• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଅର୍ପଣ ରଥରୁ ମିଳିଛି ୩ କୋଟିରୁ ଅଧିକ ଦକ୍ଷିଣା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ରାଜ୍ୟସାରା ବୁଲିଥିବା ଅର୍ପଣ ରଥରେ ଭକ୍ତ ହାତ ଖୋଲି ଦକ୍ଷିଣା ଦେଇଛନ୍ତି । ଅର୍ପଣ ରଥରୁ ୩ କୋଟି ୬ ଲକ୍ଷ ୬୨ ହଜାର ୮୧୩ ଟଙ୍କା ଦକ୍ଷିଣା ଆକାରରେ ମିଳିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ଯାଏଁ ବୁଲିଥିବା ଅର୍ପଣ ରଥରୁ ଏହି ଅର୍ଥ ସଂଗ୍ରହ ହୋଇଛି । ଅନ୍ୟପଟେ ଗୃହରେ ଶୂନ୍ୟକାଳରେ ବିଜେପି ପୁଣି ଥରେ ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ ଉଠାଇଛି । ରାଜ୍ୟପାଳଙ୍କ ମୁହଁରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରଶଂସା ସରକାର କରାଇଛନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଅର୍ପଣ ରଥରୁ ଉଷୁନା ଚାଉଳ ମିଳିଥିବା ଯାଞ୍ଚ କମିଟି ସଦସ୍ୟ ଦାମୋଦର ମହାସୁଆର ନିଜେ କହିଛନ୍ତି ।

ବାର ମିଶା ଚାଉଳ ଶ୍ରୀ ମନ୍ଦିରକୁ ଗଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ମୋହନ ମାଝୀ । ଲୋକେ ଗୁଆ ସହ ଦାନରେ ଅର୍ଥ ବି ଦେଇଛନ୍ତି । କେତେ ଅର୍ଥ ସଂଗ୍ରହ ହେଲା ତାର ହିସାବ ନାହିଁ ବୋଲି ଅଭିଯୋଗ କରିଛନ୍ତି । ଡାଲା ଅଟୋରେ ସୋଲରେ ନିର୍ମିତ ଜଗନ୍ନାଥଙ୍କୁ ବାନ୍ଧି ବୁଲାଇବା ଜଗନ୍ନାଥ ସଂସ୍କୃତିର ପରିପନ୍ଥୀ ବୋଲି କହିଛନ୍ତି । ଗଜପତି ମହାରାଜ ବି ଅର୍ପଣ ରଥ ମନ୍ଦିର ପ୍ରଶାସନର ନୁହେଁ ବୋଲି ସ୍ପଷ୍ଟ କରିଥିବା ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏ ବାବଦରେ ମୁହଁ ଖୋଲୁନଥିବା କହି ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଙ୍ଗ ଦାବି କରିଥିଲେ ମୋହନ ମାଝୀ । ତେବେ ଏନେଇ ଶାସକ ଦଳ ପକ୍ଷରୁ ପ୍ରତିକ୍ରିୟା ମିଳି ପାରିନାହିଁ । ସେପଟେ ରତ୍ନ ଭଣ୍ଡାର ଖୋଲିବା ନେଇ ବିଧାନସଭାରେ ଆଇନ ମନ୍ତ୍ରୀ ଉତ୍ତର ରଖିଛନ୍ତି । ସ୍କାନିଙ୍ଗ୍ ପରେ ସ୍ଥିତି ଅନୁଧ୍ୟାନ କରାଯାଇ ଚଳିତ ବର୍ଷ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କାର୍ଯ୍ୟ କରା ଯାଇପାରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଶ୍ରୀମନ୍ଦିର ଜଗମୋହନ ସହିତ ସଂଲଗ୍ନ ରହିଛି । ଏ ପ୍ରସଙ୍ଗରେ ୪ ଅଗଷ୍ଟ ୨୦୨୩ରେ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଇଥିଲା ।