• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ମଶାନ, ନାଁ ଶୁଣିଲେ ଯେଉଁଠି ଛାତିରେ ଛନକା ପଶିଯାଏ । ସେଠି ପୁଣି ଜଣେ ମହିଳା ୧୩ ବର୍ଷ ଧରି ଅହୋରାତ୍ର ଶବ ସତ୍କାର କରୁଛନ୍ତି । ଶୁଣି ଆଶ୍ଚର୍ଯ୍ୟ ହେବେ ୧୦ ହଜାରରୁ ଅଧିକ ଶବ ଦାହ କରିଥିବା ସେ ଦାବି କରିଛନ୍ତି । ବାରିପଦାର ବାରୁଣୀ ଘାଟ ଶ୍ମଶାନରେ ଲକ୍ଷ୍ମୀ ନାମ୍ନୀ ଜଣେ ମହିଳାଙ୍କ ଏ ସେବା ମନୋଭାବ ଯେମିତି ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରେରଣା ।

ନିସ୍ୱାର୍ଥପର ସେବା ଯାହାର ମନ୍ତ୍ର । ବିପଦରେ ସାହାଯ୍ୟ କରିବାକୁ ଯାହାର ମନ । ତାଙ୍କୁ ବା ଡର କ’ଣ, ଭୟ କ’ଣ । ବାରିପଦା ବାରୁଣୀ ଘାଟ ଶ୍ମଶାନରେ ବେଶ୍ ପରିଚିତା ନାଁ ଲକ୍ଷ୍ମୀ ଜେନା । ଦୀର୍ଘ ୧୩ବର୍ଷ ଧରି ଅବିରତ କରି ଚାଲିଛନ୍ତି ଶବ ସତ୍କାର। ଶ୍ମଶାନରେ ସ୍ୱାମୀଙ୍କୁ ସାହାଯ୍ୟ କରୁ କରୁ ତା’ ଭିତରେ କେତେବେଳେ ଜଣେ ପୋଖତ ଶବ ଦାହକ ପାଲଟିଯାଇଛନ୍ତି ଲକ୍ଷ୍ମୀ, ସେ ନିଜେ ବି ଜାଣନ୍ତିନି । ପରିଣତ ବୟସରେ ହେଉ କି ଅକାଳ ମୃତ୍ୟୁ, ଶବଟିଏ ଆସିଲେ ସତ୍କାର ପାଇଁ ଅଣ୍ଟା ଭିଡ଼ି ଆଗେଇ ଆସନ୍ତି । କେବେ ମୁହଁ ଖୋଲି ମୂଲ ମାଗନ୍ତିନି,ମୃତକଙ୍କ ସାଙ୍ଗରେ ଆସିଥିବା ଆତ୍ମୀୟ ଯାହା ଖୁସିରେ ଦିଅନ୍ତି, ମନା କରନ୍ତିନି ।

ୟା ନୁହେଁ ଯେ, ଲକ୍ଷ୍ମୀଙ୍କର ଘର ସଂସାର ନାହିଁ କି ପିଲାଛୁଆ ନାହାନ୍ତି । ପାଞ୍ଚ ପାଞ୍ଚଟି ସନ୍ତାନର ଜନନୀ ସେ । ଏଇ ବାରୁଣୀ ଶ୍ମଶାନ ପାଖରେ ରୁହନ୍ତି, ସେଇଠି ପିଲାଙ୍କ କଥା ବୁଝନ୍ତି, ଶବ ସତ୍କାର ବି କରନ୍ତି । ଯେଉଁ କର୍ମମୟ ହାତ, ପିଲାଙ୍କ ମୁହଁରେ ଦାନା ଦିଏ, ସେଇ ହାତ ଶବକୁ ପଞ୍ଚତତ୍ତ୍ୱରେ ବିଲୀନ କରାଏ । କି ନିଶାର୍ଧ ରାତି କି ଶୂନ୍ ଶାନ୍ ମଧ୍ୟାହ୍ନ, ଶବଟିଏ ଆସିଲେ ତତ୍‌କ୍ଷଣାତ୍ ଚଞ୍ଚଳ ହୋଇ ପଡ଼ନ୍ତି ଲକ୍ଷ୍ମୀ । ୧୩ ବର୍ଷ ଭିତରେ ହଜାରେରୁ ଅଧିକ ଶବ ଦାହ କରି ସାରିଲେଣି, କିନ୍ତୁ କେବେ ଶ୍ରେୟ ନେବାକୁ ଇଚ୍ଛା କରିନାହାନ୍ତି । ସେଇଥି ପାଇଁ ତ ସେ ସମସ୍ତଙ୍କ ପ୍ରଶଂସାସର ପାତ୍ର । ଲକ୍ଷ୍ମୀଙ୍କ ସାହସ ଓ ସେବା ପରାୟଣ ମନୋବୃତ୍ତି ଆଜିର ଦୁନିଆ ପାଇଁ ଏକ ବିରଳ ଉଦାହରଣ ନିଶ୍ଚୟ ।