• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୟୂରଭଞ୍ଜ, (ରିପୋର୍ଟ-ସୂର୍ଯ୍ୟ ନାରାୟଣ ପଣ୍ଡା, ମାନସ ପାଣି): କାହାର ଗୋଡ-ହାତ ଅକାମୀ ତ ଆଉ କିଏ ଜନ୍ମରୁ ଅକ୍ଷମ । ହେଲେ ନିଜକୁ ଅକ୍ଷମ ମାନି ନାହାଁନ୍ତି ସେମାନେ । ପରିବାର ଉପରେ ବୋଝ ହୋଇ ନାହାଁନ୍ତି କି ସରକାରୀ ସହାୟତାକୁ ହାତ ପତାଇ ନାହାଁନ୍ତି । ଦୃଢ ଇଛାଶକ୍ତି ଓ ସଂଘର୍ଷ ବଳରେ ଆଜି ସେମାନେ ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ସକ୍ଷମ । ଅନ୍ୟଙ୍କ ପାଇଁ ଉଦାହରଣ ଦିବ୍ୟାଙ୍ଗ ଜୟନ୍ତ ଓ ଦିଲ୍ଲୀପ ।

ଜୟନ୍ତ ପରିଛା । ଜନ୍ମରୁ ଦିବ୍ୟାଙ୍ଗ । ହେଲେ ସେ କେବଳ ଦେଖିବାକୁ ଦିବ୍ୟାଙ୍ଗ, କାମରେ ଶହେ ପ୍ରତିଶତ ସକ୍ଷମ । ନିଜକୁ କେବେ ଭିନ୍ନକ୍ଷମ ମାନିନାହାଁନ୍ତି ମୟୂରଭଂଜ ଜିଲ୍ଲା ଉଦଳା ବ୍ଳକ୍ କଇଁସାରି ଗାଁର ଜୟନ୍ତ । ପ୍ରଥମେ ପାନ ଦୋକାନ କରିଥିଲେ । ପରେ ସାଇକେଲ ମରାମତି ଆଉ ଏବେ ଗାଁରେ କରିଛନ୍ତି ତେଜରାତି ଦୋକାନ । ନିଜେ ଗ୍ରାହକଙ୍କୁ ଜିନିଷ ଦିଅନ୍ତି । ସକାଳୁ ରାତି ଯାଏଁ କାମ କରନ୍ତି । ଆଉ ଦୋକାନରୁ ହେଉଥିବା ରୋଜଗାରରେ ଚଳେ ଚାରି ଜଣିଆ ପରିବାର । ଜୟନ୍ତଙ୍କ ପାଖରେ ୮୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣ ପତ୍ର ରହିଛି । ହେଲେ ସେ କେବେବି ସରକାରୀ ସହାୟତାକୁ ହାତ ପତାଇନାହାଁନ୍ତି । ଚାଲିବାକୁ ଅକ୍ଷମ ଥିଲେ ବି ଜୟନ୍ତ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ପ୍ରମାଣିତ କରିଦେଇଛନ୍ତି ସେ ଭିନ୍ନକ୍ଷମ ନୁହଁନ୍ତି ସକ୍ଷମ, ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ । 

ସେହିଭଳି ଅକ୍ଷମ ହୋଇବି ଆଉ ଜଣେ ସକ୍ଷମ ହେଉଛନ୍ତି ଦିଲ୍ଲୀପ ଚର୍ଚ୍ଚି । କୋରାପୁଟ କୋଲାବ ଅଂଚଳରେ ରହୁଥିବା ଦିଲ୍ଲୀପଙ୍କ ଜୀବନ ସଂଘର୍ଷମୟ । ୩୦ ବର୍ଷ ହେଲା ହୁଇଲ୍ ଚେୟାରରେ ଜୀବନ ବିତୁଛି । ଦଶମ ଶ୍ରେଣୀରେ ପଢୁଥିବା ବେଳେ ରୋଗ ମାଡି ବସିଥିଲା । ଗୋଡ-ହାତ ଅକାମୀ ହୋଇଗଲା । ତଥାପି ଜୀବନ ଯୁଦ୍ଧରେ ହାରି ନଥିଲେ ଦିଲ୍ଲୀପ । ବାପାଙ୍କ ଦେହାନ୍ତ ପରେ ସମ୍ଭାଳିଥିଲେ ପରିବାରର ଭାର । କୋଲାବ ନଗରର ଷ୍ଟେଟବ୍ୟାଙ୍କ କଡ଼ରେ ଖୋଲିଛନ୍ତି ଗ୍ରାହକ ସେବା କେନ୍ଦ୍ର । ନିଜେ ସବୁଦିନ କାମ କରୁଛନ୍ତି । ଆଉ ସେଥିରୁ ଯାହା ରୋଜଗାର ହୁଏ, ପରିବାର ଚଳେ । ଦିଲ୍ଲୀପଙ୍କ ସାଙ୍ଗରେ ଛାଇ ଭଳି ରହିଛନ୍ତି ପତ୍ନୀ ଓ ପୁଅ ।