• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗଣତି ସରୁନି କି ହିସାବ ମିଳୁନି । ବଲାଙ୍ଗିର ସାହୁ ସାମ୍ରାଜ୍ୟ ଉପରେ ଆଇଟି ରେଡର ଷଷ୍ଠଦିନରେ ବି ମିଳିଛି ପୁଳା ପୁଳା ସମ୍ପତ୍ତି । ଗତ ୫ଦିନର ରେଡରେ ଟିଟିଲାଗଡ଼, ସମ୍ବଲପୁର ଓ ବଲାଙ୍ଗିରରେ ୩୩୩ କୋଟି ଟଙ୍କା ମିଳିଥିଲା । ଆଜି ସେହି ଟିଟିଲାଗଡ଼ରେ ବ୍ୟାଙ୍କ ଲକରରୁ ମିଳିଛି ବିପୁଳ ସୁନା । ଯାହା ମଦ ବ୍ୟବସାୟୀ ସଂଜୟ ସାହୁଙ୍କ ବୋଲି କୁହାଯାଉଥିବାବେଳେ ଏତେ ପରିମାଣର ସୁନା ସହ ଜବତ ଟଙ୍କାର ଉତ୍ସ କ’ଣ ? ତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ଏହାପଛରେ ବିଜେଡିର ଲିଙ୍କ ଅଭିଯୋଗ ଆଣି ଆଜି ରାଜ୍ୟବ୍ୟାପି ଗର୍ଜିଛି ବିଜେପି ।

୫ଦିନର ରେଡ୍ ଓ ଗଣତିରୁ ମିଳିଛି ୩୩୦ କୋଟିରୁ ଅଧିକ ନଗଦ ଟଙ୍କା...ଆଉ ଷଷ୍ଠଦିନର ରେଡରେ ଆଜି ଧରାପଡ଼ିଛି ବ୍ୟାଙ୍କ ଲଙ୍କରରେ ଲୁଚାଇ ରଖାଯାଇଥିବା ପୁଳାପୁଳା ସୁନା । ସେହି ସମାନ ଅଞ୍ଚଳ, ସେହି ସମାନ ମାଲିକଙ୍କ ପାଖରୁ ଜବତ ହୋଇଛି ଏହି ଧନସମ୍ପତ୍ତି । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଓ ଟିଟିଲାଗଡ଼ ସ୍ଥିତ ଆକ୍ସିସ୍ ବ୍ୟାଙ୍କକୁ ଆସି ଆଜି ଛାପା ମାରିଛନ୍ତି ଆୟକର ବିଭାଗର ଅଧିକାରୀ । ଆଉ ଆକ୍ସିସ ବ୍ୟାଙ୍କର ୩ଟି ଲକରକୁ ଅଣ୍ଡାଳିବା ଭିତରେ ଗୋଟିଏ ଲକରରୁ ମିଳିଛି ବିପୁଳ ପରିମାଣର ସୁନା ଅଳଙ୍କାର ।

କୁହାଯାଉଛି, ସେହି ଅଳଙ୍କାର ସବୁ ଟିଟିଲାଗଡ଼ର ମଦ ବ୍ୟବସାୟୀ ସଂଜୟ ସାହୁଙ୍କର । ପତ୍ନୀ ଆରତିଙ୍କୁ ସାଙ୍ଗରେ ଆଣି ଏସବୁ ବ୍ୟାଙ୍କର ଲକର୍ ଯାଞ୍ଚ କରିଛି ଆୟକର ଟିମ୍ । ସେପଟେ ୫ଦିନର ଗଣତି ପରେ କେବଳ ବଲାଙ୍ଗିରରେ ମିଳିଥିବା ୨୮୫ କୋଟିର ନଗଦ ଟଙ୍କାକୁ ଆଜି ବଲାଙ୍ଗିର ଷ୍ଟେଟ୍ ବ୍ୟାଙ୍କରେ ଜମା କରାଯାଇଛି । ତା’ସହ ଆଜି ବି ସୁଦପଡ଼ା ମଦଭାଟିରେ ରେଡ୍ କରିଛି ଆୟକର ବିଭାଗ । ଯେଉଁଥିରେ ସାମିଲ ହୋଇଥିଲେ ଆୟକର ବିଭାଗର ଡେପୁଟି କମିଶନର । ମଦଭାଟି ମ୍ୟାନେଜରଙ୍କୁ ପଚରାଉଚରା ସହ କାଗଜପତ୍ରଯାଞ୍ଚ କରିଛନ୍ତି IT ଅଧିକାରୀ । ଆୟକର ବିଭାଗର ହାବଭାବରୁ ଯାହା ଜଣାପଡୁଛି, ଆଗକୁ ବି ଅଧିକ ଖୋଳତାଡ଼ ହୋଇପାରେ ।

ପୂର୍ବରୁ ଟିଟିଲାଗଡ଼ରୁ ଜବତ ହୋଇଥିଲା ୧୧ କୋଟି, ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ମିଳିଥିବା ନୋଟର ପରିମାଣ ଥିଲା ୩୭ କୋଟି ୫୦ ଲକ୍ଷ । ଆଉ ବର୍ତ୍ତମାନ ସୁଦ୍ଧା କେବଳ ବଲାଙ୍ଗିରରେ ୨୮୫ କୋଟି ଟଙ୍କା ମିଳିଛି । ଏସବୁର ମୋଟ୍ ପରିମାଣ ୩୩୦ କୋଟି ଟଙ୍କାରୁ ଅଧିକ । ତେବେ ଟିଟିଲାଗଡ଼ରୁ ଠାବ ବ୍ୟାଗ ଭର୍ତ୍ତି ସୁନାର ଆକଳନ ଏବଂ ଉତ୍ସ ସଂପର୍କରେ ସଠିକ ତଥ୍ୟ ମିଳିନଥିବାବେଳେ ପଶ୍ଚିମ ଓଡ଼ିଶାରେ ମଦ ବ୍ୟବସାୟର ଏଭଳି ସାମ୍ରାଜ୍ୟକୁ ନେଇ ରାଜ୍ୟବ୍ୟାପି ଗର୍ଜିଛି ବିଜେପି ।

କଳା ଟଙ୍କାରେ କଂଗ୍ରେସ ସହ ବିଜେଡି ଲିଙ୍କ୍ ଅଭିଯୋଗ ଆଣି ରାଜ୍ୟର ସମସ୍ତ ଉପଖଣ୍ଡରେ ବିଜେପି ଆନ୍ଦୋଳନ କରିଛି । ବିଜେପିର ଅଭିଯୋଗ, ଆଇଟି ରେଡ୍ ପରେ ଝାଡଖଣ୍ଡ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସମ୍ପୃକ୍ତି ସାମନାକୁ ଆସିଛି । ଶାସକ ଦଳର ଅନେକ ନେତା, ମନ୍ତ୍ରୀ, ବିଧାୟକଙ୍କ ସହ ମଦ ମାଫିଆର ଗଭୀର ସମ୍ପର୍କ ରହିଛି । ବିଜେଡିର ପୃଷ୍ଠ ପୋଷକତାରେ ହିଁ ସାହୁ ବ୍ରଦର୍ସ ଦେଶୀ ମଦର ବ୍ୟବସାୟ ଚଳାଇ ଆସୁଥିବା କହିଛି ବିଜେପି । ସେପଟେ ବିଜେଡି ଏହାର ଜବାବ ରଖିଥିବାବେଳେ କଂଗ୍ରେସ କହିଛି, କଳାଟଙ୍କା ବିଜେପିର ନା ବିଜେଡିର ତାହା ଖୁବଶୀଘ୍ର ଜଣାପଡ଼ିବ ।

ତେବେ ତଦନ୍ତ ପରିସରଭୂକ୍ତ ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କ ଠାରୁ କି ତଥ୍ୟ ହାତେଇଛି ଆୟକର ବିଭାଗ ? ରେଡର ଷଷ୍ଠଦିନ ସୁଦ୍ଧା ଜବତ ଟଙ୍କା ଓ ସୁନାର ପରିମାଣ ଏତିକି ନା ଆହୁରି ଅଛି ? ସେନେଇ ମୁହଁ ଖୋଲୁନି ଆୟକର ବିଭାଗ ।