/odishatv-khabar/media/post_attachments/uploadimage/library/16_9/16_9_0/Abas_1626454872.jpg)
Abas
ବାଲେଶ୍ୱର: ଛଣ ଉଡି ବତା ଦେଖାଯାଉଛି । କୁଡିଆ ଘରର ଚାଳ ନାହିଁ କହିଲେ ଚଳେ । ପଲିଥିନ ଘୋଡ଼ାଇ ନୂଆଣିଆ ଭଙ୍ଗା ଦଦରା ଘରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି କୌଶଲ୍ୟା । ବାଲେଶ୍ୱର ନୀଳଗିରି ବ୍ଲକ ନରସିଂହପୁର ପଞ୍ଚାୟତ ଦୁର୍ଗାପୁର ଗାଁରେ ଏକୁଟିଆ ରହନ୍ତି ବିଧବା କୌଶଲ୍ୟା । ବହୁତ କଷ୍ଟରେ ଚଳୁଥିବା କୌଶଲ୍ୟା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ମିଳୁଥିବା ଜାଣି ଆବେଦନ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ପକ୍କା ଘରଟିଏ ମିଳିନାହିଁ । ବାରମ୍ବାର ବ୍ଲକକୁ ଦଉଡି ଦଉଡି ସେ ନିରାଶ ।
ଅନ୍ୟପଟେ ଆରଟିଆଇ ତଥ୍ୟକୁ ଅନୁଧ୍ୟାନ କଲେ ସେହି ନରସିଂହପୁର ପଞ୍ଚାୟତରେ ଗୋଟିଏ ପରିବାରର ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଘର ମିଳିଥିବାର ସ୍ପଷ୍ଟ ହୋଇଛି । ନରସିଂହପୁର ଗାଁର ରାଜକିଶୋର ଦାସଙ୍କ ସ୍ତ୍ରୀ ନିନିମଣୀ ଦାସ ୨୦୦୭-୦୮ ମସିହାରେ ଆବାସ ଯୋଜନାରେ ଘର ପାଇଥିଲେ । ତାଙ୍କ ସ୍ୱାମୀଙ୍କ ନାଁରେ ୨୦୧୭-୧୮ ମସିହାରେ ପୁଣି ଥରେ ଘର ମିଳିଛି ।
ସେହିପରି ତପସ୍ୱିନୀ ଶତପଥୀ ୨୦୦୮-୦୯ ମସିହାରେ ଆବସ ଯୋଜନାରେ ଘର ପାଇଥିବା ବେଳେ ତାଙ୍କ ସ୍ୱାମୀ ଲକ୍ଷ୍ମୀଧର ଶତପଥୀ ୨୦୦୧୬-୧୭ ରେ ମଧ୍ୟ ଘର ପାଇଥିବା ଉଲ୍ଲେଖ ରହିଛି । ଆବାସ ଯୋଜନାରେ ଏଭଳି କେଳେଙ୍କରୀକୁ ନେଇ ନୀଳଗିରି ବିଧାୟକ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।
ଏଣେ ଆବାସ ଯୋଜନାରେ ଆସିଥିବା ଅର୍ଥକୁ ଚାହିଁ ଚାହିଁ ନୟାନ୍ତ ହେଲେଣି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଓସ୍ତପୁରା ଗାଁର ଆଦିବାସୀ ବିଦା ମୁଣ୍ଡା । କୁଡିଆ ଘରେ ରୁହଥିବା ବିଦାଙ୍କ ଦୁଇ ପୁଅ ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରନ୍ତି । ଆବାସ ଯୋଜନାରେ ତାଙ୍କ ନାଁ ରହିଛି ବୋଲି ବ୍ଲକ କର୍ମଚାରୀଙ୍କଠାରୁ ଜାଣିବା ପରେ ବିଦା ସୁଧରେ ଆଣି ଘର କାମ ଆରମ୍ଭ କରିଥିଲେ । ଘର କାମ ଅଧା ହୋଇଥିବା ବେଳେ ଟଙ୍କା ଏପର୍ଯ୍ୟନ୍ତ ଆସି ନାହିଁ । କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ତାଙ୍କ ନାଁରେ ଆସିଥିବା ଟଙ୍କାଟି ଗାଁର ଅନ୍ୟ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟଙ୍କୁ ଚାଲିଯାଇଥିବା ଜଣାପଡିଛି । ଟଙ୍କା ପାଇବା ପାଇଁ ସେ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଧାଉଁଥିଲେ ବି କିଛିି ଫଳ ମିଳୁନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)