ବୋଲି । ପ୍ରତିଶ୍ରୁତି ଦେଇଥିଲେ ଅଭିନୟ ମାଧ୍ୟମରେ ପୁଣି ଥରେ ହସାଇବେ ଆଉ ସମସ୍ତଙ୍କ ଗହଣରେ ଜୀବନ କାଟିବେ ବୋଲି । ହେଲେ ମୃତ୍ୟୁ ଆଗରେ ମିଛ ହୋଇଗଲା ସବୁ ପ୍ରତିଶ୍ରୁତି । ଅଫେରା ରାଇଜକୁ ଫେରିଯାଇଛନ୍ତି ପୋଖତ ଅଭିନେତା ପିଣ୍ଟୁ ନନ୍ଦ।

Advertisment

ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଦେଇଛନ୍ତି ସେ। ଯକୃତଜନିତ ରୋଗରେ ପୀଡ଼ିତ ଏହି ଲୋକପ୍ରିୟ କଳାକାର ଗତ ରାତି ୧୧ଟା ୨୫ ମିନିଟରେ ମେଡିକାଲର ଭେଣ୍ଟିଲେଟର ଭିତରେ ନୀରବି ଯାଇଛନ୍ତି । ଯାହାଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଫ୍ୟାନଙ୍କ ସହ ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ । ଲୁହ ଝରାଉଛନ୍ତି ସାଥୀ କଳାକାର । ସ୍ତବ୍ଧ ଓଲିଉଡ ।

ଅଧିକ ପଢ଼ନ୍ତୁ: ଭୋ ଭୋ ହୋଇ କାନ୍ଦିଲେ ରାନୀ

୪୬ ବର୍ଷିୟ ପିଣ୍ଟୁଙ୍କ ଯକୃତ ପ୍ରତିରୋପଣ ପାଇଁ ଗତ ୭ ତାରିଖରେ ଦିଲ୍ଲୀ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଆରି ସାଇନସେସ୍- ILBSରେ ଭର୍ତ୍ତି କରାଯାଇଥିଲା । ତେବେ ଦିଲ୍ଲୀରେ ପରିବାରରୁ କୌଣସି ଡୋନରଙ୍କ ବ୍ଲଡ୍ ଗ୍ରୁପ୍ ମ୍ୟାଚ୍ ନକରିବାରୁ ଏବଂ ଅନ୍ୟ ଡୋନରଙ୍କଠାରୁ ଯକୃତ ପ୍ରତିରୋପଣର ନିୟମ ନଥିବାରୁ ହାଇଦ୍ରାବାଦକୁ ନିଆଯାଇଥିଲା ପିଣ୍ଟୁଙ୍କୁ । ସେଠାରେ ପିଣ୍ଟୁଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ଓ ଚିକିତ୍ସା ବାବଦକୁ ଦରକାର ପଡୁଥିଲା ୩୫ ଲକ୍ଷ ଟଙ୍କା । ବ୍ୟୟବହୁଳ ଚିକିତ୍ସା ଲାଗି କେଉଁ କଳାକାର ରାସ୍ତାରେ ଭିକ ମାଗିଥିଲେ ତ ଆଉ କିଏ କ୍ଷମତା ଅନୁଯାୟୀ ଆର୍ଥିକ ସହଯୋଗ କରିଥିଲେ ।

Advertisment

କିନ୍ତୁ ୧୭ ଦିନର ଅପେକ୍ଷା ପରେ ଏବଂ ସହାୟତା ପାଇଁ ନିବେଦନ ସତ୍ତ୍ୱେ କେହି ଡୋନର୍ ନମିଳିବାରୁ ଆଖି ବୁଜିଦେଲେ ପିଣ୍ଟୁ । ଏଭଳି ଅଭାବନୀୟ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସିନେ କଳାକାର ସଂଘ ସଂପାଦକ ଶ୍ରୀତମ ଦାସ ।କହିଛନ୍ତି, ସରକାର ଯଦି ମୁଣ୍ଡ ପୂରାଇଥାନ୍ତେ, ତେବେ ପିଣ୍ଟୁର ଅକାଳ ମୃତ୍ୟୁ ହୋଇନଥାନ୍ତା ।

ବଞ୍ଚିଥିବା କଳାକାରଟିକୁ ଚିହ୍ନୁନଥିବା ମୁଖ୍ୟମନ୍ତ୍ରୀ ମଲାପରେ କେମିତି ଚିହ୍ନିଲେ ବୋଲି ନବୀନଙ୍କ ଟ୍ୱିଟକୁ ଲକ୍ଷ୍ୟ କରି ପ୍ରଶ୍ନ କରିଛନ୍ତି ଶ୍ରୀତମ । ତେଣେ କଳାକାରଙ୍କୁ ସହାୟତା ପାଇଁ ସେମିତି କିଛି ବ୍ୟବସ୍ଥା ନାହିଁ କହି ହାତ ଟେକିଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ।

ଦୂରଦର୍ଶନରୁ କ୍ୟାରିୟର ଆରମ୍ଭ କରିଥିଲେ ପିଣ୍ଟୁ ନନ୍ଦ । ‘ରଙ୍ଗ ନମ୍ବର’ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ ।କେବେ ଅଭିନେତା ତ କେବେ ସହ- ଅଭିନେତା ଏବଂ କମେଡିଆନ୍ ଚରିତ୍ରରେ ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି, ଅଭିନୟ ଯାଦୁରେ ବାନ୍ଧି ରଖିଛନ୍ତି। ଜୟ ଜଗନ୍ନାଥ, ବାହୁଡିବେ ମୋ ଜଗାବଳିଆ, ଦୋସ୍ତି, ହାତ ଧରି ଚାଲୁଥା, ପ୍ରେମ ପାଇଁ ମହାଭାରତ, ଲଭ୍ ଏକ୍ସପ୍ରେସ ଭଳି ୩୦ରୁ ଅଧିକ ଫିଲ୍ମରେ ନିଖୁଣ ଅଭିନୟ କରିଛନ୍ତି ପିଣ୍ଟୁ । ଆଜି ବି ତାଙ୍କ ଅଭିନୀତ ଏ ଗଉରା ଗୀତ, ଘରେ ଘରେ ପରିଚିତ ।

ସେହି ଭର୍ସାଟାଇଲ କଳାକାର ଆଜି ଦୁନିଆର ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି ।ଯାହାଙ୍କ ବିୟୋଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଆଜି ଭୁବନେଶ୍ୱରରେ ପିଣ୍ଟୁଙ୍କ ମୃତଦେହ ରହିବ । ପରେ ଆସନ୍ତାକାଲି ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ହେବ ବୋଲି ସୂଚନା ମିଳିଛି ।

Pintu Nanda Odia Actor
Advertisment
Advertisment