• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବୟସ୍କଙ୍କ ପାଇଁ ଖୁସି ଖବର । ବଢ଼ିଲା ମଧୁବାବୁ ପେନସନ୍ ଯୋଜନାର ଭତ୍ତା ଟଙ୍କା । ଏହି ଯୋଜନାରେ ୫ ଶହ ଟଙ୍କା ଅଧିକ ବୃଦ୍ଧି କରାଯାଇଛି । ସେହିପରି ମଧୁବାବୁ ପେନସନ ଯୋଜନାରେ ସର୍ବନିମ୍ନ ସହାୟତା ୧ ହଜାର ଟଙ୍କା କରାଯାଇଛି । ଚଳିତ ଫେବ୍ରୁୟାରୀରୁ ଏହା ଲାଗୁ ହେବ । ଫେବୃୟାରୀ ୨୦ରୁ ୨୫ ମଧ୍ୟରେ ବର୍ଦ୍ଧିତ ପେନସନ ମିଳିବ । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି । ଜାତୀୟ ସାମାଜିକ ସୁରକ୍ଷା ହିତାଧିକାରୀ ମଧ୍ୟ ରାଜ୍ୟ ସରକାରଙ୍କ ଏହି ବର୍ଦ୍ଧିତ ଭତ୍ତା ପାଇବାର ସୁବିଧା ପାଇବେ । ଏଥିପାଇଁ ବାର୍ଷିକ ଖର୍ଚ୍ଚ ହେବ ୩ ହଜାର ୬୮୩ କୋଟି ଟଙ୍କା ।

ପୂର୍ବରୁ ଏହି ଯୋଜନାରେ ହିତାଧିକାରୀମାନେ ଯଥାକ୍ରମେ ୫ଶହ ଟଙ୍କା, ୭ଶହ ଟଙ୍କା ଓ ୯୦୦ ଟଙ୍କା ପାଉଥିଲେ । ହେଲେ ବର୍ଦ୍ଧିତ ପେନସନ ଅନୁଯାୟୀ ବର୍ତ୍ତମାନ ସେମାନଙ୍କୁ ଏବେ ଯଥାକ୍ରମେ ୧୦୦୦ ଟଙ୍କା, ୧୨୦୦ ଟଙ୍କା ଓ ୧୪୦୦ ଟଙ୍କା ମିଳିବ ।

ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀମାନଙ୍କୁ ଫେବ୍ରୁଆରୀ ମାସର ପେନସନ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟକ୍ଷ ଭାବେ ମିଳିବ । ପୂର୍ବରୁ ବିଭିନ୍ନ ଅଞ୍ଚଳର ଲୋକମାନେ ମଧୁବାବୁ ପେନସନ ରାଶି ବୃଦ୍ଧି କରିବାକୁ ଅନୁରୋଧ କରିଥିଲେ । ଲୋକଙ୍କ ଅନୁରୋଧକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସାମାଜିକ ସୁରକ୍ଷା ପେନସନ ଯୋଜନାର ଏହି ରାଶି ପରିମାଣକୁ ବୃଦ୍ଧି କରିଛନ୍ତି ।

ନିକଟରେ ମୁଖ୍ୟମନ୍ତ୍ରୀ ମଧୁବାବୁ ପେନସନ ଯୋଜନାର ହିତାଧିକାରୀମାନଙ୍କ ସଂଖ୍ୟା ବୃଦ୍ଧି କରିଥିଲେ । ଗତ ବର୍ଷ ଅଗଷ୍ଟରେ ୪.୧୩ ଲକ୍ଷ ବୃଦ୍ଧି ପାଇଥିଲା ଏବଂ ଏବେ ଆଉ ୪ ଲକ୍ଷ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ସମୁଦାୟ ୩୬.୭୫ ଲକ୍ଷ ହିତାଧିକାରୀ ଏହି ଯୋଜନାର ଲାଭ ପାଉଛନ୍ତି।

ଖାଲି ସେତିକି ନୁହେଁ, ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଏହି ପେନସନ ବ୍ୟବସ୍ଥା କରିଛନ୍ତି । ଯେପରିକି ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତା ମହିଳା, ସୁସ୍ଥ ହୋଇଥିବା କୁଷ୍ଠ ରୋଗୀ, ଓଡିଶା ରାଜ୍ୟ ଏଡ୍‌ସ ସେଲ ଦ୍ୱାରା ଚିହ୍ନଟ ଏଡ୍‌ସ ରୋଗୀ, ଛାଡ଼ପତ୍ର ପାଇଥିବା ମହିଳା, କିନ୍ନର, କୋଭିଡ ଦ୍ୱାରା ହୋଇଥିବା ଅନାଥ ପିଲା ଓ ବିଧବାଙ୍କ ସହିତ ଅନ୍ୟାନ୍ୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିଙ୍କୁ ସାମିଲ କରାଯାଇଛି।

ଏହି ଯୋଜନାରେ ଛୋଟ ପିଲାଙ୍କ ଠାରୁ ୭୯ ବର୍ଷ ପର୍ଯ୍ୟନ୍ତ ହିତାଧିକାରୀ ମାନେ ମାସକୁ ୫୦୦ ଟଙ୍କା ପାଇଥାନ୍ତି । ୮୦ ବର୍ଷ ବା ଅଧିକ ବୟସର ଲୋକଙ୍କୁ ମାସକୁ ୭୦୦ ଟଙ୍କା ମିଳୁଥିଲା ।

ଭିନ୍ନକ୍ଷମ ବ୍ୟକ୍ତିଙ୍କ କ୍ଷେତ୍ରରେ ୪୦ ରୁ ୫୯ ପ୍ରତିଶତ ଅକ୍ଷମତା ଥିବା ଲୋକ ମାସକୁ ୫୦୦ ଟଙ୍କା ପାଉଥିବା ବେଳେ ୬୦ ପ୍ରତିଶତ ବା ଅଧିକ ଅକ୍ଷମତା ଥିବା ବ୍ୟକ୍ତି ୭୦୦ ଟଙ୍କା ପାଉଥିଲେ । ୬୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ୮୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସିକ ୯୦୦ ଟଙ୍କା ଦେଉଥିଲେ ରାଜ୍ୟ ସରକାର । ହେଲେ ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ପେନ୍‌ସନ୍‌ ଯୋଜନାରେ ଯଥାକ୍ରମେ ହିତାଧିକାରୀଙ୍କୁ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ମିଳିବ ।