• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରଙ୍ଗର ପର୍ବରେ ସେବାକୁ ଧର୍ମ ଭାବି ତୁଲାଉଛନ୍ତି ଦାୟିତ୍ୱ । ଆଗ କର୍ତ୍ତବ୍ୟ ତାପରେ ପର୍ବ । ଜରୁରୀକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ କର୍ମଚାରୀଙ୍କ ପାଇଁ ରଙ୍ଗର ପର୍ବ ହୋଲି ସତେ ଯେମିତି ରଙ୍ଗହୀନ । ହୋଲି ଖେଳିନପାରି ମନ ଦୁଃଖ ତ ହେଉଛି, ହେଲେ ରୋଗୀ ସେବା କରି ପାଉଛନ୍ତି ଆତ୍ମସନ୍ତୋଷ ।

ଘରେ ପୁରା ପରିବାର, ବାହାରେ ସାଙ୍ଗ ସାଥୀ ହୋଲି ଖେଳିବାକୁ ଅପେକ୍ଷା କରିଥିବା ବେଳେ ଏମାନେ ବ୍ୟସ୍ତ ରୋଗୀ ସେବାରେ । ଏଥିପାଇଁ ମନରେ ଟିକେ ବି ଦୁଃଖ ନାହିଁ ବରଂ ମାନବ ସେବା ହିଁ ମାଧବ ସେବା କହି ଲାଗିପଡିଛନ୍ତି ୨୪ ଘଂଟିଆ ଡ୍ୟୁଟିରେ ।

ସେ ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ । ଏମାନଙ୍କ ପାଇଁ ସତେ ଯେମିତି କିଛି ନୂଆ କି ସ୍ୱତନ୍ତ୍ର ନଥିଲା ଆଜିର ଦିନ ।

ଫୋନର ରିଙ୍ଗ ଆଉ ଗାଡିର ସାଇରନ୍ । ତାଭିତରେ ରଙ୍ଗ କଣ ଆଉ ହୋଲି କଣ ବୋଧହୁଏ ଭାବିବାକୁ ସମୟ ନାହିଁ । ନା କିଏ ଦେହରେ ରଙ୍ଗ ବୋଳିଛି ନା ସେ କାହାକୁ ହୋଲି ଲଗାଇଛନ୍ତି, ସେବା ଭିତରେ ପର୍ବ ପାଳିଛନ୍ତି ଅଗ୍ନିଶମ କର୍ମଚାରୀ ।

ଏମାନଙ୍କ ହାତରେ ସହରର ସୁରକ୍ଷା ଦାୟିତ୍ୱ । ଜନସାଧାରଣଙ୍କୁ ଜଗିବା ଦାୟିତ୍ୱ । ହୋଲି ଉତ୍ସାହ ମଧ୍ୟରେ ଅଘଟଣ ଆଶଙ୍କାରେ ୨୪ ଘଂଟିଆ ସତର୍କ ରହିଥିଲା ପୋଲିସ । ରଙ୍ଗର ପର୍ବକୁ ଭୁଲି ଛକ ଛକରେ ତୁଲାଉଥିଲେ ଦାୟିତ୍ୱ । ଦ୍ୱିପହର ଖରାରେ ୟୁନିଫର୍ମ ଭିତରେ ହୋଲି ପର୍ବ କେତେବେଳେ ପାରି ହୋଇଯାଇଛି, ସେମାନଙ୍କୁ ଜଣା ନାହିଁ ।

ଭଳିକି ଭଳି ରଙ୍ଗରେ ରଙ୍ଗୀନ ଲୋକଙ୍କୁ ଦେଖି ଦେଖି ସକାଳୁ ସନ୍ଧ୍ୟା ହୋଇଯାଇଛି । ବିନା ରଙ୍ଗରେ ଏମାନେ ପାଳିଛନ୍ତି ରଙ୍ଗର ପର୍ବ । ଏ ସେବା ଅନ୍ୟର ଖୁସିରେ ଖୁସି ହେବାର । ନିଜ ଖୁସିକୁ ପଛ କରି ଅନ୍ୟକୁ ଖୁସି କରିବାର ।

ଖୋର୍ଦ୍ଧାରୁ ବଳରାମ ଲେଙ୍କା, କଟକରୁ ପ୍ରଭାତ ବିଷୋୟୀଙ୍କ ସହ ଭୁବନେଶ୍ୱରରୁ ଆଲୋକ ମହାନ୍ତିଙ୍କ ରିପୋର୍ଟ ଓଟିଭି..