• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସବୁଠି ଏବେ 5Gର ଚର୍ଚ୍ଚା । କଟକ, ଭୁବନେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 5G ସେବା ଲଞ୍ଚ କରୁଛନ୍ତି ଟେଲିକମ୍ କମ୍ପାନୀ । ହେଲେ ରାଜ୍ୟର ଅନେକ ଅଞ୍ଚଳ ଏବେ ବି 2G ସେବାଠୁ ବହୁ ଦୂରରେ । ଫଳରେ ସରକାରଙ୍କ ଡିଜିଟାଲ ସେବା ତ’ ଦୂର କଥା, ଅନଲାଇନରେ ପାଠପଢ଼ା କିମ୍ବା ଜରୁରୀ କଲ୍ ପାଇଁ ବି ଲୋକଙ୍କୁ ବହୁ ପାହାଡ଼ କିମ୍ବା କିଲୋମିଟର କିଲୋମିଟର ଦୂରରେ ନେଟୱର୍କ ଥିବା ସ୍ଥାନକୁ ଯିବାକୁ ପଡ଼ୁଛି ।

ସଡ଼କ ଓ ବିଜୁଳି ସଂଯୋଗ ଥିବା ମାଲକାନଗିରି ଚିତ୍ରାକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି । କିଏ ମଞ୍ଚା ଉପରେ ବସି ଫୋନ୍ ଦେଖୁଛି ତ’ ଆଉ କିଏ ପାହାଡ଼ ଚଢ଼ି ମୋବାଇଲ ଜରିଆରେ ପାଠ ପଢ଼ୁଛି । ପୁଣି ଜରୁରୀ ଫୋନ୍ କଲ୍ ଟେ ଲାଗି କିଏ ପାହାଡ଼ ଜଙ୍ଗଲରେ କୋଶେ ଦୂରକୁ ଚାଲି ଚାଲି ଯାଉଛି । କାରଣ ବିକାଶ ଧାରାରେ ସାମିଲ ହୋଇଥିବା ସ୍ୱାଭିମାନ ଅଞ୍ଚଳର ରାଳେଗାଡ଼ା, ଧୂଳିପୁଟ, ଗଜଳମାମୁଡ଼ି, କୁରୁମାନୁର, ପାପୁଲୁର ଭଳି ପଞ୍ଚାୟତ ମୋବାଇଲ୍ ବା ଇଣ୍ଟରନେଟ୍ ସେବାରେ ଏବେ ବି ଅପହଞ୍ଚ ।

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍‌ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଗଛ ମୂଳକୁ । ଏମିତିକି ରାତି ସିଫ୍ଟ ହେଲେ ବି ଏଠାକୁ ଆସି କାମ କରୁଛନ୍ତି ବୋଲି କହିଛନ୍ତି ନୀତିନ । ସ୍ଥିତି ଏମିତି ଯେ ବ୍ୟାଙ୍କରେ ଇଣ୍ଟରନେଟ୍ ଠିକରେ କାମ କରୁନଥିବାରୁ ବ୍ୟାଙ୍କିଙ୍ଗ୍ ସେବା ପାଇଁ ବାରମ୍ବାର ଦୌଡ଼ୁଛନ୍ତି ଗ୍ରାହକ । କୋରାପୁଟ ଲମତାପୁଟ ବ୍ଲକର ବହୁ ପଞ୍ଚାୟତର ଅନେକ ପଞ୍ଚାୟତରେ ବି ମୋବାଇଲ ନେଟ୍‌ୱର୍କ ଓ ଇଣ୍ଟରନେଟର ସେଇ ସମାନ ଅବସ୍ଥା ।

ଖାଲି ସେତିକି ନୁହେଁ, ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ- ଟ୍ରାଇ ତଥ୍ୟ କହୁଛି, ଓଡ଼ିଶାର ଟେଲିକମ୍ ସାନ୍ଦ୍ରତା ୭୬. ୦୯ ପ୍ରତିଶତ । ଅର୍ଥାତ୍ ଏବେ ବି ରାଜ୍ୟର ୨୩ ପ୍ରତିଶତ ଲୋକ ଟେଲିକମ୍ ସେବାରୁ ବଞ୍ଚିତଉ । ଏପରିକି ଓଡ଼ିଶାର ଟେଲିକମ୍ ସାନ୍ଦ୍ରତା ଜାତୀୟ ହାର ୮୪.୫୨ ପ୍ରତିଶତ ତୁଳନାରେ ଢେର୍ କମ୍ । ବହୁ ଉପାନ୍ତ ଅଞ୍ଚଳରେ ଟେଲିକମ୍ ନେଟୱର୍କ ନଥିବାରୁ ଟେଲି ସାନ୍ଦ୍ରତାରେ ବହୁ ପଛରେ ରହିଛି ଓଡ଼ିଶା । ଏଣୁ 5G ସେବା ପରିବର୍ତ୍ତେ ରାଜ୍ୟର ସବୁ ଅଞ୍ଚଳକୁ ଟେଲିକମ୍ ସେବା ପହଞ୍ଚାଇବା ପାଇଁ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି କହିଛନ୍ତି ବିଶେଷଜ୍ଞ ।