• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗୋଟିଏ ପଟେ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବାଟାଲିୟନ ପାଇଁ ପ୍ରସ୍ତାବ ଆସିଥିବା ବେଳେ ଏଣେ ଦିନକୁ ଦିନ ବଢ଼ି ଚାଲିଛି ଅସମ୍ଭାଳ ଭିଡ଼ । ଖ୍ରୀଷ୍ଟମାସ ଛୁଟି ସାଙ୍ଗକୁ ଆସୁଛି ନୂଆବର୍ଷ । ଜଗା ଦର୍ଶନ ପାଇଁ ବ୍ୟାରିକେଡରେ ଭକ୍ତ ଚୁଣ୍ଟାଚୁଣ୍ଟି । ତେଣେ ଗଳାବାଟରେ କିଛି ଭକ୍ତଙ୍କୁ ଛଡ଼ାଯିବାକୁ ନେଇ ଉଠିଛି ଆପତ୍ତି । ପୁରୀ ଏସପି କହିଛନ୍ତି ଖୁବଶୀଘ୍ର ଏସି ଟନେଲ ଖୋଲାଯିବା ସହ ଏଥର ସୁରକ୍ଷା ବ୍ୟବସ୍ଥା ଦେଢ ଗୁଣା ବଢ଼ାଯିବ ।

ସୋରିଷ ପକାଇବାକୁ ବି ଜାଗା ନାହିଁ ମନ୍ଦିର ଭିତରେ । ଆଜି ବଡ଼ଦିନ ଛୁଟି ସାଙ୍ଗକୁ ବର୍ଷ ସରି ଆସୁଥିବାରୁ ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ତେଣୁ ନାକେଦମ୍ ଭକ୍ତ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଆତୁର । ମରିଚିକୋଟ ଛକ ପାଖରୁ ଲାଗିଛି ଭକ୍ତଙ୍କ ଲାଇନ୍ । ଗୋଟିଏ ପଟେ ଘଣ୍ଟା ଘଣ୍ଟା ଧରି ବ୍ୟାରିକେଡ୍ ଯନ୍ତ୍ରଣା ଭୋଗୁଥିବା ବେଳେ ହଠାତ୍ କିଛି ଭକ୍ତ ବ୍ୟାରିକେଡ୍ ଭାଙ୍ଗି ଆଜି ଶ୍ରୀମନ୍ଦିର ପ୍ରବେଶ କରିଥିଲେ । ଯାହାକୁ ଦେଖି ବି ରୋକି ପାରିନଥିଲା ପୋଲିସ୍ ।

ତେଣେ ଭିଡ଼ର ଫାଇଦା ନେଇ ଗଳାବାଟରେ କିନ୍ତୁ ଚାଲିଥିଲା ଭଲ ହାତଗୁଞ୍ଜା କାରବାର । ବିଶେଷ କରି ଛାଉଣୀ ମଠ ନିକଟ, ଦୋଳମଣ୍ଡପ ସାହି ସିଂହଦ୍ବାର ସମ୍ମୁଖ ଓ ବଡଛତା ମଠ ପାଖରେ ଥିବା ଭିଆଇପିଙ୍କ ଯାତାୟାତ ରାସ୍ତାରେ ଆଉ ଏକ ବ୍ୟାରିକେଡ୍ ଲାଇନ୍ ହୋଇଥିଲା । ଯେଉଁବାଟେ ଅନବରତ ଲୋକେ ବିନା ଦ୍ବିଧାରେ ମନ୍ଦିର ପ୍ରବେଶ କରୁଥିବା ଦେଖି ଆପତ୍ତି ଉଠାଇଥିଲେ ବହୁ ଭକ୍ତ । ଏଥିସହ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ବ୍ୟବସ୍ଥାରେ ବି ଘୋର ତ୍ରୁଟି ପରିଲକ୍ଷିତ ହୋଇଛି କ୍ରିସମାସ୍ ଛୁଟି ଅବସରରେ ।

ଏକ୍ସ ମାସ ଛୁଟି ସାଙ୍ଗକୁ ଆଗକୁ ନୂଆବର୍ଷ । ଆହୁରି ଗହଳି ହେବ ପୁରୀରେ । ତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ପୁରୀ ପ୍ରଶାସନ । ଭିଡ ନିୟନ୍ତ୍ରଣ ପାଇଁ ଦୁଇରୁ ତିନି ଦିନ ଭିତରେ ଖୋଲିପାରେ ଏସି ଟନେଲ ବ୍ୟାରିକେଡ । ଶ୍ରୀମନ୍ଦିର କାର୍ଯ୍ୟାଳୟ ତଳ ଦେଇ ଆସୁଥିବା ଟନେଲ ବାଟେ ଭକ୍ତଙ୍କୁ ଛଡ଼ାଯିବ । ମଝିରେ ବସିବା ବ୍ୟବସ୍ଥା ଓ ଟୟଲେଟ୍ ସବୁଧା ବି ରହିବ, ଯଦ୍ବାରା ଭକ୍ତମାନେ ଆଉ ଯନ୍ତ୍ରଣା ଭୋଗିବେନି ।

ଏଥିସହ ମନ୍ଦିର ବାହାରେ ଓ ଭିତରେ ସିସିଟିଭି ଲଗାଯିବ । ସେହିପରି ସମୁଦ୍ରକୂଳରେ ପର୍ଯ୍ୟଟକଙ୍କ ପାଇଁ ଅଧିକ ପୋଲିସ ଓ ଲାଇଫଗାର୍ଡଙ୍କୁ ମୁତୟନ କରାଯିବ । ସହରର ମୁଖ୍ୟ ସ୍ଥାନ ଗୁଡ଼ିକ ବି ସିସିଟିଭି ସର୍ଭେଲାନ୍ସରେ ରଖାଯିବା ସହ ଅପରାଧୀଙ୍କ ଉପରେ ନଜର ରହିବ । ଗତବର୍ଷ ଅପେକ୍ଷା ଏଥର ଦେଢ଼ ଗୁଣା ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି । ଯାହାକି ଆଗାମୀ ୨ମାସ ଯାଏଁ ଜାରି ରହିବ । ସେପଟେ ଶ୍ରୀମନ୍ଦିର ବାହାର ଭଳି ଭିତରେ ବି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଦୃଷ୍ଟି ଦେବାକୁ ଗୁରୁତ୍ବ ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ ।

ଏବେ ଦେଖିବାର କଥା ଏତେ ସବୁ ବ୍ୟବସ୍ଥା ଭିତରେ ଆଗକୁ କେତେ ଶୃଙ୍ଖଳିତ ହେଉଛି ଶ୍ରୀମନ୍ଦିରରେ ଜଗା ଦର୍ଶନ ।