• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଥାରେ ଅଛି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇବା ପରେ ବି ଝିଅ ଘର ଲୋକଙ୍କ ହାତ ଛାଡ଼ିନାହାନ୍ତି ପୁଅ ଘର ଲୋକେ । ରାତି ଅଧରେ ଆସି ସାହା ହେବା ସହ ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ବି ପ୍ରତିଶ୍ରୁତି ଦେଇଛନ୍ତି ।

ଅଗ୍ନିକାଣ୍ଡରେ ପାଉଁଶ ହୋଇଯାଇଛି ବର୍ଷ ବର୍ଷର ସାଇତା ସନ୍ତକ । ଚୁରମାର ହୋଇଯାଇଛି ଧୁମଧାମର ସହ ଝିଅ ବାହାଘର କରିବାର ସ୍ୱପ୍ନ । ଘରର ଆସବାବପତ୍ର ଠାରୁ ଆରମ୍ଭ କରି ନୂଆ କରି କିଣା ହୋଇଥିବା ଘରକରଣା ସାମଗ୍ରୀ ସବୁ କିଛି ମାଟିରେ ମିଶିଯାଇଛି ।

ବାହାଘର ପାଇଁ କିଣା ଯାଇଥିବା ଗହଣାଗାଣ୍ଠି ଓ ନୂଆ ଲୁଗାପଟା ବି ବାଦ୍ ପଡ଼ିନି । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇବା ପରେ ବାହୁନି କଇଁକଇଁ କାନ୍ଦୁଛନ୍ତି ମାଆ । ଭଦ୍ରକ ଚାନ୍ଦବାଲି ଉତୁକୁଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ଗାଁର ରବୀନ୍ଦ୍ର ରାଉତଙ୍କ ଘରେ ଅଗ୍ନିକାଣ୍ଡ ଘଟି ସବୁକିଛି ଛାରଖାର ହୋଇଯାଇଛି । ରାତି ପାହିଥିଲେ ବାହାଘର ଲଗ୍ନ ଧାର୍ଯ୍ୟ ଲାଗି ଆସିଥାନ୍ତେ ବନ୍ଧୁଘର । ମାତ୍ର ଗୋଟିଏ ରାତିରେ ସବୁକିଛି ଓଲଟିଗଲା । ବିଧିର ବିଧାନ ପୋଡ଼ି ପାଉଁଶ କରିଦେଇଛି ରବୀନ୍ଦ୍ର ଦେଖିଥିବା ସୁନେଲି ସ୍ୱପ୍ନ ।

ଦାଦନ ଖଟିବାକୁ ଯାଇ ଯାହା କିଛି ସଞ୍ଚୟ କରିଥିଲେ ସବୁ ଚାଲିଗଲା ନିଆଁ ଆଁରେ । କେବଳ ପିନ୍ଧା ବସ୍ତ୍ରକୁ ଛାଡ଼ିଦେଲେ ଚାଉଳ ମୁଠେ ବି ରକ୍ଷା କରି ପାରିନାହାନ୍ତି । ଏବେ ବଡ଼ କଷ୍ଟରେ ଚଳୁଛନ୍ତି ପରିବାର । ତଥାପି ପୁଅ ଘର ଲୋକେ ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ରାଜି ଅଛନ୍ତି ।

ଆଉ ବିପଦ ବେଳର ବନ୍ଧୁଟିଏ ପାଇ ରବୀନ୍ଦ୍ର ଓ ତାଙ୍କ ପରିବାର ଲୋକେ ନିଜକୁ ଭାଗ୍ୟବାନ ବୋଲି କହିଛନ୍ତି । ବିଦ୍ୟୁତ୍ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବିଭିନ୍ନ ବଦାନ୍ୟ ବ୍ୟକ୍ତି ପରିବାରକୁ ସହାୟତାର ହାତ ବଢ଼ାଇଥିଲେ ବି ସରକାରୀ ସହାୟତା ଲାଗି ଗ୍ରାମବାସୀ ଦାବି କରିଛନ୍ତି ।