Advertisment

ତପସ୍ୱିନୀଙ୍କ ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକ; କହିଲେ- ବୋହୂକୁ ଆପଣେଇ ନିଅ

ଚାରି ଦିନ ହେଲା ଥମୁନି ଚର୍ଚ୍ଚା। ବ୍ରହ୍ମପୁର ବ୍ରହ୍ମାନଗରରେ ଶ୍ୱଶୁର ଘର ଆଗରେ ସେମିତି ଧାରଣାରେ ବସିଛନ୍ତି ତପସ୍ୱିନୀ। ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ଥିବା ବେଳେ ଘର ଆଗରେ ମାଣ ବସାଇ ପୂଜା କରିଛନ୍ତି ତପସ୍ୱିନୀ। ସେପଟେ ଆପୋଷ ବୁଝାମଣା କରି ସ୍ୱାମୀ-ସ୍ତ୍ରୀ ଏକାଠି ରୁହନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

author-image
Chandan Shishu
Berhampur Marital Discord

Berhampur Marital Discord

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଶ୍ୱଶୂର ଘର ଆଗରେ ଦୀର୍ଘ ୪ ଦିନ ଧରି ଧାରଣା ଦେଇଥିବା ବୋହୂକୁ ଆପଣେଇ ନେବା ପାଇଁ ଚାରିଆଡୁ ଉଠିଲା ସ୍ୱର। ବହୁ ସମାଜସେବୀ, ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ତପସ୍ୱିନୀଙ୍କୁ ସମର୍ଥନ ଜଣାଇଥିବା ବେଳେ ଏବେ ନ୍ୟାୟ ପାଇଁ ବହୁମାତ୍ରାରେ ସ୍ଥାନୀୟ ଲୋକ ଏକାଠି ହୋଇଛନ୍ତି। ତପସ୍ୱିନୀଙ୍କ ଶ୍ୱଶୂର ଘର ନିକଟରେ ଏକାଠି ହୋଇ ତପସ୍ୱିନୀଙ୍କୁ ଘରକୁ ନେବା ପାଇଁ କହିବା ସହ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି।

Advertisment

ଘର ଭିତରେ ପ୍ରବେଶ କରିନପାରିବାରୁ ତପସ୍ୱିନୀ ଘର ବାହାରେ ମାଣ ବସାଇଥିଲେ। ଦୀପ, ଧୂପ, କୁମ୍ଭ ରଖି ପୂଜାର୍ଚ୍ଚନା କରିଥିଲେ। ଧାରଣାର ଚତୁର୍ଥ ଦିନରେ ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ହୋଇଥିବାରୁ ତପସ୍ବିନୀ ଶ୍ୱଶୁର ଘର ଦାଣ୍ଡ ଦୁଆରେ ବସି ଲକ୍ଷ୍ମୀପୂଜା ବ୍ରତ ପାଳିଛନ୍ତି। କିନ୍ତୁ ତପସ୍ୱିନୀଙ୍କ ପାଇଁ ଘର କବାଟ ଖୋଲିନଥିଲା।

ତପସ୍ବିନୀଙ୍କୁ ବୋହୂ ବୋଲି ଶ୍ୱଶୁର ମାନିବା ଓ ସ୍ତ୍ରୀ ଭାବେ ସ୍ୱାମୀ ସ୍ୱୀକାର କରିବା ପରେ ଘରକୁ ନେବାକୁ ସମସ୍ତେ ନାରାଜ ହେବାରୁ ତପସ୍ୱିନୀ ସପକ୍ଷରେ ଆଗେଇ ଆସିଛନ୍ତି ବହୁ ସମାଜସେବୀ, ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ। ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି କରିବାକୁ ସବୁଆଡୁ ଉଠିଲାଣି ସ୍ୱର। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆଜି ବ୍ରହ୍ମାନଗରରେ ଜମିଛି ଲୋକଙ୍କ ଭିଡ। ତପସ୍ବିନୀଙ୍କୁ ବୁଝାଇବାକୁ ପହଞ୍ଚିଥିଲେ ଅନେକ ମହିଳା। ସାହି ପଡୋଶୀ ବି ଆସି ଘର କଥା ଘରେ ରଖି ଆପୋଷ ବୁଝାମଣା ଦ୍ୱାରା ସମାଧାନ କରିବାକୁ ମତ ଦେଇଥିଲେ।

Advertisment

ଏନେଇ ସମାଜସେବୀ ସିପ୍ରା ହୀରା କହିଛନ୍ତି ଯେ ଜୀଅନ୍ତା ଲକ୍ଷ୍ମୀଙ୍କୁ ସାଥ୍‌ ଦେବା ପାଇଁ ଆମେ ସମସ୍ତେ ଆଗେଇ ଆସିଛୁ। ୪ ଦିନ ହେଲାଣି ତପସ୍ୱିନୀ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ଖରା, କାକରରେ ବସି ତାର ନ୍ୟାୟ ଭିକ୍ଷା କରୁଛି। ଖୁବ ଶୀଘ୍ର ଉଭୟ ପକ୍ଷ ବସି ଏଦିଗରେ ସମାଧାନ କରିବା ସହ, ବୋହୂକୁ ଘରକୁ ନିଅନ୍ତୁ। ଅପରପଟେ ପୋଲିସର ଅବହେଳା ବାରି ହୋଇପଡୁଛି। ଧାରଣା ସମୟରେ ଯଦି ଅଘଟଣ ଘଟେ କି ଦାୟୀ ରହିବ?

ପ୍ରଥମେ ତପସ୍ପିନୀ-ସୁମିତଙ୍କ ରେଜିଷ୍ଟ୍ରି ମ୍ୟାରେଜ୍, ପରେ ତପସ୍ୱିନୀଙ୍କ ନିର୍ଯାତନା ଅଭିଯୋଗ ଏବଂ ସୁମିତଙ୍କ ଛାଡପତ୍ର ଆବେଦନ। ଏବେ ସ୍ୱାମୀଙ୍କ ସହ ଏକାଠି ରହିବାକୁ ଅଡି ବସିଛନ୍ତି ତପସ୍ୱିନୀ। ତେବେ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ବାହାରି ପାରୁନି ସମାଧାନର ବାଟ।

Odisha Berhampur Bride
Advertisment
Advertisment