• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଘର ଘର ବୁଲି ଭିକ ମାଗୁଛନ୍ତି ପୁଅ, ଝିଅ । ଏ ଦୃଶ୍ୟ ଏତେ ଦାରୁଣ, ଏତେ କଷ୍ଟଦାୟକ ଯେ, ବୟାନ କରିବା ସମ୍ଭବପର ନୁହେଁ । ଯେଉଁ ବୟସରେ ପାଠ ପଢ଼ିବା କଥା, ଯେଉଁ ବୟସରେ ଖେଳିବା ବୁଲିବା କଥା ସେହି ସମୟରେ ଭିକ ମାଗିବାକୁ ବାଧ୍ୟ କରିଛି ସମୟ ।

ହାତରେ ବ୍ୟାଗ୍, କାନ୍ଧରେ ବାପାର ଶୁଦ୍ଧି ପାଇଁ ପଡ଼ିଥିବା ଗାମୁଛା । ସକାଳୁ ଭାଇ, ଭଉଣୀ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି । ବାପା ନାହାନ୍ତି...ତାଙ୍କ ଅନ୍ତେ ସବୁ ଦାୟିତ୍ୱ ଭାଇ, ଭଉଣୀଙ୍କ ଉପରେ...ଶୁଦ୍ଧି ତ କରିବାକୁ ପଡ଼ିବ, କ୍ରିୟା ତ ସାରିବାକୁ ହେବ । ସେଥିପାଇଁ ବାହାରିଛନ୍ତି କଅଁଳ ବୟସରେ କୋଟିଏ ସ୍ୱପ୍ନକୁ ଚୁରମାର କରି ଭିକ ମାଗିବାକୁ ।

ପାଖରେ ପଇସା ନାହିଁ, ତେଣୁ ସାହି ପଡ଼ିଶାଙ୍କୁ ଗୁହାରୀ କରୁଛନ୍ତି । ନେହୁରା ହୋଇ ଜଣାଉଛନ୍ତି, ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟ ଦେବା ପାଇଁ । ଏ ଘଟଣା ବାଲେଶ୍ୱର ବସ୍ତା ବ୍ଲକ ପହଣା ଗାଁର । ହୃଦୟକୁ ଶକ୍ତ କରି, ହାତରେ ବ୍ୟାଗକୁ ଜାବୁଡ଼ି ଧରିଥବା ଏହି କୁନି ଆଖି ଯେ ବାପା ସହ କେତେ କଥା ହେଇଥିବ, ତା’ର କଳନା ନାହିଁ। ହେଲେ ସେ ସବୁ ଯେମିତି ପର କରି ବାପା ସପ୍ତାହେ ତଳେ ଚାଲିଗଲେ ।

ସେ ଥିଲେ ଘରର ମେରୁଦଣ୍ଡ, ଯାହା ଖଟିକି ଆଣୁଥିଲେ ସେଥିରେ ମାଆ ଆଉ ବୁଢ଼ୀମାଆଙ୍କ ସହ ୫ ପ୍ରାଣୀ କୁଟୁମ୍ବ ଖୁସିରେ ଚଳି ଯାଉଥିଲା । ହେଲେ ତାଙ୍କ ଅନ୍ତେ କେମିତି ଯେ ଦିନ କଟିବ, କେମିତି ଯେ ଜୀବନ ବିତିବ, ଭାବିଲା ବେଳେ ଛାତିର କୋହ ଆଉ ଆଖିର ଲୁହ ପାଟିର କଥାକୁ ଅଟକେଇ ଦେଉଛି ।

ଜରି ପାଲ ଟଣା ମାଟି ଝୁମ୍ପୁଡ଼ି ତଳେ ରହୁଥିଲେ ରବୀନ୍ଦ୍ର ମୁଖୀଙ୍କ ପରିବାର । ପୂର୍ବରୁ ନିଜ ବଡ଼ ପୁଅକୁ ହରାଇଥିଲେ ଆଉ ଏହା ପରେ ନିଜେ ବି ଅଜଣା ରୋଗରେ ପୀଡ଼ିତ ହୋଇ ଆଖି ବୁଜିଛନ୍ତି । ହେଲେ ତାଙ୍କ ପରେ ଘର ସମ୍ଭାଳିବାକୁ କେହି ନାହିଁ । ରୋଗଗ୍ରସ୍ତ ମାଆ ବାହୁନି ବାହୁନି କାନ୍ଦୁଛି ଆଉ ସ୍ତ୍ରୀଙ୍କ ଆଖିରୁ ଯେପରି ଲୁହ ଶୁଖୁନାହିଁ । ଏମିତି ନିଷ୍ଠୁର କେମିତି ହେଇପାରିବ ବିଧାତା, ଏତେ ପଥର କେମିତି ହୋଇପାରିବ । ଯିଏ ଏମାନଙ୍କୁ ଦେଖୁଛି, ସେ ନିଜ ଲୁହ ସମ୍ଭାଳି ପାରୁନି ।

ବାପା ଆଉ ଫେରିବେନି କି ବାପାଙ୍କୁ କେହି ଫେରାଇ ବି ପାରିବେନିା ବାପାଙ୍କ ସେଇ ଉଷୁମ ହାତର ସ୍ପର୍ଶ ଓ ମୁଣ୍ଡ ଉପରେ ଥିବା ଶକ୍ତିଶାଳୀ ଭରସା ଆଉ ଫେରିବନି । କିନ୍ତୁ ତାଙ୍କ ସ୍ୱପ୍ନକୁ ପୂରା କରିବାକୁ ଏମାନେ ଲାଗିଛନ୍ତି । ଏତେ ସଂଘର୍ଷ ଭିତରେ ବି ନିଜ ପାଠ ପଢ଼ାକୁ ଜାରି ରଖିଛନ୍ତି ଭାଇ ଭଉଣୀ ।

  • Reported by:
  • Ajit Das