Advertisment

ଅଭାବନୀୟ ଦୃଶ୍ୟ: ପାଖରେ ଟଙ୍କା ନଥିବାରୁ ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ

ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Migrant Worker Carries Dead Wife’s Body On Shoulder For 33 KM

Man Carries Dead Wife's Body For 33 km

ପୁଣି ଦାନ ମାଝି ଘଟଣାର ପୁନରାବୃତ୍ତି। ପତ୍ନୀଙ୍କ ଶବକୁ ୩୩ କି.ମି. କାନ୍ଧରେ ବୋହିଲେ ସ୍ୱାମୀ। ଏଭଳି ହୃଦୟ ବିଦାରକ ଦୃଶ୍ୟ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ସୀମାନ୍ତରେ ଦେଖିବାକୁ ମିଳିଛି। ପତ୍ନୀଙ୍କ ଶବକୁ ଗାଡ଼ିରେ ଗାଁକୁ ଆଣିବା ପାଇଁ ପାଖରେ ଟଙ୍କା ନଥିବାରୁ ବ୍ୟକ୍ତି ଜଣକ କାନ୍ଧରେ ବୋହି ବୋହି ନେଉଥିବା ଦେଖିବାକୁ ମିଳିଥିଲା। ଏହାଦେଖି ବାଟରେ ପୋଲିସ ଅଟକାଇଥିଲା ଓ ଆମ୍ବୁଲାନ୍ସ କରି ଶବ ପଠାଇବାର ବ୍ୟବସ୍ଥା କରିଥିଲା।

Advertisment

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ପୂର୍ବେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପତ୍ନୀଙ୍କୁ ସାଗରବାଲସା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସକାଳେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କ ଅକାଳ ବିୟୋଗରେ ଗୁରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଶେଷକୃତ୍ୟ ପାଇଁ ପତ୍ନୀଙ୍କ ଶବକୁ ଗାଁକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ହେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଦୌ ସହଯୋଗ କରିନଥିଲେ ବୋଲି ଗୁରୁ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ପକ୍ଷରୁ ଶବ ନେବା ପାଇଁ ଗାଡ଼ି ଦିଆଯାଇ ନଥିଲା।

Advertisment

ଏହାପରେ ସହାୟତା ପାଇଁ ଗୁରୁ ଅନେକଙ୍କୁ ଆକୁଳ ନିବେଦନ କରିଥିଲେ। ହେଲେ କେହି ବି ତାଙ୍କୁ ସାହାଯ୍ୟ କରିନଥିଲେ। ପତ୍ନୀଙ୍କ ଚିକିତ୍ସା ବାବଦରେ ସମସ୍ତ ଟଙ୍କା ଖର୍ଚ୍ଚ କରି ସାରିଥିବାରୁ ଗାଡ଼ି ଭଡ଼ା କରି ନେବାକୁ ଗୁରୁଙ୍କ ପାଖରେ ଟଙ୍କାଟିଏ ବି ନଥିଲା। ଶେଷରେ ପତ୍ନୀଙ୍କୁ କାନ୍ଧରେ ବୋହି ଗାଁକୁ ଯିବାକୁ ସ୍ଥିର କରିଥିଲେ ଗୁରୁ। ପତ୍ନୀଙ୍କ ଶବକୁ ଗୁରୁ କାନ୍ଧରେ ବୋହି ଜାତୀୟ ରାଜପଥରେ ଚାଲି ଚାଲି ଯିବା ମଧ୍ୟରେ ଅନେକ ଲୋକ ଏହି ଅଭାବନୀୟ ଦୃଶ୍ୟ ଦେଖିଥିଲେ। ଏହା ଦେଖି ସମସ୍ତେ ଚକିତ ମଧ୍ୟ ହୋଇଥିଲେ। ହେଲେ କେହି ବି ଜଣେ ସାହାଯ୍ୟର ହାତ ବଢ଼ାଇ ନଥିଲେ। ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଗୁରୁ ପ୍ରାୟ ୩୩ କି.ମି. ଚାଲିବା ପରେ ବିଜୟନଗର ନିକଟରେ କିଛି ଲୋକ ଏହାଦେଖି ସ୍ଥାନୀୟ ପୋଲିସକୁ ‌ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁଙ୍କୁ ପଚରାଉଚରା କରିଥିଲା। 

ଟଙ୍କା ଅଭାବରୁ ଗାଡ଼ି ନପାଇ ପତ୍ନୀଙ୍କ ଶବ କାନ୍ଧରେ ବୋହି ନେଉଥିବା କଥା ଗୁରୁଙ୍କ ପାଖରୁ ଜାଣିବା ପରେ ବିଜୟନଗର ଗ୍ରାମାଞ୍ଚଳ ପୋଲିସ୍‌ ଏସ୍‌ଆଇ କିରଣ କୁମାର ସହାୟତାର ହାତ ବଢ଼ାଇଥିଲେ। ତୁରନ୍ତ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଗାଁକୁ ଶବ ପଠାଇବା ବ୍ୟବସ୍ଥା କରିଥିଲେ। ସୂଚନାଥାଉ କି, ୬ ବର୍ଷ ପୂର୍ବେ କଳାହାଣ୍ଡି ଜିଲ୍ଲାରେ ଦାନ ମାଝି ତାଙ୍କ ସ୍ତ୍ରୀଙ୍କ ମୃତଦେହକୁ କାନ୍ଧରେ ବୋହିବା ଘଟଣା ସାରା ଭାରତରେ ଚର୍ଚ୍ଚା ସୃଷ୍ଟି କରିଥିଲା। 

Migrant Workers
Advertisment
Advertisment