• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୧୦ ବର୍ଷର ପିଲା,  ୮୦ ଫୁଟ୍‌ର ସରୁଆ ଗର୍ତ୍ତ ଓ ୧୦୮ ଘଣ୍ଟାର ସଂଘର୍ଷ । ଏଭଳି ସ୍ଥିତିରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଓ ରାହୁଲର ମୃତ୍ୟୁ ଜୟୀ କାହାଣୀକୁ ନେଇ ଚର୍ଚ୍ଚା । ପୁଅର ସୁରକ୍ଷିତ ଉଦ୍ଧାରଠୁ ନେଇ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତିକୁ ଦେଖି ରାହୁଲର ବାପା କହିଛନ୍ତି ‘କେବଳ ଜଗନ୍ନାଥଙ୍କ ପାଇଁ ଏସବୁ ସମ୍ଭବ ହୋଇଛି । ପୁଅ ଭଲ ହେଲେ ଖୁବ୍‌ଶୀଘ୍ର ତାକୁ ନେଇ ଶ୍ରୀକ୍ଷେତ୍ର ଯିବି ।’

ସତରେ.. ଇଏ ଭଗବାନ ଜଗନ୍ନାଥଙ୍କ ଲୀଳା ଥିଲା । ଏପଟେ ଶ୍ରୀକ୍ଷେତ୍ର ଧାମରେ, ସ୍ନାନମଣ୍ଡପରେ ଯେମିତି ଜଗତଠାକୁରଙ୍କ ଦିବ୍ୟସ୍ନାନ ଚାଲିଥିଲା, ସେମିତି ସେପଟେ ପେଟେ ଯାଏଁ ପାଣିରେ ବୁଡ଼ି ଜୀବନ ସହ ଜୁଝୁଥିଲା ରାହୁଲ୍ । ଯେମିତି ପାଣି ନୁହେଁ ତା ପିଣ୍ଡରେ ପ୍ରାଣକୁ ସତେଜ ରଖିବାକୁ ରାହୁଲକୁ ଜୀବନ ସ୍ନାନ କରାଉଥିଲେ ଜଗନ୍ନାଥ । ଏପଟେ ଠାକୁରଙ୍କ ସ୍ନାନ ନୀତି ଆଗକୁ ବଢୁଥିଲା ତ ସେପଟେ ରାହୁଲକୁ ମୃତ୍ୟୁର ଅନ୍ଧାରରୁ ଆଶାର ଆଲୁଅ ଆଡକୁ ଆଣିବାକୁ ଚାଲିଥିଲା ଶେଷ ଲଢ଼େଇ ।

ସଂଯୋଗ ଦେଖନ୍ତୁ ଜଗତଜନଙ୍କୁ ହାତୀବେଶରେ ଦର୍ଶନ ଦେଇ ଠାକୁର ଅଣସର ଘରକୁ ଯିବା ମାତ୍ରେ ଉଦ୍ଧାର ହେଲା ରାହୁଲ । ଶୁଭିଲା ଜୟ ଜୀବନ ସାଙ୍ଗକୁ ଜଗନ୍ନାଥଙ୍କ ଜୟ ଜୟକାର । ଏମିତିକି ଜିଲ୍ଲାପାଳଙ୍କ ମୁହଁରୁ ବି ବାହାରି ଆସିଥିଲା ଜୟ ଓଡ଼ିଶା, ଜୟ ଜଗନ୍ନାଥ । ଉଷୁନା ଧାନ ଗଜା ହେଲା ଭଳି, ୫ ଦିନ ପରେ ୮୦ ଫୁଟ୍‌ ଗର୍ତ୍ତରୁ ରାହୁଲ ଜୀବନ ଧରି ଫେରିବା ପରେ ସାରା ଦୁନିଆ ଆଶ୍ଚର୍ଯ୍ୟ । ଏଥିପାଇଁ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରେୟ ଦେଇ ସେତିକି ଗଦ୍‌ଗଦ୍‌ ବାପା ରାମକୁମାର ।

ରାହୁଲ ଓ ତାଙ୍କ ପ୍ରତି ଜଗନ୍ନାଥଙ୍କ କୃପାକୁ ବଖାଣି ରାମକୁମାର ଏୟା ବି କହିଛନ୍ତି ଯେ ଆଗରୁ ଥରେ ପୁରୀ ଆସିଲା ବେଳେ ସମୁଦ୍ର କୂଳରୁ ବି ହଜିଯାଇଥିଲା ରାହୁଲ, ସେତେବେଳେ ସେଇ ଜଗନ୍ନାଥ ତାଙ୍କୁ ଫେରେଇ ଦେଇଥିଲେ । ଏଥର ବି କଟକରୁ ଏନ୍‌ଡିଆର୍‌ଏଫ୍‌ ଟିମ୍ ପଠାଇ ତାଙ୍କରି ଜରିଆରେ ରାହୁଲକୁ ମୃତ୍ୟୁର ମୁହଁରୁ ଛଡ଼ାଇ ଆଣିଲେ ଜଗନ୍ନାଥ ।

ଖାଲି ରାମକୁମାର ନୁହେଁ ରାହୁଲ୍‌ର ଉଦ୍ଧାର ପରେ ଏବେ ଛତିଶଗଡ଼ ଫିରହିରରେ ସବୁରି ମୁହଁରେ ଲୀଳାମୟଙ୍କ ଲୀଳାର ଚର୍ଚ୍ଚା । ଚିକିତ୍ସା ପରେ ଏବେ ଧୀରେ ଧୀରେ ସୁସ୍ଥ ହେଉଛି ରାହୁଲ । ଆଉ ବାପା ରାମକୁମାରଙ୍କ ବି ଇଚ୍ଛା ପୁଅ ଭଲ ହେଲା ପରେ ଆଗ ତାକୁ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆଣିବେ ।