• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାହିଁକି ଜଣେ ଅଫିସରଙ୍କୁ ମିଳୁଛି ବାରମ୍ବାର ଏକ୍ସଟେନସନ୍ ? ସିନିୟରଙ୍କୁ ଅଣଦେଖା କରି ଜୁନିୟରଙ୍କୁ କାହିଁକି ଦିଆଯାଉଛି ନିଯୁକ୍ତି ? ଆଇଏଏସ୍ ଭଳି ଆଇଏଫ୍ଏସ୍‌ଙ୍କ କ୍ଷେତ୍ରରେ ବି କ୍ଷମତା କେନ୍ଦ୍ର ପାଖ ଲୋକଙ୍କୁ ମିଳୁଛି ଟପ୍‌ ପୋଷ୍ଟ ନିଯୁକ୍ତି । ସିନିୟର ବ୍ୟାଚ୍ ଅଫିସରଙ୍କୁ ବାଦ୍ ଦେଇ ଜୁନିୟରଙ୍କୁ ମିଳୁଛି ଟପ୍ ପୋଷ୍ଟ । ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ବା ପିସିସିଏଫ୍ ନିଯୁକ୍ତିରେ ମଧ୍ୟ ସେମିତି ହୋଇଛି । ୮୭ ବ୍ୟାଚ୍‌ର ରାଜୀବ କୁମାର ଓ ସୁଶୀଲ କୁମାର ପୋପ୍‌ଲିଙ୍କୁ ବାଦ ଦେଇ ୮୮ ବ୍ୟାଚ୍‌ର IFS ଅଫିସର ଦେଦୀଦତ୍ତ ବିଶ୍ୱାଳଙ୍କୁ ମିଳିଛି ଏହି ପଦବୀ । ମୁଖ୍ୟ ସଚିବ ପଦବୀ ହେଉ କି ପିସିସିଏଫ୍, ସବୁଠି ଦକ୍ଷତା ଅପେକ୍ଷା ଆନୁଗତ୍ୟକୁ ବେଶି ଗୁରୁତ୍ୱ ଦିଆଯାଉଥିବା କୁହଯାଉଛି । ଯାହାକୁ ନେଇ ପାଓ୍ୱାର କରିଡରରେ ବଢୁଛି ଅସନ୍ତୋଷ ।

ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ରଙ୍କୁ ଦ୍ୱିତୀୟ ଥର ଲାଗି ୬ ମାସର ଏକ୍ସଟେନସନ୍, ଉପର ବ୍ୟାଚ୍ ଅଫିସରଙ୍କୁ ବାଦ୍ ଦେଇ ପିସିସିଏଫ୍ ଭାବେ ଦେବୀଦତ୍ତ ବିଶ୍ୱାଳଙ୍କୁ ମିଳିଛି ନିଯୁକ୍ତି । ଏବେ ପାଓ୍ୱାର କରିଡରରେ ଏଭଳି ନିଷ୍ପତ୍ତିକୁ ନେଇ ଜୋରଦାର୍ ଚର୍ଚ୍ଚା । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବଢାଯିବା ପରେ ମୁଖ୍ୟ ସଚିବ ରେସ୍‌ରେ ଥିବା ଅନେକ ଅଫିସର୍ ନିରାଶ ହୋଇଛନ୍ତି । ଏମିତିକି କି ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ, OERC  ଅଧ୍ୟକ୍ଷ ଭାବେ ସୁରେଶଙ୍କ ନାଁ ଏକପ୍ରକାର ଚୂଡ଼ାନ୍ତ ହୋଇସାରିଥିବା କୁହଯାଉଥିଲା । କିନ୍ତୁ ପରେ ନିଷ୍ପତ୍ତି ବଦଳାଯାଇ ସୁରେଶଙ୍କ କାର୍ଯ୍ୟକାଳ ବଢ଼ାଯାଇଛି ।

ତେବେ କେବଳ ଆଇଏଏସ୍ ନୁହଁ ଆଇଏଫ୍ଏସ୍‌ଙ୍କ କ୍ଷେତ୍ରରେ ବି ସେମିତି କିଛି ଦେଖିବାକୁ ମିଳିଛି । କିଛିଦିନ ତଳେ ପିସିସିଏଫ୍ ତଥା ହେଡ୍ ଅଫ୍ ଫରେଷ୍ଟ ଭାବେ ନିଯୁକ୍ତି ପାଇଛନ୍ତି ୧୯୮୮ ବ୍ୟାଚ୍‌ର ଆଇଏଫ୍ଏସ୍ ଅଫିସର୍ ଦେବୀଦତ୍ତ ବିଶ୍ୱାଳ । ୧୯୮୭ ବ୍ୟାଚ୍‌ର ରାଜୀବ କୁମାର ଓ ସୁଶୀଲ କୁମାର ପୋପ୍‌ଲିଙ୍କୁ ସୁପରସିଡ୍ କରି ଦେବୀଦତ୍ତଙ୍କୁ ଏହି ପଦବୀ ମିଳିଛି । ଦେବୀଦତ୍ତଙ୍କ ୧୯୮୮ ବ୍ୟାଚ୍‌ର ଅନ୍ୟ କିଛି ଅଧିକାରୀ ବି ଏହି ରେସ୍‌ରେ ଥିଲେ ।

ଆଇପିଏସ୍ ଅଫିସରଙ୍କ କ୍ଷେତ୍ରରେ ବି ସମାନ କଥା ଦେଖିବାକୁ ମୁଳିଛି । ୨୭ ବର୍ଷ ପରେ ଓଡ଼ିଶାକୁ ଫେରି ସୁନୀଲ ବଂଶଲ ପୋଲିସ ଡିଜି ଭାବେ ନିଯୁକ୍ତି ପାଇଥିଲେ । ସେଇ ସମୟରେ ମଧ୍ୟ ଅନେକ ରାଜ୍ୟ କାର୍ଯ୍ୟରତ ଅନେକ ଆଇପିଏସ୍ ଅଫିସରଙ୍କୁ ନିରାଶ ହେବାକୁ ପଡିଥିଲା । ଯଦିଓ ବାବୁଙ୍କ ନିଯୁକ୍ତି ସରକାରଙ୍କ ଇଛାଧୀନ ବ୍ୟାପାର କିନ୍ତୁ ଏହା ଦ୍ୱାରା ଅଧିକାରୀଙ୍କ ମନୋବଳ ଦୁର୍ବଳ ହେବା ସହ କାର୍ଯ୍ୟଶୈଳୀ ବି ଢେର୍ ପ୍ରଭାବିତ ହେବାର ଆଶଙ୍କା ଥିବା ପୂର୍ବତନ ପ୍ରଶାସକ କହିଛନ୍ତି ।

କାହିଁକି କିଛି ଅଧିକାରୀଙ୍କ କାର୍ଯ୍ୟକାଳ ବଢ଼ାଯାଉଛି ? କାହିଁକି ବରିଷ୍ଠ ଅଫିସର ଥାଉ ଥାଉ କନିଷ୍ଠଙ୍କୁ ଟପ୍ ପୋଷ୍ଟରେ ନିଯୁକ୍ତି ଦିଆଯାଉଛି ? ଏନେଇ ନାନା ଆଲୋଚନା ଚାଲିଥିବା ବେଳେ କୁହାଯାଉଛି କ୍ଷମତା କେନ୍ଦ୍ର ସହ ଉତ୍ତମ ସଂପର୍କ ଓ ଆନୁଗତ୍ୟ ରହିଲେ ଏଭଳି ଭଲ ପୋଷ୍ଟିଂ ମିଳୁଛି ।

ସେପଟେ ଅବସର ପରେ ବି ଅନେକ ଅଧିକାରୀଙ୍କୁ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ମିଳୁଛି । ଆର୍.ବାଲକ୍ରିଷ୍ଣା, ଅସିତ ତ୍ରିପାଠୀ, ଅଭୟଙ୍କ ଭଳି କେତେକ ନିର୍ଦ୍ଦିଷ୍ଟ ବରିଷ୍ଠ ଅଧିକାରୀଙ୍କୁ ଅବସର ପରେ ଆଉ ଥରେ ସୁଯୋଗ ମିଳିଥିବାରୁ ପାଓ୍ୱାର କରିଡର୍ ଏହାକୁ ନେଇ ଅସନ୍ତୋଷ ଥିବା କୁହାଯାଉଛି ।