• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଜନ୍ମମାଟି କେନ୍ଦୁଝର ଆନନ୍ଦପୁର ନନ୍ଦିସାହିରେ ଜଳିଲା ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ଚିତା। ରାଷ୍ଟ୍ରୀୟ ମର୍ଯାଦା ସହ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଝାଡ଼ଖଣ୍ଡ ମାଓ ଆକ୍ରମଣରେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କର ଆଜି ଶେଷକୃତ୍ୟ ସଂପନ୍ନ ହୋଇଛି। ଏହି ଅବସରରେ କେନ୍ଦୁଝର ସଇଲନରୁ ନନ୍ଦିସାହି ଯାଏଁ ପ୍ରାୟ 5 କିଲୋମିଟର ଶୋଭାଯାତ୍ରାରେ ସାମିଲ ହୋଇ ହଜାର ହଜାର ଜନତା ସହିଦଙ୍କୁ ଜଣାଇଛନ୍ତି ଶେଷ ସଲାମ। 

ଗାଁକୁ ଫେରୁଥିଲା ବୀର ପୁଅ...ବାଜୁଛି ଖୋଳ କରତାଳ, ବୀରବାଜଣା...। ଅହରହ ଶୁଭୁଥିଲା ରାମ ନାମ ସତ୍ୟ ହେ, ଅମର ରହେର ଧ୍ୱନି....କିଏ ଲୁହରେ ଶଙ୍ଖୋଳୁଛି ତ କିଏ ଶବ୍ଦରେ...କାରଣ ସହିଦର ମୁକଟ ପିନ୍ଧି ପ୍ରଥମ ଓ ଶେଷଥର ପାଇଁ ଦେହରେ ଜାତୀୟ ପତାକା ଘୋଡ଼ି ହୋଇ ଗାଁକୁ ଫେରୁଥିଲା ବୀର ପୁଅ...ଗାଁ ଦାଣ୍ଡ ଦେଇ ଶୋଭାଯାତ୍ରା ଲମ୍ବିଥିଲା ଯେ ଲମ୍ବିଥିଲା ଆଖି ପାଇବା ଯାଏଁ।

ଦିନ ପ୍ରାୟ ୧୦ଟାରେ ଏକ ସୁସଜ୍ଜିତ ଗାଡି଼ରେ ସହିଦ ସୁଶାନ୍ତଙ୍କ ମରଦେହ ପ୍ରଥମେ କେନ୍ଦୁଝର ସଇଲନରେ ପହଞ୍ଚିବା ପରେ, ଏଇଠୁ ଆରମ୍ଭ ହୋଇଥିଲା ଜନ୍ମମାଟି ଆନନ୍ଦପୁର ନନ୍ଦିସାହି ଅଭିମୁଖେ ସୁଶାନ୍ତଙ୍କ ଶେଷ ଶୋଭାଯାତ୍ରା। ଗୋଟିଏ ପଟେ ସୁଶାନ୍ତଙ୍କ ମରଦେହ ଆସୁଥିଲା ତ ସେପଟେ ଲୁହରେ ଭାସୁଥିଲା ତାଙ୍କ ପରିବାର। ଦୁଇ ବର୍ଷ ପୁରିନି। ଡକା ହକା ହେଇ ଗଲାଭଳି ଆଗ ବାପା, ତାପରେ ଅକାଳରେ ଦୁଇ ଭାଇ ଯାଇଥିଲେ। ଆଉ ଶେଷରେ ବାହାଘରର ଦୁଇ ମାସ ପରେ ମାଟି ମା ପାଇଁ ରୋଗିଣା ମା ଓ ଭୁଆସୁଣୀ ସ୍ତ୍ରୀକୁ ପର କରି ସହିଦ ହେଇଗଲେ ସୁଶାନ୍ତ। ପାଗଳ ପ୍ରାୟ ପତ୍ନୀ। ବାହୁନି କାନ୍ଦୁଥିଲେ ସଂପର୍କୀୟ।

ଏହାରି ଭିତରେ ସିଆରପିଏଫ୍ ଆଇଜି ଶୋକସନ୍ତପ୍ତ ସୁଶାନ୍ତଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେବା ପରେ ହଜାର ହଜାର ଲୋକଙ୍କ ଭିଡ଼ କାଟି ଗାଁ ମଶାଣି ବୈତରଣୀ ନଦୀଘାଟକୁ ଗଡ଼ିଥିଲା ସହିଦଙ୍କ ଗାଡ଼ି। ଉଭୟେ ସିଆରପିଏଫ୍, ଛତିଶଗଡ଼ ଓ ଓଡ଼ିଶା ପୋଲିସର ଗାର୍ଡ ଅଫ୍ ଅନର। ଆଉ ଏହାପରେ ଶୋକାକୁଳ ନେତା, ଜନତାଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯାଦା ସହ ଜଳିଥିଲା ସୁଶାନ୍ତଙ୍କ ଜୁଇ।

୨୦୧୧ରେ ସିଆରପିଏଫରେ ଯୋଗ ଦେଇଥିବା ସୁଶାନ୍ତ, ଗତକାଲି ଝାଡଖଣ୍ଡର କୋଲହାନ ଜଙ୍ଗଲରେ ଏକ ବଡ଼ ଧରଣର ମାଓ ଅପରେସନରେ ଥିବା ବେଳେ ମାଓବାଦୀଙ୍କ ଆମ୍ବୁସ୍ର ଶିକାର ହୋଇଥିଲେ। ସମ୍ମୁଖ ଲଢ଼େଇ ବେଳେ ସିଧା ସୁଶାନ୍ତଙ୍କ ଛାତିରେ ବାଜିଥିଲା ମାଓବାଦୀଙ୍କ ଗୁଳି।

ରିପୋର୍ଟ: ମୁନା ସିଂ

  • Reported by:
  • DEBASHISH MOHANTY

OTV is now on Whatsapp

Join and get latest news update delivered to you via whatsapp

Join Now