• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିଜର ଅଜବ ଖିଆଲ ପାଇଁ ଆମ ଭିତରୁ ଅନେକ ଲୋକ ଭିନ୍ନ, ସ୍ୱତନ୍ତ୍ର ଓ ଚର୍ଚ୍ଚିତ । ସେହିଭଳି ଜଣେ ଲୋକ ହେଉଛନ୍ତି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ଗାଁର ବିଜୟ କୁମାର ଗୌଡ଼ । ତାଙ୍କ ସ୍ୱତନ୍ତ୍ରତା ହେଉଛି, ସେ ଓଡ଼ିଆ ଭାଷାକୁ ଊର୍ଦ୍ଦୁ ଭଳି ଓଲଟାଇ ଲେଖନ୍ତି । ଏଇ ନିଆରା କୃତି ପାଇଁ ବେଶ୍ ଲୋକପ୍ରିୟତା ସାଉଁଟିଛନ୍ତି ବିଜୟ।

ପେଷା ତାଙ୍କ ପରିବା ବ୍ୟବସାୟ । ନିଶା କିନ୍ତୁ କିଛି ଅଲଗା କରିବା । ସାଧାରଣ ଲୋକଙ୍କଠାରୁ ତାଙ୍କ କାମ-କାଇଦା ଟିକିଏ ଭିନ୍ନ । ଗଞ୍ଜାମ ବେଗୁନିଆପଡ଼ା ବ୍ଲକ୍ ସୁମଣ୍ଡଳ ଗାଁର ବିଜୟ କୁମାର ଗୌଡ଼ । ସେ ପଢୁଥିବା ଏ କବିତା ପଂକ୍ତି ତାଙ୍କ ସ୍ୱରଚିତ । ତେବେ ସେ, ତାଙ୍କର ଏ କବିତା ପାଇଁ ନୁହେଁ, ବରଂ ଲେଖିବାର ଶୈଳୀ ଓ ଅଜବ ଖିଆଲ ପାଇଁ ଅଞ୍ଚଳରେ ବେଶ୍ ଲୋକପ୍ରିୟ । ବିଜୟ ଓଡ଼ିଆରେ ଯାହା ଲେଖନ୍ତି, ସବୁ କିଛି ଊର୍ଦ୍ଦୁ ଭାଷା ଭଳି ଓଲଟା ଅକ୍ଷରରେ ଲେଖନ୍ତି ।

ଲେଖା ଓଲଟା ହେଲେ ବି ଅକ୍ଷର, ବନାନ କିମ୍ବା ଭାବ କି ଭାଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ନିର୍ଭୁଲ ଥାଏ । ତାଙ୍କ ଲେଖା ପଢ଼ିବାକୁ ହେଲେ ଟିକେ ଅକଲ ଖର୍ଚ୍ଚ କରିବାକୁ ପଡ଼େ । କାଗଜଟିକୁ ଓଲଟାଇ ଦେଖିଲେ, କିମ୍ବା ଦର୍ପଣରେ ଦେଖାଇଲେ, ତାହା ସାଧାରଣ ଲେଖା ଭଳି ସ୍ପଷ୍ଟ ପଢି ହୁଏ । କେବଳ କେତୋଟି ଶବ୍ଦ କିମ୍ବା ଧାଡ଼ି ନୁହେଁ, ଶହ ଶହ ପୃଷ୍ଠାର ଲେଖାକୁ ସେ ଅତି ସହଜରେ ଲେଖିବାରେ ଯେତିକି ଧୁରନ୍ଦର ସେତିକି ଦକ୍ଷ ।

ବିଜୟଙ୍କର ଓଲଟାଇ ଲେଖିବାର କଳା ଆଜିକାଲିର ନୁହେଁ । ପିଲାବେଳେ ସ୍କୁଲରେ ପାଠ ପଢ଼ିବା ବେଳୁ ହିଁ ତାଙ୍କ ଭିତରେ ଦେଖା ଦେଇଥିଲା ଏ ଅଜବ ଖିଆଲ । ଦିନେ ଶ୍ରେଣୀଗୃହରେ କୌତୁହଳ ବଶତଃ ଏମିତି ଓଲଟାଇ ଲେଖୁ ଲେଖୁ ତାହା ପରବର୍ତ୍ତି ସମୟରେ ତାଙ୍କ ରୁଚି ଓ ପରେ ଅଭ୍ୟାସରେ ପରିଣତ ହୋଇଥିଲା । ଆଉ ତା’ ପରେ ବିଭିନ୍ନ ଲେଖାଲେଖି ମାଧ୍ୟମରେ ସେ ତାଙ୍କ ଅଭ୍ୟାସକୁ ଜାରି ରଖିଥିଲେ । ବିଜୟ ଏବେ ଗପ, କବିତା, ଢଗଢମାଳି, ରଚନା, ଦରଖାସ୍ତ ଆଦି ସବୁକିଛି ନିର୍ଭୁଲ ଭାବେ ଓଲଟାଇ ଲେଖିବାର ଦକ୍ଷତା ରଖନ୍ତି । ତା’ ସହ ଓଡ଼ିଆ ଢଗଢମାଳୀକୁ ଅନର୍ଗଳ କହିବାରେ ମଧ୍ୟ ସେ ବେଶ ପାରଙ୍ଗମ । ତାଙ୍କର ଏ ବିରଳ କଳା ଓ କୃତିତ୍ୱ ପାଇଁ ଆଖପାଖ ଅଞ୍ଚଳରେ ବେଶ୍ ଲୋକପ୍ରିୟ ସେ ।

  • Reported by:
  • Silu Biswal

OTV is now on Whatsapp

Join and get latest news update delivered to you via whatsapp

Join Now