• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁରୀ ବାସେଳିସାହି ହାଜତ ମୃତ୍ୟୁ ମାମଲାର ବିବାଦୀୟ ତତ୍କାଳୀନ ପୁରୀ ଏସପି ଅଖିଳେଶ୍ୱର ସିଂ ଏବଂ ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏବେ ପୁଣି ବିବାଦରେ । ଏହି ଏସପି-ଆଇଆଇସି ଯୋଡ଼ି ଏଥର ଚର୍ଚ୍ଚାକୁ ଆସିଛନ୍ତି । ପାରାଦୀପ ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଅଭିଯୋଗକୁ ନେଇ । କାରଣ ଏକ ବ୍ରାଉନସୁଗାର କେସରେ ଅଭୟଚାନ୍ଦପୁର ପୋଲିସ ଯେଉଁ ଯୁବକଙ୍କୁ ରାତିଅଧରେ ଉଠାଇ ନେଇଥିଲା, ତାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହାକୁ ନେଇ ମୃତକଙ୍କ ପରିବାର ଲୋକେ ହାଜତ ମୃତ୍ୟୁ ଅଭିଯୋଗ ଆଣି ସିଧାସଳଖ ପୋଲିସକୁ ଦାୟୀ କରୁଥିବା ବେଳେ ପୋଲିସ୍ କିନ୍ତୁ ମାନିବାକୁ ନାରାଜ । ସେପଟେ NHRCରେ ପହଂଚିଛି ମାମଲା ।

ପାରାଦୀପ ବୃନ୍ଦାବନ କଲୋନୀ ବସ୍ତିର ମନୋରଂଜନ ଗେଡ଼ିକୁ ମିଛ କେସରେ ଫସାଇ ପୋଲିସ ବାଡ଼େଇ ମାରିଦେଇଥିବାର ଆସିଛି ସଂଗୀନ ଅଭିଯୋଗ । ଅଭିଯୋଗ ହେଉଛି, ଦୁଇ ଦିନ ପୂର୍ବରୁ ମନୋରଂଜନକୁ ରାତି ଅଧରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେଇଥିଲା । ଆଉ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ତରବରିଆ ଭାବେ ଜଗତସିଂପୁର ମେଡ଼ିକାଲରେ ରାତାରାତି ପୋଷ୍ଟମର୍ଟମ କରି ମୃତଦେହ ହସ୍ତାନ୍ତର କରିଥିଲା । ହାଜତ ମୃତ୍ୟୁକୁ ଲୁଚାଇବାକୁ ଯାଇ ପୋଲିସ ଦୁର୍ଘଟଣାର ରୂପ ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ପରିବାର ଲୋକେ ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ମୃତଦେହକୁ ଦେଖି ପରିବାର ଓ ସଂପର୍କୀୟଙ୍କ ପାଦତଳୁ ସତେ ଯେମିତି ମାଟି ଖସିଯାଉଛି ।

ପୋଲିସ କିନ୍ତୁ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କରିଛି । ଅଭୟଚାନ୍ଦପୁର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ କହିବା କଥା, ପୋଲିସ୍ ରଙ୍ଗିଆଗଡ଼ ରେଳ ଷ୍ଟେସନ୍ ନିକଟରେ ବ୍ରାଉନସୁଗାର କାରବାର ଖବର ପାଇ ଯାଞ୍ଚ କରିଥିଲା । ଏହି ସମୟରେ ମନୋରଞ୍ଜନ ଓ ଅନ୍ୟ ଜଣେ ବାଇକରେ ଆସିଥିଲେ । ଖସି ପଳାଇବାବେଳେ ରାସ୍ତାକଡ଼ ଏକ କାନ୍ଥରେ ବାଡ଼େଇ ହୋଇଯାଇଥିଲେ ମନୋରଂଜନ । ଏହାପରେ ମନୋରଂଜନଙ୍କୁ ଜଗତସିଂହପୁର ମେଡିକାଲ୍ ନିଆଯାଇଥିଲା, କିନ୍ତୁ ସେଠାରେ ମୃତ୍ୟୁ ହୋଇଯାଇଥିଲା ।

ତେବେ ଅଭୟଚାନ୍ଦପୁର ଥାନାରେ ଦୋହରା ଗଲା କି ପୁରୀ ବାସେଳିସାହି ହାଜତ ମୃତ୍ୟୁ ମାମଲା? ୨୦୨୦, ନଭେମ୍ବର ୧୯ । କେ.ରମେଶ ହାଜତ ମୃତ୍ୟୁବେଳେ ପୁରୀ ଏସପି ଥିଲେ ଏବର ଜଗତସିଂପୁର ଏସପି ଅଖିଳେଶ୍ୱର ସିଂ । ଆଉ ବାସେଳିସାହି ଥାନା ଅଧିକାରୀ ଥିଲେ ଏବେକାର ଅଭୟଚାନ୍ଦପୁର ଆଇଆଇସି ଜୀବନାନନ୍ଦ ଜେନା ।ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ କଂଗ୍ରେସ ଓ ବିଜେପି ଦାବି କରିଛନ୍ତି । ବିଜେପିର ଏକ ଟିମ୍ ମୃତକଙ୍କ ପରିବାରକୁ ଭେଟିଛି । ଅପରପକ୍ଷେ ଭାରତୀୟ ବିକାଶ ପରିଷଦ NHRCରେ ଏ ନେଇ ଏକ ମାମଲା ରୁଜୁ କରିଛି ।

ଏଠି ପ୍ରଶ୍ନ, କାନ୍ଥରେ ପିଟି ହୋଇ ମନୋରଂଜନ ଯଦି ଆହତ ହେଲେ ତେବେ ତାଙ୍କୁ କାହିଁକି ନିକଟ ମେଡ଼ିକାଲ୍କୁ ନିଆଗଲା ନାହିଁ? ଅବସ୍ଥା ଯଦି ସଙ୍କଟାପନ୍ନ ଥିଲା ତେବେ ସିଧାସଳଖ କଟକ ଏସସିବିକୁ ନନେଇ ଜଗତସିଂହପୁର ହସ୍ପିଟାଲରେ ଭର୍ତ୍ତି କରାଗଲା କାହିଁକି ? ରାତାରାତି ଶବ ବ୍ୟବଚ୍ଛେଦ ପଛର ରହସ୍ୟ କଣ ?

ପୂର୍ବତନ ଡିଜିପିଙ୍କ କହିବା କଥା, ହାଜତ ମୃତ୍ୟୁ ଅଭିଯୋଗ ଆସିଲା କ୍ଷଣି ଏକ ଅପରାଧିକ ମାମଲା ରୁଜୁ କରି ତଦନ୍ତ ସହ ୪୮ ଘଣ୍ଟା ମଧ୍ୟରେ ଏସ୍ପି ରିପୋର୍ଟ ଦେବା ଦରକାର । ତେବେ ହାଜତ ମୃତ୍ୟୁ ଅଭିଯୋଗ ସମ୍ପର୍କରେ ଯୋଗାଯୋଗ କରାଯାଇଥିଲେ ବି ଜଗତସିଂପୁର ଏସପି ଅଖିଳେଶ୍ୱର ସିଂଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।