• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜାଗା ମିଶନରେ ବସ୍ତିବାସିନ୍ଦାଙ୍କ ପାଇଁ ଅଛି ତ ଜାଗା ? ସହରରେ ଭୂମିହୀନଙ୍କ ପାଇଁ ଜାଗା ଓ ବସତି ଦେବା ଲକ୍ଷ୍ୟରେ ସରକାରଙ୍କ ତଥାକଥିତ ବିଶ୍ୱର ସର୍ବବୃହତ ଯୋଜନାରେ ଘର ପାଉଛନ୍ତି ତ ବସ୍ତି ବାସିନ୍ଦା ? ନା କେବଳ ଭେଳିକି ?

ବାଲେଶ୍ୱର ସହରର ଗୋଧିବସା ବସ୍ତିର ଏହି ଦୁଇ ମହିଳା ହେଉଛନ୍ତି ଭଗବତୀ ଓ ରୁକ୍ମଣୀ । ଏମାନଙ୍କ ସହ ପ୍ରାୟ ୩ ଶହରୁ ଅଧିକ ପରିବାର ରହୁଥିବା ବସ୍ତିଟି ରେଲୱେର ଜାଗା ରହିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜାଗା ମିଶନ ନାଁରେ ଉଷା ସର୍ଭେ କରି ଜମି ପ୍ରମାଣପତ୍ର ବାଣ୍ଟିଥିଲେ ସରକାର ।

ପୁଣି ୨୧ ଉପନିର୍ବାଚନ ପୂର୍ବରୁ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଲ୍ୟାଣ୍ଡ ରାଇଟ୍ସ ସାର୍ଟିଫିକେଟ୍ ବି ବାଣ୍ଟିଲେ । ହେଲେ ଆଜି ଯାଏଁ ଜାଗା ତ ମିଳିଲାନି, ଓଲଟି ରେଲୱେ ଏଇ ଜାଗାରେ ନୂଆ ପ୍ରକଳ୍ପ କରିବାକୁ ଯୋଜନା କରି ଏମାନଙ୍କୁ ଉଚ୍ଛେଦ ନୋଟିସ ଜାରି କରିଛି । ଆଉ ବସ୍ତି ଭିତରେ ନିଜର ଘରଟିଏର ସ୍ୱପ୍ନ ଦେଖିଥିବା ଭଗବତୀ ଓ ରୁକ୍ମୁଣୀଙ୍କ ଭଳି ଅନେକ ଏବେ ସରକାରଙ୍କ ସେଇ ଜାଗା ପ୍ରମାଣପତ୍ରର କାମ କଣ ବୋଲି ପ୍ରଶ୍ନ କରିଛନ୍ତି ।

ରାଜଧାନୀ ଭୁବନେଶ୍ୱରରୁ ନେଇ ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ବି ସମାନ ସ୍ଥିତି । ଭୁବନେଶ୍ୱରର ୪୭୧ ବସ୍ତିରୁ ଏବେ ସୁଦ୍ଧା ୧୩୩ଟି ବସ୍ତିରେ ସର୍ଭେ କାମ ବି ସରିନି । ଏପରିକି ପ୍ରାଥମିକ ସର୍ଭେ ପରେ ଯେଉଁ ହିତାଧିକାରୀଙ୍କ ତାଲିକା ବାହାରିଛି ସେଥିରେ ଅନେକ ଯୋଗ୍ୟ ଲୋକଙ୍କ ନାଁ ନଥିବା ଏବଂ ପ୍ରୀୟାପ୍ରୀତି କରି ତାଲିକାରେ ସରକାରୀ ଚାକିରିଆଙ୍କ ନାଁ ଯୋଡ଼ା ଯାଇଥିବା ଅଭିଯୋଗ ହୋଇଛି ।

ଏଇ ଯେମିତି ବିଏମସିର ଏ ପ୍ରସ୍ତାବିତ ତାଲିକାରେ ୨୯ ନମ୍ବର ୱାର୍ଡରେ ସିରିଏଲ ନମ୍ବର ୧୬ ସ୍ଥାନରେ ଥିବା ସବିତା ତ୍ରିପାଠୀ, ୨୯ ନମ୍ବରରେ ଥିବା ସବିତା ପାଢୀ ଏବଂ ୭୦ ନମ୍ବରରେ ଥିବା ସୁକାନ୍ତି ଦେଇଙ୍କ କଥା। ଅଭିଯୋଗ ଏ ତିନି ଜଣ ସରକାରୀ କର୍ମଚାରୀ ହେଇ ତାଲିକାକୁ ଉଠିଛନ୍ତି, ହେଲେ ବହୁ ଯୋଗ୍ୟଙ୍କ ନାଁ ନାହିଁ । ତେବେ ଏ ନେଇ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନି ।

ସେପଟେ ସମ୍ବଲପୁରରେ ବସ୍ତିବାସିନ୍ଦାଙ୍କ ଭିତରୁ ଅନେକ ଏ ଜାଗା ମିଶନ ବାବଦରେ ସଠିକ୍ ଭାବେ ଜାଣି ନଥିବା କହିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ବ୍ରହ୍ମପୁରର କୌଣସି ଗୋଟିଏ ବସ୍ତିର ଜଣଙ୍କୁ ବି ଏଯାଏଁ ଜାଗା ମିଶନରେ ଜାଗା ମିଳିନି ।

ବସ୍ତିବାସିନ୍ଦାଙ୍କୁ ୩୦ରୁ ୪୫ବର୍ଗ ମିଟର ଜାଗା ଯୋଗାଇଦେବାକୁ ୨୦୧୭ରେ ଜାଗା ମିଶନର ଆରମ୍ଭ କଲେ ସରକାର । ଟାର୍ଗେଟ୍ ଥିଲା ୨୦୨୩ ସୁଦ୍ଧା ରାଜ୍ୟର ୩ ହଜାର ବସ୍ତିରେ ବସବାସ କରୁଥିବା ୧୮ ଲକ୍ଷ ଲୋକଙ୍କୁ ଜମି ପଟା ଦିଆଯିବ । ହେଲେ ସରକାରଙ୍କ ବହୁଳ ପ୍ରଚାରିତ ଓ ପ୍ରସାରିତ ଯୋଜନାର ବର୍ତ୍ତମାନର ଏ ବାସ୍ତବ ସ୍ଥିତିକୁ ନେଇ ତେଜିଛି ରାଜନୀତି ।

ବାଲେଶ୍ୱରରୁ ରଶ୍ମିରଞ୍ଜନ ଦାସ, ସମ୍ବଲପୁରରୁ ସଂଜୟ ଜେନା ବ୍ରହ୍ମପୁରରୁ ଜଗନ୍ନାଥ ସାହୁ ଓ ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡାଙ୍କ ରିପୋର୍ଟ, ଓଟିଭି