• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପ୍ରିୟଜନଙ୍କ ମୃତ୍ୟୁରେ ମଣିଷଙ୍କ ଭଳି ଇତର ପ୍ରାଣୀ ମାଙ୍କଡ଼ ବି ପାଳିପାରେ ଶୋକ । ଆଖିରୁ ଲୁହ ଗଡ଼ାଏ ଆଉ ଘଣ୍ଟା ଘଣ୍ଟା ଧରି ପାର୍ଥିବଶରୀରର ପାଖେପାଖେ ଜଗି ରହେ । ଦୁଇ ଦିନ ତଳେ ଜଗତସିଂହପୁର ଏରସମା ବ୍ଲକ ନୂଆଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସେ, ପରିବାରର କେହି ସଦସ୍ୟ ନୁହେଁ, କି ସମ୍ପର୍କୀୟ । କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।

ଜଗତସିଂହପୁର ଏରସମା ବ୍ଲକ୍ ନୂଆଗାଁର ୪୬ ବର୍ଷୀୟା ମଞ୍ଜୁ ଦାସଙ୍କର ଗୁରୁବାର ସକାଳେ ମୃତ୍ୟୁ ହୋଇଥିଲା । ପରେ ସାଇଭାଇ ଓ ପାଖ ପଡ଼ୋଶୀ ମଞ୍ଜୁଙ୍କ ଅନ୍ତିମ ସତ୍କାର ଲାଗି କୋକେଇ ବାନ୍ଧୁଥିବା ବେଳେ ହଠାତ ମଞ୍ଜୁଙ୍କ ମରଶରୀର ପାଖକୁ ଚାଲି ଆସିଥିଲା ଏକ ହନୁ ମାଙ୍କଡ଼ ।

ଆଉ ଆତ୍ମୀୟଙ୍କ ଭଳି ମଞ୍ଜୁଙ୍କ ମୃତଦେହ ପାଖରେ ବସିଥିଲା । ଖାଲି ବସିନଥିଲା ବରଂ ଅନ୍ୟ ପ୍ରିୟଜନଙ୍କ ଭଳି ଶୋକାବିଭୁତ ମୁଦ୍ରାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଗି ରହିଥିଲା । ତା ଭିତରେ କେତେବେଳେ ସେ ମୃତା ମଞ୍ଜୁଙ୍କ ପାଦ ଆଉଁସି ଦେଉଥିଲା ତ ଆଉ କେତେବେଳେ ମୁହଁମାଡ଼ି ପଡ଼ି ରହୁଥିଲା । ଆଉ ମାଙ୍କଡ଼ର ଏତାଦୃଶ ଆଚରଣ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଉପସ୍ଥିତ ଲୋକେ ।

ଏଠାରେ ପ୍ରଶ୍ନ ଉଠୁଛି ଆଗରୁ କେବେବି ପରିଚୟ, ସମ୍ପର୍କ କି ସ୍ନେହ ପାଇନଥିବା ଏ ଇତର ପ୍ରାଣୀ ମାଙ୍କଡ଼ର ଏଭଳି ଆଚରଣ କାହିଁକ ? ଏକ ମାଙ୍କଡ଼, ମାଙ୍କଡ଼ରେ ମୃତ୍ୟୁରେ ମିୟମ୍ରାଣ ହେବା ସ୍ୱାଭାବିକ, ହେଲେ ଏଠି ଜଣେ ମଣିଷର ମୃତ୍ୟୁରେ କଣ ପାଇଁ ଶୋକରେ ବୁଡ଼ିଗଲା ଏ ଅପରଚିତ ଜୀବ ? ଏ ପ୍ରଶ୍ନ ଏବେ ସମସ୍ତଙ୍କୁ ଆନ୍ଦୋଳିତ କରିଛି ।
ପାରାଦୀପରୁ ରମାକାନ୍ତ ନାଏକ, ଓଟିଭି