• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ମଧୁବାବୁ ପେନସନ୍ ଯୋଜନାରେ ବନ୍ଦ ହେଲା ଡିବିଟି ମୋଡ୍ ପେମେଣ୍ଟ। ବିଭିନ୍ନ କାରଣରୁ ଭତ୍ତା ପାଇଁ ବୃଦ୍ଧବୃଦ୍ଧାଙ୍କ ଦହଗଞ୍ଜକୁ ଦୃଷ୍ଟିରେ ରଖି ଏଇ ଯୋଜନାରେ ହିତାଧିକାରୀଙ୍କୁ ଆସନ୍ତା ମାସରୁ ନଗଦ ଟଙ୍କା ଆକାରରେ ପେନ୍ସନ୍ ଦେବାକୁ ନୋଟିଫିକେସନ୍ ଜାରି କରିଛନ୍ତି ରାଜ୍ୟ ସରକାର।ବୟସାଧିକ କାରଣରୁ ଯେଉଁମାନେ ଭତ୍ତା ବିତରଣ କେନ୍ଦ୍ରକୁ ଆସି ନପାରିବେ ସେମାନଙ୍କ ଘରକୁ ପେନସନ ଅର୍ଥ ପହଞ୍ଚାଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।

ଭତ୍ତା ପାଇଁ କେତେ ସଂଗ୍ରାମ... କେତେ ସଂଘର୍ଷ... ଖଇଫୁଟା ଖରାରେ ବ୍ୟାଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ କିଏ ନଇଁ ନଇଁ ହତାଶାର ବାଟ ଚାଲୁଥିଲେ ତ...ତ ଟଙ୍କା କେଇଟା ପାଇଁ ୮୦ ବର୍ଷ ବୟସରେ କାହାକୁ ବାହିବାକୁ ହେଉଥିଲା ଏମିତି ଦୁର୍ଦ୍ଦଶାର ଡଙ୍ଗା। ଆଉ ବ୍ୟବସ୍ଥାର ନିପାରିଲା ପଣକୁ ଧିକ୍କାରୁ ଥିବା ନବରଙ୍ଗପୁର ହରିଗାଁର ସୂର୍ଯ୍ୟ ହରିଜନଙ୍କ ଦହଗଞ୍ଜର ଦୃଶ୍ୟ ତ ଦିଲ୍ଲୀକୁ ଦିଶିଥିଲା। ଖୋଦ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉଦବେଗ ପରେ ବ୍ୟାଙ୍କ ଅଧିକାରୀ ସୂର୍ଯ୍ୟଙ୍କ ଦୂଆର ପହଞ୍ଚିଥିଲେ, ଭତ୍ତା ବି ମିଳିଥିଲା, କିନ୍ତୁ  ସଂଘର୍ଷର ଏ ସୁଫଳକୁ ମାସଟିଏ ବି ଭୋଗିବାକୁ ସୂର୍ଯ୍ୟଙ୍କ ଆୟୂଷ ନଥିଲା।

ବଲାଙ୍ଗୀର ବେଲପଡ଼ା ବ୍ଲକ ଅଞ୍ଚଳ ଗତ ୧୯ ତାରିଖର ଘଟଣା। ମୁଣ୍ଡଫଟା ଖରାରେ ବୃଦ୍ଧା ପତ୍ନୀଙ୍କ ସହ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇ ଚାଲି ଚାଲି ଫେରିବା ବେଳେ ରାସ୍ତାରେ ଏମିତି ଅଚେତ ହୋଇଯାଇଥିଲେ କୁଦଭଟା ଗାଁର ରାଜାରାମ ହାତୀ। ସୌଭାଗ୍ୟକୁ କିଛି ଯୁବକଙ୍କ ନଜରରେ ପଡ଼ିବାରୁ ଜୀବନ ଯାଉ ଯାଉ ରହିଯାଇଥିଲା ଯାହା।

ବ୍ୟାଙ୍କରୁ ଟଙ୍କା ଉଠାଇଲା ବେଳେ, କେତେବେଳେ ବୃଦ୍ଧବୃଦ୍ଧାଙ୍କ ଆଙ୍ଗୁଳି ଛାପ ମିଶୁ ନଥିଲା ତ ତେକେବେବେଳେ ଆଖି ସମସ୍ୟା ଓ ଲିଙ୍କ ଫେଲୁଅର ପାଇଁ ଟଙ୍କା ଉଠାଇ ହେଉ ନଥିଲା। ଭତ୍ତା ପାଇଁ ରାଜ୍ୟବ୍ୟାପୀ ବୃଦ୍ଧବୃଦ୍ଧାଙ୍କ ଦୁର୍ଦ୍ଦଶାର ଏ ଚିତ୍ର ବାରମ୍ବାର ପ୍ରସାରିତ ହେବା ପରେ ଶେଷରେ ଜାଗିଛନ୍ତି ସରକାର ବାହାଦୂର।

ପଦକ୍ଷେପ ସ୍ବରୂପ ଡିବିଟି ମୋଡକୁ ସଂପୂର୍ଣ୍ଣ ବନ୍ଦ କରିଦେବା ସହ ମଧୁବାବୁ ପେନସନ୍ ଯୋଜନାର ଅର୍ଥକୁ ହିତାଧିକାରୀଙ୍କୁ କ୍ୟାସ ଆକାରରେ ଦେବାକୁ ନୋଟିଫିକେସନ୍ ଜାରି କରିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜାରି ଏଇ ନୋଟିଫିକେସନ୍ ଅନୁଯାୟୀ ଏଣିକି ପଞ୍ଚାୟତ ଓ ୱାର୍ଡ ଅଫିସରେ ଥିବା ବିତରଣ କେନ୍ଦ୍ରରେ ପ୍ରତି ମାସ ୧୫ ତାରିଖରେ ହିତାଧିକାରୀଙ୍କୁ ପେନସନ୍ ମିଳିବ।

ତେବେ ବୟସାଧିକ କାରଣରୁ ଯେଉଁମାନେ ଭତ୍ତା ବିତରଣ କେନ୍ଦ୍ରକୁ ଆସି ନପାରିବେ ସେମାନଙ୍କୁ ସେମାନଙ୍କ ଘରେ ମିଳିବ ପେନସନ ମିଳିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ। ଅଶୋକ ଚନ୍ଦ୍ର ପଣ୍ଡା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ

ଭତ୍ତା ସମସ୍ୟାର ସମାଧାନ କରିବାକୁ ଯାଇ ସରକାର ଡିବିଟି ସ୍କିମକୁ ବନ୍ଦ କରିଦେବା ବାଟମାରଣାକୁ ପ୍ରୋତ୍ସାହିତ କରିବ ନାହିଁ ତ? ସବୁ କ୍ଷେତ୍ରରେ ଡିବିଟି ମୋଡରେ ପେମେଣ୍ଟକୁ ଗୁରୁତ୍ବ ଦିଆଯାଉଥିଲା ବେଳେ ଏଠି କ୍ୟାସ ପେମେଣ୍ଟ ହିତାଧିକାରୀଙ୍କ ପାଇଁ ମହରଗରୁ ଯାଇ କାନ୍ତାରରେ ପଡ଼ିବାର ସ୍ଥିତି ସୃଷ୍ଟି କରିବ ନାହିଁ ତ?