Advertisment

ମଶା ଦୌରାତ୍ମ୍ୟରେ ତ୍ରାହି ତ୍ରାହି ଡାକିଲେଣି ଟ୍ୱିନସିଟି

ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ବିଜେପି କର୍ମୀ।

author-image
Chandan Shishu
ଅଦ୍ୟତନ ହୋଇଛି
Mosquito menace in Cuttack & Bhubaneswar

Mosquito menace in Cuttack & Bhubaneswar

ଦୈତନଗରୀ ମଶା ଆତଙ୍କ। କିଛି ଦିନ ହେବ କଟକ ଓ ଭୁବନେଶ୍ୱରରେ ମଶା ଏତେ ବଢିଯାଇଛନ୍ତି ଯେ ରାତି ତ ରାତି ଦିନରେ ବି ସେମାନଙ୍କ ଦାଉରୁ ବର୍ତ୍ତିବା ମୁସ୍କିଲ। ଫଳରେ ଅତିଷ୍ଟ ହୋଇପଡିଲେଣି ସହରବାସୀ। ଘରେ, ବାହାରେ ସବୁଠି ମଶା ଭଣଭଣ ଉଭୟ ସହରରେ ମଶା ସାନ୍ଧ୍ରତା ୧୦୦ ଟପିଛି। ଅର୍ଥାତ ଘଣ୍ଟାଏ ମଧ୍ୟରେ ଜଣେ ଲୋକକୁ କାମୁଡିବାକୁ ଜଗିଛନ୍ତି ଅତି କମ୍‌ରେ ୧୦ଟି ମଶା। ତେବେ ମଶା ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନି। ଡ୍ରେନ ସଫେଇ, ଆବର୍ଜନା ସଫା ଏବଂ ଔଷଧ ସିଞ୍ଜନ ବ୍ୟବସ୍ଥିତ ଢଙ୍ଗରେ କରାଯାଉନି। ଅନ୍ୟପକ୍ଷରେ ଲୋକେ ଘରେ ବ୍ୟବହାର କରୁଥିବା ମଶା ବତୀ, ଲିକ୍ୟୁଇଡ୍ ଓ ଧୂପକୁ ମଶା ଆଦୌ ଖାତିର କରୁନାହାନ୍ତି। ବର୍ଷା ଋତୁ ପରେ ପ୍ରଶାସନ ନିଦରେ ଶୋଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି।

Advertisment

ଏପଟେ ମଶା ସମସ୍ୟାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ମଶା ନିୟନ୍ତ୍ରଣରେ ବିଫଳତାକୁ ନେଇ ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଆଜି ବିଏମସି କାର୍ଯ୍ୟାଳୟ ଆଗରେ ଅଭିନବ ପ୍ରତିବାଦ କରାଯାଇଥିଲା। ମଶାରୀ ଭିତରେ ପଶି ମେୟର ଓ କମିଶନରଙ୍କ ମୁଖା ପିନ୍ଧି ଧାରଣାରେ ବସିଥିଲେ ଦଳୀୟ କର୍ମୀ। ତେବେ ବିଏମସି ଗେଟ ଡେଇଁ ଭିତରକୁ ପଶିବାକୁ ଉଦ୍ୟମ ବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ମଶା ମାରିବା ଧୂଆଁ ଓ ତେଲ ବାବଦକୁ ଆସୁଥିବା ଅର୍ଥ ବାଟମାରଣା ହୋଇଥିବା ଅଭିଯୋଗ କରିିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।

ଗୋଟିଏ ପଟେ ହକି ବିଶ୍ୱ କପ ପାଇଁ ଦୈତନଗରୀକୁ ସଜେଇବା କାମରେ ଲାଗିଛି ବିଏମସି। ରାସ୍ତାଠୁ ନେଇ କାନ୍ଥ ବାଡ ରଙ୍ଗୀନ ହେଉଛି। ଅଳିଆ ଆବର୍ଜନା ସଫା କାମ ବି ଚାଲିଛି। ତେବେ ମଶା କମିବା ବଦଳରେ ବଢିବାରେ ଲାଗିଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ଆଗକୁ ମ୍ୟାଲେରିଆ ଓ ଡେଙ୍ଗୁ ସମସ୍ୟା ଉତ୍କଟ ହେବା ଆଶଙ୍କା କରାଯାଉଛି, ଯାହାର ଶିକାର ବିଦେଶୀ ଅତିଥି ବି ହୋଇପାରନ୍ତି।

Advertisment
Bhubaneswar Cuttack Mosquito
Advertisment
Advertisment