• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି । ଲଢୁଆ ପୁଅକୁ ହରାଇ ଶୋକ ସାଗରରେ ବୁଡ଼ିଛି ସାରା ଗାଁ । ଛତିଶଗଡ଼ରେ ମାଓବାଦୀଙ୍କ IED ବିସ୍ଫୋରଣରେ ସହିଦ ବାଲେଶ୍ୱର ବାହାନଗା ଗୋପାଳପୁର ଗାଁର ପ୍ରକାଶ ଚନ୍ଦ୍ର ଶିଅଳଙ୍କ ପରିବାରରେ କାଲିଠୁ ଲାଗି ରହିଥିଲା ଏମିତି ଅସମ୍ଭବ ନିରବତା । ବୀର ପୁଅକୁ ହରାଇବା ଦୁଃଖରେ ଭାଙ୍ଗି ପଡୁଥିଲେ ମାଆ । ଆଉ ଅବେଳାରେ ହାତ ଛାଡ଼ି ଚାଲିଯାଇଥିବା ସ୍ୱାମୀଙ୍କୁ ମନେ ପକାଇବା ବେଳକୁ ପତ୍ନୀଙ୍କ ମୁଣ୍ଡ ଉପରେ ଛିଣ୍ଡି ପଡୁଥିଲା ଆକାଶ ।

ଗତକାଲି ଓଡ଼ିଶା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କାଙ୍କେର ଜିଲ୍ଲା ରେଙ୍ଗାବାଇ ଜଙ୍ଗଲରେ ମାଓବାଦୀଙ୍କ IED ବିସ୍ଫୋରଣର ଶିକାର ହୋଇଥିଲେ ପ୍ରକାଶ । ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ବିଏସଏଫ ୯୪ ବାଟାଲିଅନରର ଆଉ କିଛି ଯବାନଙ୍କ ସହ ଜଙ୍ଗଲିଆ ରାସ୍ତାରେ ଆଗକୁ ବଢୁଥିବା ବେଳେ ଲାଲ୍ ବାହିନୀ ବିଛାଇ ଥିବା IED ଉପରେ ଅଜଣାତରେ ଗୋଡ଼ ପଡ଼ିଯାଇଥିଲା । ଆଉ ତା ପରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ଗୁରୁତର ହୋଇଥିଲେ ପ୍ରକାଶ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲ । ଆଉ ଏପଟେ ଏ ଦୁଃଖଦ ଖବର ଗୋପାଳପୁର ଗାଁରେ ପହଞ୍ଚିବା ପରେ ଲୁହରେ ଭିଜିଥିଲା ସାରା ଗାଁ ।

ସହିଦ ପ୍ରକାଶଙ୍କ ପାର୍ଥୀବ ଶରୀର ଆଜି ରାୟପୁରରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରୁ ସେନାର ଏକ ସ୍ୱତନ୍ତ୍ର ଗାଡ଼ିରେ ଜନ୍ମମାଟି ଗୋପାଳପୁର ଅଭିମୁଖେ ବାହାରି ଥିଲା ତାଙ୍କ ମରଶୀରର । ଭଦ୍ରକ, ଧମାରା, ଚରମ୍ପା ଓ ସୋର ସହର ଦେଇ ବାହାନଗାରେ ପହଞ୍ଚିବା ପରେ ସେଠାରେ ଅପେକ୍ଷା କରିଥିଲା ବିଶାଳ ଜନସମାବେଶ । ସହିଦଙ୍କ ଶେଷ ଦର୍ଶନ ସହ ତାଙ୍କୁ ସାଲ୍ୟୁଟ୍ ଜଣାଇବାକୁ ରାସ୍ତାରେ ଛିଡ଼ା ହୋଇ ରହିଥିଲେ ଆବାଳ ବୃଦ୍ଧବନିତା । ବାହାନଗାରୁ ଶୋଭାଯାତ୍ରା ଗୋପାଳପୁର ଗାଁରେ ପହଞ୍ଚିବା ବେଳକୁ ସମସ୍ତଙ୍କ ଆଖିରେ ଥିଲା ଲୁହ, ଆଉ ମୁହଁରେ ସହିଦଙ୍କ ପରିବାର ପ୍ରତି ଗଭୀର ସମବେଦନା ।

୨୦୦୬ରୁ BSFରେ ଯୋଗ ଦେଇ ଆଜିକୁ ଦୀର୍ଘ ୧୭ ବର୍ଷ ଧରି ଦେଶ ମାତୃକାର ସେବା କରି ଆସୁଥିଲେ ପ୍ରକାଶ । ଆଉ ମାତ୍ର ୨ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ । ସେ ସହିଦ ହୋଇ ଦେଶର ନାଁ ରଖିଛନ୍ତି ସତ, କିନ୍ତୁ ନିଜର ଦୁଇ କୁନି ପୁଅ, ପତ୍ନୀ ଓ ବିଧବା ମାଆଙ୍କୁ ଅଧା ରାସ୍ତାରେ ଛାଡ଼ି ଚାଲିଯାଇଥିବାରୁ ତାଙ୍କ ପରିବାର ଏବେ ସମ୍ପୂର୍ଣ୍ଣ ବେସାହାରା ।

  • Reported by:
  • RASHMIRANJAN DAS , ARACHANA SATPATHY , Niranjan Behera