Advertisment

ସୌମ୍ୟ ପଟ୍ଟନାୟକ ଲୋନ୍ ସ୍କାମ୍; କ’ଣ ଏହି ବ୍ୟାଙ୍କ ଋଣ ଠକେଇ ?

ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍‌କଲ୍ !

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Soumya Ranjan Patnaik

ଚର୍ଚ୍ଚାରେ ସୌମ୍ୟ ପଟ୍ଟନାୟକ ଲୋନ୍ ସ୍କାମ୍ ତେବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଏବଂ ଇଓଡବ୍ଲୁର ତଦନ୍ତାଧୀନ ଥିବା ଏହି ବ୍ୟାଙ୍କ ଋଣ ଠକେଇ କ’ଣ ? କେମିତି କର୍ମଚାରୀଙ୍କ ନାଁରେ ହେଉଥିଲା ଲୋନ୍ ଘୋଟାଲା ? ଯାହାକୁ ବିଜେଡି ଅର୍ଗାନାଇଜ୍ଡ ବ୍ୟାଙ୍କ ଫ୍ରଡ୍ ବୋଲି କହୁଛି ।

Advertisment

ଋଣ ହେଉଥିଲା କର୍ମଚାରୀଙ୍କ ନାଁରେ, ଟଙ୍କା ପଶୁଥିଲା ମାଲିକଙ୍କ ପକେଟରେ ! ଚାକିରି ଖାଇଯିବାର ଧମକ ଦେଇ ବ୍ଲାଙ୍କ ଚେକରେ ନିଆଯାଉଥିଲା ଦସ୍ତଖତ ! ସିଧାସଳଖ ଏଚ୍.ଆର୍. ଡିପାର୍ଟମେଣ୍ଟରୁ ଆସୁଥିଲା ଧମକପୂର୍ଣ୍ଣ ଫୋନ୍‌କଲ୍ ! ଇଓଡବ୍ଲୁ ତଦନ୍ତ ଆଗକୁ ବଢ଼ିବା ସହ ଖୋଲୁଛି ସମ୍ବାଦ ବ୍ୟାଙ୍କ୍ ଲୋନ୍ ଠକେଇର ଗୋଟିକ ପରେ ଗୋଟିଏ ଗୁମର । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କ ଖବର କାଗଜ ସଂସ୍ଥାର ପୂର୍ବତନ କର୍ମଚାରୀମାନେ ଦେଇଥିବା ଏତଲାରେ ଲେଖା ରହିଛି ଏହି ଘୋଟାଲାର ପୂରା ପ୍ରକ୍ରିୟା । ଜଣେ ଅଭିଯୋଗକାରୀଙ୍କ ଏତଲା ଅନୁସାରେ, ୨୦୧୫ରେ ଦିନେ HR ହେଡ୍ ବୈଜୟନ୍ତୀ କର ତାଙ୍କୁ ଅଚାନକ୍ ଫୋନ୍ କରି ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିବାକୁ କହିଥିଲେ ।

ହେଲେ ଲୋନ୍ ଆବଶ୍ୟକ କରୁନଥିବା ଉକ୍ତ ସ୍ବଳ୍ପ ଦରମାଭୁକ୍ତ କର୍ମଚାରୀ ଜଣକ ଏଥିରେ ରାଜି ନହେବାରୁ ତାଙ୍କୁ କୁହାଯାଇଥିଲା ଯେ, ଖୋଦ୍ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର କିଛି ଟଙ୍କା ଆବଶ୍ୟକ ଥିବାରୁ, ସଂସ୍ଥାର ସବୁ କର୍ମଚାରୀଙ୍କୁ ବ୍ୟାଙ୍କରୁ ଋଣ ଉଠାଇବାକୁ କୁହାଯାଇଛି । ଏହି ନିର୍ଦ୍ଦେଶର ଖିଲାପ କଲେ ଚାକିରି ଚାଲିଯିବ। ଏହାପରେ ତାଙ୍କୁ ଦିନେ ଭୁବନେଶ୍ୱର ସ୍ଥିତ ଏକ ବ୍ୟାଙ୍କକୁ ନିଆଗଲା ଏବଂ ସେଠାରେ ଲୋନ୍ ଆବେଦନ ପାଇଁ ଫର୍ମ ସହିତ ତାଙ୍କର ୬ଟି ବ୍ଲାଙ୍କ ଚେକରେ ଦସ୍ତଖତ ନିଆଗଲା ।ଲୋନ୍ ଆକାଉଣ୍ଟ ଖୋଲାଯିବା ପରେ ସମ୍ପୃକ୍ତ ବ୍ୟାଙ୍କରୁ ମିଳିଥିବା ଚେକରେ ମଧ୍ୟ ଦସ୍ତଖତ କରାଇ ତାକୁ ନିଜ ପାଖରେ ରଖିଦେଲେ HR ବିଭାଗ ଅଧିକାରୀ ।

Advertisment

ପରେ ସମ୍ପୃକ୍ତ କର୍ମଚାରୀ ଜାଣିବାକୁ ପାଇଲେ ଯେ’ ତାଙ୍କ ନାଁରେ ୫ ଲକ୍ଷ ଟଙ୍କା ଋଣ ଉଠିଛି । ଏହାକୁ ସୌମ୍ୟ ଶୁଝିଦେବେ ବୋଲି କଂପାନୀ ପକ୍ଷରୁ କୁହାଗଲା ।ଏହାପରେ ଆଉ ଥରେ ଆକାଉଣ୍ଟ ବିଭାଗ ମୁଖ୍ୟ ଅଫିସକୁ ଡାକି ୪୦ ହଜାର ଟଙ୍କା ଦେଇ କହିଲେ ଯେ, ସୌମ୍ୟରଞ୍ଜନ ପଟ୍ଟନାୟକ ସବୁ କର୍ମଚାରୀଙ୍କୁ ମୋଟର ସାଇକେଲ୍ କିଣିବା ପାଇଁ ଏହା ଦେଉଛନ୍ତି ।ତେବେ ପରେ ସେହି ଟଙ୍କା ପ୍ରତିମାସ କର୍ମଚାରୀଙ୍କ ଦରମାରୁ କଟାଗଲା ।

ଖାଲି ଏତିକି ନୁହେଁ, ଆଉ କିଛି ପୂର୍ବତନ କର୍ମଚାରୀ ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ସମ୍ପୃକ୍ତ ଖବରକାଗଜ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ କମ୍ ଦରମା ପାଉଥିଲେ ବି ତାକୁ ସାଲାରି ସ୍ଲିପ୍ ରେ ବଢ଼ାଇ ଦିଆଯାଉଥିଲା ।ଆଉ ସେହି ବର୍ଦ୍ଧିତ ସାଲାରି ସ୍ଲିପ୍ କୁ ବ୍ୟାଙ୍କରେ ଦିଆଯାଇ ତା ଉପରେ ଲକ୍ଷାଧିକ ଟଙ୍କା ଲୋନ୍ ଉଠାଯାଉଥିଲା ।ହେଲେ ସେ ଟଙ୍କାରୁ ମାତ୍ର ଅଳ୍ପ କିଛି କର୍ମଚାରୀଙ୍କୁ ଦିଆଯାଉ ଥିଲା ଓ ବାକି ଟଙ୍କା କମ୍ପାନୀ ହାତକୁ ଚାଲି ଯାଉଥିଲା ।କମ୍ପାନୀ କର୍ମଚାରୀଙ୍କୁ ଦେଇଥିବା ଟଙ୍କାରୁ ସେମାନଙ୍କ ମାସିକ ଦରମାରୁ କିସ୍ତି ଆକାରରେ କାଟି ଶୁଝୁଥିଲା ।

ଏମିତିକି ଲୋନ୍ ନେବାକୁ ରାଜି ନହେଲେ କମ୍ପାନୀ ପକ୍ଷରୁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯିବା ସହ ଚାକିରି ନେଇଯିବାର ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି ।ଏସବୁ ଦୃଷ୍ଟିରୁ ଇଓଡବ୍ଲୁ ଏହାକୁ ଠକେଇ, ଜାତିଆତି ଓ ଧମକଚମକ ଦେଇ ବେଶ୍ ଯୋଜନାବଦ୍ଧ ଭାବେ ଲୋନ୍ ସ୍କାମ କରାଯାଇଥିବା ଦର୍ଶାଇଛି । ତେବେ ଏ ସଂପର୍କରେ ସମ୍ବାଦ କର୍ତ୍ତୃପକ୍ଷ, ଏଚ୍ଆର୍ ଓ ଆକାଉଣ୍ଟ ବିଭାଗ ମୁଖ୍ୟ କିମ୍ବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ସେପଟେ ଇଷ୍ଟର୍ଣ୍ଣ ମିଡିଆ ଲୋନ୍ ସ୍କାମ ମାମଲାରେ ତଦନ୍ତ ପରିସୀମା ଆହୁରି ବଢ଼ାଇଛି କ୍ରାଇମବ୍ରାଞ୍ଚ EOW । ଆଜି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଭୁବନେଶ୍ୱର ଜୟଦେବ ବିହାର ବ୍ରାଞ୍ଚ ମ୍ୟାନେଜରଙ୍କୁ ପଚରାଉଚରା ହୋଇଛି । ଏଥିସହ ସମ୍ବାଦ କାର୍ଯ୍ୟାଳୟକୁ ଯାଇ ପୁଣିଥରେ ଛାନଭିନ୍ କରିଛି EOW ଟିମ୍ । ଡିଜିଟାଲ୍ ପ୍ରମାଣ ସଂଗ୍ରହ ପାଇଁ ସାଇବର ଟିମ୍ ଆକାଉଣ୍ଟସ ବିଭାଗର କଂପ୍ୟୁଟର ହାର୍ଡଡିସ୍କ ଜବତ କରିଥିବା ସୂଚନା ମିଳିଛି ।ପୂର୍ବରୁ କିଛି ପ୍ରମୁଖ ସାକ୍ଷୀ, ପୀଡ଼ିତ ଏବଂ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିବା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଇଓଡବ୍ଲୁ ।

Soumya Ranjan Patnaik Odisha Politics EOW
Advertisment
Advertisment