• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଛିଣ୍ଡିଲା ଦୀର୍ଘବର୍ଷର ନ୍ୟାୟିକ କଳି, ତୁଟିଲା ୧୦ ବର୍ଷର ସମ୍ପର୍କ । ରିଲ୍ ଲାଇଫରୁ ରିୟଲ୍ ଲାଇଫ୍ ଯାଏଁ ପତି-ପତ୍ନୀ ବନିଥିବା ସେଲିବ୍ରିଟି ଯୋଡ଼ି ଅନୁଭବ-ବର୍ଷାଙ୍କ ଦାମ୍ପତ୍ୟ ଜୀବନରେ ପଡ଼ିଛି ପୂର୍ଣ୍ଣଛେଦ । ନିଜ ବିବାହ ବାର୍ଷିକୀର ୧୦ ବର୍ଷ ପୂର୍ତ୍ତି ଅବସରରେ ସୋସିଆଲ୍ ମିଡ଼ିଆ X ରେ ଅନୁଭବ ନିଜେ ଏକଥା ପୋଷ୍ଟ କରିଛନ୍ତି । କହିଛନ୍ତି, ୧୦ ବର୍ଷ ଧରି ବେଶ୍ କଷ୍ଟଦାୟକ ଥିଲା ମିଛ ବିବାହ ବନ୍ଧନ ଓ ହୃଦୟହୀନ ସମ୍ପର୍କ । ତେବେ ଆଇନଜୀବୀଙ୍କ ମତ, ବର୍ଷା ଚାହିଁଲେ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବେ ।

ମୋ ପାଇଁ ଏବଂ ମୋ ପରିବାରର ଶାନ୍ତି ପାଇଁ ଯେଉଁମାନେ ପ୍ରାର୍ଥନା କରିଥିଲେ ସମସ୍ତଙ୍କୁ ଧନ୍ୟବାଦ । ମୂଲ୍ୟହୀନ, ଅର୍ଥହୀନ, ହୃଦୟହୀନ, ଯନ୍ତ୍ରଣାଦାୟକ ସଂପର୍କ ଓ ମିଛ ବିବାହର ୧୦ ବର୍ଷ ପୂର୍ତ୍ତିର ଦିନକ ପୂର୍ବରୁ ଆଜି ମୋତେ ମୋ ବିବାହ ବିଚ୍ଛେଦର ଡିକ୍ରି ମିଳିଛି । ତାଙ୍କ ଖୁସି ପାଇଁ ମୁଁ ପ୍ରାର୍ଥନା କରୁଛି...HAPPY ROSE DAY । ଏହାଥିଲା ସୋସିଆଲ୍ ମିଡ଼ିଆ Xରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟ ।

ଦିନେ ଯାହାଙ୍କୁ ସାତ ଜନ୍ମର ସାଥୀ କରିବାର ପଣ କରି ହାତ ଧରିଥିଲେ, ଆଜି ଛାଡ଼ିଦେଲେ ସେହି ହାତକୁ, ସେହି ସାଥୀଙ୍କୁ । ତୁଟିଗଲା ବର୍ଷା-ଅନୁଭବଙ୍କ ମଧ୍ୟରେ ସଂପର୍କ, ୧୦ ବର୍ଷର ଦାମ୍ପତ୍ୟ ଜୀବନ ନାଟକରେ ପଡ଼ିଲା ଯବନୀକା । କୋର୍ଟଙ୍କ ରାୟର ଏକ ଫଟୋ କପିକୁ ପୋଷ୍ଟ କରି ସାଂସଦ ଅନୁଭବ ମହାନ୍ତି ଲେଖିଛନ୍ତି, ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଯାଇଛି ।

ଆଜିର ଦିନରେ ଅର୍ଥାତ ୮ ଫେବ୍ରୁଆରୀରେ ଅନୁଭବ-ବର୍ଷାଙ୍କ ବିବାହ ହୋଇଥିଲା । ଆଉ ଏହାର ଦିନକ ପୂର୍ବରୁ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅନୁଭବ । ତେବେ ଆଇନଜୀବୀଙ୍କ ମତ, ଅଭିନେତ୍ରୀ ବର୍ଷା ଯଦି ଚାହିଁବେ, ଏହି ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇପାରିବେ । ତାଙ୍କ ପାଖରେ ଏବେ ବି ସମୟ ଅଛି ।

୨୦୧୪, ଫେବୃୟାରୀ ୮ । ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେଲିବ୍ରିଟି କପଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି । କିନ୍ତୁ, ବିବାହର କେଇଟା ବର୍ଷ ଭିତରେ ଉଭୟଙ୍କ ମଧ୍ୟରେ ଉପୁଜିଥିଲା ବିବାଦ । ୨୦୨୦ରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ବର୍ଷାଙ୍କ ଆବେଦନ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାମଲା କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରାଯାଇଥିଲା ।

କିନ୍ତୁ ଅନୁଭବ କରିଥିବା ବିବାହ ବିଚ୍ଛେଦ ଆବେଦନ ଏବଂ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ବର୍ଷାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଥିଲେ । ଯାହାକୁ ଚାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଅନୁଭବ । ଆଉ ଅନୁଭବଙ୍କ ଆବେଦନ ସପକ୍ଷରେ ଗତ ଡିସେମ୍ବର ୨୧ରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ରାୟ ଶୁଣାଇଥିଲେ ।

ଆଉ ରାୟର ନିର୍ଦ୍ଧାରିତ ସମୟ ଭିତରେ ଏବେ ଡିକ୍ରି ଅଫ୍ ଡିଭୋର୍ସ ପାଇଛନ୍ତି ଅନୁଭବ । ଏହାପୂର୍ବରୁ ଉଭୟଙ୍କ ମଧ୍ୟରେ ସୋସିଆଲ୍ ମିଡ଼ିଆରେ ଚାଲିଥିଲା ତୁତୁ ମେମେ । ଦିନେ ଅନୁଭବ ଲେଖିଥିଲେ- '(ଭି) ଶସ୍ତା ଓ ହୀନ ରାଜନୀତି ବନାମ୍ (ଏ) ନ୍ୟାୟ'... ବର୍ଷା ଲେଖିଥିଲେ- 'ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ଆବେଦନ ସଫଳ ହୁଏନି । ସୋସିଆଲ୍ ମିଡ଼ିଆରେ ଅନୁଭବ-ବର୍ଷାଙ୍କ ଏଭଳି ଆକ୍ଷେପମୂଳକ ପୋଷ୍ଟକୁ ନେଇ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ଉଭୟଙ୍କୁ ।

ତେବେ ଡିକ୍ରି ଅଫ୍ ଡିଭୋର୍ସ ପାଇଥିବା ଅନୁଭବ ଆଗକୁ କାହା ହାତ ଧରି ବାଟ ଚାଲିବେ ? ଏଣେ ବର୍ଷା ଯଦି ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ, ତା’ହେଲେ ପୁଣି ଗଡ଼ିବ କି ବିବାହ ବିଚ୍ଛେଦ ମାମଲା ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଏ ସଂପର୍କରେ ଅନୁଭବ କିମ୍ବା ବର୍ଷାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

  • Reported by:
  • GAUTAM PANDA , CHANDAN PAIKRAY