• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପର୍ଯ୍ୟଟନ ଋତୁରେ ଖାଁ ଖାଁ ପଡ଼ିଛି ବାଲେଶ୍ୱର ଜିଲ୍ଲାର ଅନେକ ସମୁଦ୍ର ବେଳାଭୂମି । ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଲୋକେ ମୁହଁ ଫେରାଉଛନ୍ତି । ଏପରିକି ପଡ଼ୋଶୀ ରାଜ୍ୟର ସମୁଦ୍ରକୂଳରେ ପିକନିକ୍ କରିବାକୁ ଇଚ୍ଛା କରୁଛନ୍ତି । ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀଙ୍କ ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀର ଅବସ୍ଥା ନିହାତି ଖରାପ ।

ଯେଉଁଠି ଦିନେ ପର୍ଯ୍ୟଟକ ଭିଡ଼ରେ କମ୍ପୁଥିଲା ଏବେ ସେଠି ଖାଲି ପଡ଼ିଛି ପରିବେଶ । ଦୂର ଦୂର ଯାଏଁ ଦେଖିଲେ ଲାଗୁଛି ଖାଁ ଖାଁ । ବାଲେଶ୍ୱର ଜିଲ୍ଲାର ଦୁଇଟି ବଡ଼ ବେଳାଭୂମିର ଏବେ ଏମିତି ସ୍ଥିତି । ଚାନ୍ଦିପୁର ବେଳାଭୂମି ଓ ଦୁବୁଲାଗଡ଼ି ବିଚ୍ । ଉଭୟ ବିଚ୍ ରେ ସମାନ ସ୍ଥିତି ।

ନା ଅଛି ମୌଳିକ ବ୍ୟବସ୍ଥା ନା ପର୍ଯ୍ୟଟନସ୍ଥଳୀ ଭାବେ କୌଣସି ଆକର୍ଷଣୀୟ ସୁବିଧା । ଚାନ୍ଦିପୁର ବେଳାଭୂମିର ଯୁଆଡ଼େ ଦେଖିବେ କୁଢ଼ କୁଢ଼ ଆବର୍ଜନା .. ଅନ୍ୟପଟେ ବିଚ୍ କୁ ଓହ୍ଲାଇବାକୁ ଥିବା ଶିଢ଼ି ଭାଙ୍ଗି ଯାଇଛି । ଏଠି ପହଞ୍ଚିବାକୁ ରାସ୍ତା ଅଛି ହେଲେ ତା ଅବସ୍ଥା ନକହିବା ଭଲ ।

ସେହିପରି ଦୁବୁଲାଗଡ଼ି ବିଚ୍ ରେ ନା ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ଅଛି ନା ଲାଇଟର ସୁବିଧା । ପରିସ୍ଥିତି ଏମିତି କି ସଞ୍ଜ ନଇଁଲେ ଏଠାକୁ ଆସିବାକୁ ଡରୁଛନ୍ତି ଲୋକେ । ଏତେ ସୁନ୍ଦର ପରିବେଶ ଥାଇ ବି ଯେମିତି ଅନ୍ଧାର ଭିତରେ ଠେଲି ହୋଇ ରହିଛି ଏହି ସମୁଦ୍ରକୂଳ ।

ଆଉ ବନ ବିଭାଗର କଟକଣା, ଅଜବ ସ୍ଥିତି ସୃଷ୍ଟି କରିଛି ଉଦୟପୁରରେ । ଉଦୟପୁର ସମୁଦ୍ରକୂଳ ଜଙ୍ଗଲରେ ପିକନିକ୍ ପାଇଁ ବନ ବିଭାଗ ପକ୍ଷରୁ ଜାରି ହୋଇଛି କଟକଣା । ଫଳରେ ପଶ୍ଚିମବଙ୍ଗ ପଟେ ଥିବା ଦୀଘା ବିଚ୍ ରେ ଖଚାଖଚ୍ ପର୍ଯ୍ୟଟକଙ୍କ ଭିଡ଼ ।

ପର୍ଯ୍ୟଟନ ଋତୁରେ ଉଦୟପୁରର ମେରାଇନ୍ ଡ୍ରାଇଭ୍ କାମ ବି ହେଉଛି । ତେଣୁ ପର୍ଯ୍ୟଟକ ଓଡ଼ିଶା ପଟକୁ ଆସିବେ କଣ ବରଂ କମି କମି ଯାଉଛନ୍ତି । ଦୂର ଦୂରରୁ ଆସୁଥିବା ପର୍ଯ୍ୟଟକ ପଶ୍ଚିମବଙ୍ଗକୁ ଯାଇ ସେଠି ମଜା ଉଠାଉଛନ୍ତି ।

ଯାହା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଶକ୍ତ ଧକ୍କା ଦେଇଛି। ଏଦିଗରେ ବାଲେଶ୍ୱର ଜିଲ୍ଲାପାଳ ଅବଗତ ଅଛନ୍ତି, ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ସେ କହିଛନ୍ତି । ଖୋଦ୍ ପର୍ଯ୍ୟଟନ ମନ୍ତ୍ରୀଙ୍କ ଜିଲ୍ଲାରେ ପର୍ଯ୍ୟଟନର ଏଭଳି ଅବସ୍ଥା ଅନେକ ପ୍ରଶ୍ନ ସୃଷ୍ଟି କରିଛି ।