• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମେୟର ହେଉ ହେଉ ତେଜିଲାଣି ଅସନ୍ତୋଷ । ଭୁବନେଶ୍ୱର ନୂଆ ମେୟର ସୁଲୋଚନା ଦାସଙ୍କୁ ଆରମ୍ଭରୁ ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡ଼ିଛି । ନବନିର୍ବାଚିତ ମେୟରଙ୍କ ସାମନାରେ ବିଷ ଓଗାଳିଛନ୍ତି ବ୍ୟବସାୟୀ । ତାଙ୍କ ସାମ୍ନାରେ ବଖାଣିଛନ୍ତି କେଶରୀ ମଲ୍‌ରେ ନିଆଁ ଲାଗିବା ପଛର କାରଣ । ଲୋକ ଅଭିଯୋଗ କରିଛନ୍ତି ଯେ, ପଇସା ନେଲା ବେଳକୁ ନେଇ ଯାଉଛ, ହେଲେ ମେଣ୍ଟେନାନ୍ସ କରୁନ ।

 ମେଣ୍ଟେନାନ୍ସ ନାଁରେ ବିଏମ୍‌ସି ଟଙ୍କା ନେଉଛି । ଫାୟାର ସେଫ୍ଟି ପାଇଁ ଏକ୍ସଟିଙ୍ଗୁଇସର ଲଗେଇଛି । ଯାହାର କେବେ ବି ରକ୍ଷଣାବେକ୍ଷଣ ହେଉନି । ହେଲେ ମାସିକ ଦେୟ ଦେବାରେ ଦିନେ ବିଳମ୍ବ ହେଲେ ଦୋକାନରୁ ଲାଇନ୍ କାଟି ଦେଉଛି ବିଏମ୍‌ସି । ନୂଆ ମେୟରଙ୍କୁ ଏଭଳି ରୋକଠୋକ୍ ବାଣୀ ଶୁଣାଇଛନ୍ତି ବ୍ୟବସାୟୀ । ଏମିତିକି ମେୟରଙ୍କୁ ସିଧାସଳଖ ଚେତାବନୀ ଦେଇଛନ୍ତି ମାର୍କେଟ ବିଲ୍ଡିଂ ବ୍ୟବସାୟୀ ।

ଭୁବନେଶ୍ୱର ମାର୍କଟ୍‌ବିଲ୍ଡିଂ ସ୍ଥିତ କେଶରୀ ମଲ୍‌ ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଆଜି ସକାଳୁ ନୂଆ ମେୟର ସୁଲୋଚନା ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ମେୟରଙ୍କ ସମ୍ମୁଖରେ ବ୍ୟବସାୟୀମାନେ ନିଜର ଅସନ୍ତୋଷ ଜାହିର କରିଥିଲେ । ଏହାର ଜବାବରେ ମେୟର କହିଥିଲେ ଘଟଣାର ତଦନ୍ତ ହେବ ।

ଅନ୍ୟପଟେ ଜଣେ ବ୍ୟବସାୟୀ କହିଛନ୍ତି, ଏକ୍ସଟିଙ୍ଗୁଇସରକୁ କେବଳ ଟଙ୍ଗା ଯାଇଛି, ତା’ ଭିତରେ କିଛି ଗ୍ୟାସ ନାହିଁ । କେବେ ବି ମକ୍‌ ଡ୍ରିଲ କରି ନିଆଁ ଲିଭାଇବାକୁ ପ୍ରଶିକ୍ଷଣ ଦିଆଯାଇ ନାହିଁ । କିନ୍ତୁ ମାସକୁ ମାସ ପଇସା ଗଣି ନେଉଛନ୍ତି ।

ସୂଚନାଯୋଗ୍ୟ, ଗତ ରାତିରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂ ନିକଟ କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଆୟତ୍ତ ପୂର୍ବରୁ ସୋ’ରୁମ୍‌ର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ କେମିତି ଲାଗିଲା, ତା’ର କାରଣ ଏକ ଯୁଗ୍ମ ଅନୁଧ୍ୟାନକାରୀ ଟିମ୍  ଖୋଜିବ । ତେବେ ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।