• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ହାତୀ-ମଣିଷ ଲଢ଼େଇରେ ବହୁ ଧନଜୀବନ ଯିବା ପରେ ଚେତିଲେ ସରକାର । ଧନ ଜୀବନ ନଷ୍ଟ ରୋକିବାକୁ ବହୁସୂତ୍ରୀ ଫର୍ମୁଲା ଆପଣେଇଲା ବନ ବିଭାଗ । ପୂର୍ବରୁ ଥିବା ଗଜ ସାଥୀ କାର୍ଯ୍ୟକ୍ରମ ସହ ଏଣିକି ଯୋଡ଼ିହେବ ରେଡିଓ କଲାରିଂ, ସୋଲାର ପାୱାର ଫେନ୍ସିଂ, ହାଇମାସ୍କ ଲାଇଟ୍ ଭଳି ନୂଆ କାର୍ଯ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି । ଏହାଦ୍ୱାରା ଭବିଷ୍ୟତରେ ହାତୀ ଓ ମଣିଷ ଜୀବନ ରକ୍ଷା କରାଯାଇପାରିବ ବୋଲି ଲକ୍ଷ୍ୟ ରଖିଛି ବନ ବିଭାଗ ।

ଲାଗିବ ରେଡିଓ କଲାର:

ହାତୀ ବେକରେ ଲାଗିବ ରେଡିଓ କଲାର । ଏଥିଲାଗି ବାଙ୍ଗାଲୋରର ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସର ଏସିଆନ ନେଚର କଞ୍ଜରଭେସନ ଫାଉଣ୍ଡେସନ ସହ MOU ସ୍ୱାକ୍ଷର କରିଛି ବନ ବିଭାଗ । ପ୍ରାରମ୍ଭିକ ଭାବେ ପାଇଲଟ ପ୍ରକଳ୍ପ ଆଧାରରେ ୩ଟି ହାତୀ ବେକରେ ଲାଗିବ ରେଡିଓ କଲାର । ମାଈ ହାତୀ କିମ୍ବା ଦନ୍ତା ହାତୀ ଠାରେ ରେଡିଓ କଲାର ଲାଗିବ । ଫଳରେ ହାତୀର ଚଳ ପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ । ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇପାରିବ । ପୂର୍ବରୁ ଏହା କର୍ଣ୍ଣାଟକ, ତାମିଲନାଡୁରେ ପ୍ରମାଣିତ ହୋଇସାରିଛି । ରାଜ୍ୟରେ ପାଇଲଟ ପ୍ରକଳ୍ପ ଆଧାରରେ ଏହା ସଫଳ ହେଲେ ଏହାକୁ ଅନ୍ୟ ହାତୀପଲକୁ ସମ୍ପ୍ରସାରଣ କରାଯିବ ।

ପ୍ରାରମ୍ଭିକ ଭାବେ ୫୦୦ ଗ୍ରାମରେ ଆରମ୍ଭ ହୋଇଥିବା ଗଜ ସାଥୀ କାର୍ଯ୍ୟକ୍ରମ ଗତ ବର୍ଷ ୧୨ ଶହ ଗ୍ରାମରେ ଆରମ୍ଭ ହୋଇଛି । ଚଳିତ ବର୍ଷ ଗଜ ସାଥୀ କାର୍ଯ୍ୟକ୍ରମ ୨ ହଜାର ଗ୍ରାମକୁ ସମ୍ପ୍ରସାରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତି ଗ୍ରାମରେ ଗ୍ରାମ୍ୟ କମିଟି ଦ୍ୱାରା ଚୟନ ୫ ଜଣ ସ୍ୱେଚ୍ଛାସେବୀକୁ ଗଜ ସାଥୀ ଭାବେ ନିୟୋଜନ କରାଯାଉଛି ।

ଜନ ସୁରକ୍ଷା ଗଜ ରକ୍ଷା: ଗତ ବର୍ଷ ପାଇଲଟ ପ୍ରକଳ୍ପ ଆଧାରରେ ଆରମ୍ଭ ହୋଇଛି ଏହି ସ୍କିମ । ହାତୀ ପ୍ରବଣ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ପିପିପି ମୋଡରେ କରାଯାଉଛି । ଏହି କାର୍ଯ୍ୟକ୍ରମ ଅଧୀନରେ ସୋଲାର ପାୱାର ଫେନ୍ସିଂ କରାଯାଉଛି । ୯୦% ଅର୍ଥ ରାଜ୍ୟ ସରକାର ସବସିଡ ପ୍ରଦାନ କରିବେ, ବଳକା ୧୦% ଅର୍ଥ ଗ୍ରାମବାସୀ ଦେବେ । ଓରେଡା ଏମ୍ପାନେଲ ଭେଣ୍ଡରଙ୍କ ଦ୍ଵାରା ସୋଲାର ଫେନ୍ସିଂ ହେଉଛି । ସୋଲାର ପାୱାର ଫେନ୍ସିଂ ଅଞ୍ଚଳରେ ହାତୀ ପଶିବାକୁ ଚେଷ୍ଟା କଲେ ସେମାନଙ୍କୁ କରେଣ୍ଟ ଲାଗିବ, କିନ୍ତୁ ଏହାଦ୍ୱାରା କୌଣସି କ୍ଷତି ହେବନି ।

ଅଧିକ ହାତୀ ଉପଦ୍ରବ ହେଉଥିବା ଅନୁଗୁଳ ବନ୍ତଳା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ୪୩ ଗ୍ରାମରେ ହେବ ସୋଲାର ପାୱାର ଫେନ୍ସିଂ । ଏହାଛଡ଼ା ହାତୀ- ମଣିଷ ସାମ୍ନାସାମ୍ନି ହେବା ରୋକିବାକୁ ୪୩ ହାଇମାସ୍କ ଲାଇଟ୍ ବି ଲାଗିବ । ଏହାଛଡ଼ା ଓଡ଼ିଶାର ଏକ ଷ୍ଟାର୍ଟ ଅପ୍ ଜରିଆରେ ଏ ଅଞ୍ଚଳରେ ଲଗାଯିବ GSM ଆଧାରିତ ଅର୍ଲି ୱର୍ଣିଂ ସିଷ୍ଟମ । ଏହାଦ୍ୱାରା ଏହି ଅଞ୍ଚଳକୁ ହାତୀ ପଶିବା ନେଇ ଟ୍ରାକର ମାନେ ଖବର ପାଇବା ମାତ୍ରେ ଅର୍ଲି ୱର୍ଣିଂ ସିଷ୍ଟମ ଅନ କରିବେ, ଯାହାଦ୍ଵାରା ସାଇରନ ବାଜିବା ସହ ରେଡ ଲାଇଟ୍ ଦେଖାଯିବ । ଫଳରେ ଉକ୍ତ ଅଞ୍ଚଳରେ ହାତୀ ଥିବା ନେଇ ଲୋକ ସତର୍କ ହୋଇଯିବେ ।